ପେଙ୍ଗୁଇନ ଚିହ୍ନୁଛି ମଣିଷ
ଏକ ପେଙ୍ଗୁଇନ ବର୍ତ୍ତମାନ ଖୁବ ଚର୍ଚ୍ଚା ସାଉଁଟିବାରେ ଲାଗିଛି । 'ଡିନଡିମ୍' ନାମକ ଏକ ଜଙ୍ଗଲୀ ମାଗେଲାନିକ୍ ପେଙ୍ଗୁଇନ୍ ନିଜର ରକ୍ଷାକର୍ତ୍ତାଙ୍କୁ ଭେଟିବା ପାଇଁ ପ୍ରତିବର୍ଷ ଶହ ଶହ ମାଇଲ୍ ଅତିକ୍ରମ କରି ଆସିଥାଏ, ଯାହାକୁ ନେଇ ପେଙ୍ଗୁଇନଟି ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି କାହାଣୀ ୨୦୧୧ ମସିହାରୁ ଆରମ୍ଭ ହୋଇଥିଲା, ଯେତେବେଳେ ବ୍ରାଜିଲର ଜଣେ ଅବସରପ୍ରାପ୍ତ ରାଜମିସ୍ତ୍ରୀ ତଥା ମତ୍ସ୍ୟଜୀବୀ ଜୋଆଓ ପେରେଇରା ଡି ସୁଜା ସମୁଦ୍ର କୂଳରେ ତେଲରେ ବୁଡ଼ି ରହିଥିବା ଏକ ଅସୁସ୍ଥ ପେଙ୍ଗୁଇନ୍କୁ ଉଦ୍ଧାର କରିଥିଲେ । ଜୋଆଓ ପେଙ୍ଗୁଇନ୍କୁ ସଫା କରିବା ସହ ମାଛ ଖୁଆଇ ତାର ସେବା କରି ସୁସ୍ଥ କରିଥିଲେ । କିଛି ଦିନ ପରେ ତାକୁ ସମୁଦ୍ରରେ ଛାଡ଼ି ଦେଇଥିଲେ, କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ କିଛି ମାସ ପରେ ସେହି ପେଙ୍ଗୁଇନ୍ଟି ପୁଣି ଫେରିଆସି ଜୋଆଓଙ୍କୁ ଚିହ୍ନିପାରିଥିଲା। ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଏହାକୁ ଏକ ଅତି ବିରଳ ଘଟଣା ଭାବେ ଅଭିହିତ କରିଛନ୍ତି । କାରଣ ପେଙ୍ଗୁଇନ୍ମାନଙ୍କର ସ୍ମୃତିଶକ୍ତି ଭଲ ଥିଲେ ହେଁ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଚିହ୍ନି ପ୍ରତିବର୍ଷ ତାଙ୍କ ପାଖକୁ ଫେରିବା ସାଧାରଣତଃ ଦେଖାଯାଏ ନାହିଁ । ବୈଜ୍ଞାନିକମାନଙ୍କ ମତରେ, ଏହି ପେଙ୍ଗୁଇନ୍ମାନେ ସମୁଦ୍ରର ସ୍ରୋତ ଏବଂ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସାହାଯ୍ୟରେ ଦିଗ ନିର୍ଣ୍ଣୟ କରି ହଜାର ହଜାର ମାଇଲ୍ ଯାତ୍ରା କରନ୍ତି । କିନ୍ତୁ ଡିନଡିମ୍ ଏବଂ ଜୋଆଓଙ୍କ ମଧ୍ୟରେ ଥିବା ଏହି ଅନାବିଳ ଭଲପାଇବା ଏବେ ସାରା ବିଶ୍ୱର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି ।



