ସ୍ବାସ୍ଥ୍ୟପାଇଁ ହାନିକାରକ କାଗଜ କପ
ୟୁନିଭରସିଟି ଅଫ୍ କ୍ୱିନ୍ସଲ୍ୟାଣ୍ଡର ସୋସାଇଟି ଅଫ୍ ଏନଭାଇରନମେଣ୍ଟାଲ ହେଲଥ୍ ସାଇନ୍ସର ଗବେଷକମାନଙ୍କ ଅନୁସାରେ, ଟେକ୍-ଆୱେ କଫି କିମ୍ବା ଅନ୍ୟାନ୍ୟ ଗରମ ପାନୀୟ ପାଇଁ ବ୍ୟବହୃତ ସିଙ୍ଗଲ୍-ୟୁଜ୍ ପେପର କପ୍ଗୁଡ଼ିକରୁ ଲକ୍ଷ ଲକ୍ଷ ମାଇକ୍ରୋପ୍ଲାଷ୍ଟିକ୍ ଏବଂ ନାନୋପାର୍ଟିକିଲ୍ସ ବାହାରିଥାଏ । ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ ପାଣି ପ୍ରତିରୋଧକ ଲାଇନିଂ ପାଇଁ କପ୍ରେ ବ୍ୟବହାର କରାଯାଉଥିବା ପଲିଏଥିଲିନ୍ ତୁଳନାରେ ପୋଲିଲାକ୍ଟିକ୍ ଏସିଡ୍ ଲାଇନିଂ ଥିବା କପ୍ଗୁଡ଼ିକରୁ ୧୨ ଗୁଣ ଅଧିକ ପ୍ଲାଷ୍ଟିକ୍ କଣିକା ନିର୍ଗତ ହୋଇଥାଏ । ଯାହା ପ୍ରତି ମିଲିଲିଟର ପାନୀୟରେ ପ୍ରାୟ ୪.୩ ନିୟୁତ ନାନୋପାର୍ଟିକିଲ୍ସ ସାମିଲ କରିଥାଏ । ଡକ୍ଟର ଏଲଭିସ୍ ଓକୋଫୋଙ୍କ ଅନୁସାରେ, ଏହା କେବଳ ପରିବେଶ ସୁରକ୍ଷା ନୁହେଁ, ବରଂ ଗରମ ପାନୀୟ ସଂସ୍ପର୍ଶରେ ଆସି ଶରୀର ଭିତରକୁ ପ୍ରବେଶ କରୁଥିବା ପ୍ଲାଷ୍ଟିକ୍ କଣିକାର ଏକ ବଡ଼ ଉତ୍ସ ସାଜିଛି । ତେବେ ଲୋକମାନେ ପେପର କପ୍ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବା ପରିବର୍ତ୍ତେ ନିର୍ମାତାମାନେ କମ୍ ପ୍ଲାଷ୍ଟିକ୍ ନିର୍ଗତ କରୁଥିବା ଲାଇନିଂ ତିଆରି କରିବା, ନିୟାମକମାନେ ଉତ୍ପାଦଗୁଡ଼ିକର ସୁରକ୍ଷା ଯାଞ୍ଚ କରିବା ଏବଂ ଗ୍ରାହକଙ୍କୁ ଏହି ଲାଇନିଂ ବିଷୟରେ ସଠିକ୍ ଲେବଲିଂ ମାଧ୍ୟମରେ ସଚେତନ କରିବା ନିହାତି ଆବଶ୍ୟକ ।




