ପହଣ୍ଡି
ସ୍ନାନ ଓ ଗୁଣ୍ଡିଚା ଯାତ୍ରାରେ ଶ୍ରୀଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେରେ ରତ୍ନସିଂହାସନ ବାହାରକୁ ଆସିଥାନ୍ତି। ଏହି ଦୁଇ ଯାତ୍ରା ଅବସରରେ ତାଙ୍କର ଛଅଥର ପହଣ୍ଡି ବିଜେ ହୋଇଥାଏ। ରତ୍ନସିଂହାସନରୁ ଅବତରଣ କରି ରଥକୁ ବା ସ୍ନାନମଣ୍ଡପକୁ ଗଲାବେଳେ ଓ ଫେରିବାବେଳେ ଚତୁର୍ଦ୍ଧା ମୂର୍ତ୍ତି ଏକ ବିଚିତ୍ର ଭଙ୍ଗୀ (ପଦ୍ଧତି)ରେ ଯାତ୍ରା କରନ୍ତି। ତାହା ପହଣ୍ଡି ବିଜେ ନାମରେ ପ୍ରସିଦ୍ଧି ଲାଭ କରିଛି। ପହଣ୍ଡି ବିଜେ ରଥଯାତ୍ରାକାଳୀନ ଏକ ଅପୂର୍ବ ଲୀଳା। ଐଶ୍ଚର୍ଯ୍ୟ ଓ ମାଧୁର୍ଯ୍ୟମୟୀକାର ଏହା ଏକ ଉପଭୋଗ୍ୟ ଦୃଶ୍ୟ। ଅଷ୍ଟମ ଶତାବ୍ଦୀ ପରବର୍ତ୍ତୀ କାଳରେ ପହଣ୍ଡି ବିଜେ ପ୍ରବର୍ତ୍ତିତ ହୋଇଥିବାର ଅନୁମାନ କରାଯାଏ। ଶ୍ରୀଗୁଣ୍ଡିଚା ଯାତ୍ରାରେ କରାଯାଉଥିବା ଶ୍ରୀଜୀଉମାନଙ୍କର ମହାପହଣ୍ଡି ରଥଯାତ୍ରାର ପ୍ରଥମ ଲୀଳା। ଏହାର ମାହାତ୍ମ୍ୟ ସର୍ବାଧୀକ। ପ୍ରତ୍ୟୁଷରୁ ଅଣସର ଘରେ ଖେଚେଡ଼ି ଭୋଗ ଓ ଛେନାପଟା ଆଦି ନୀତିକାନ୍ତି ସମ୍ପାଦିତ ହୁଏ। ଚତୁର୍ଦ୍ଧା ମୂର୍ତ୍ତି ପହଣ୍ଡି ବିଜେରେ ବାହାରନ୍ତି। ବଡ଼ଦାଣ୍ଡର ସିଂହଦ୍ବାରଠାରେ ସଂଘଟିତ ଏହି ଅନୁପମ ବିରଳ ଦୃଶ୍ୟ ନୟନ ଭରି ଦେଖିବା ପାଇଁ ଭକ୍ତବୃନ୍ଦାକୁଳ ବ୍ୟଗ୍ର ହୋଇଥାନ୍ତି। ‘ପାଦହୁଣ୍ଡନ’ରୁ ପହଣ୍ଡି ଶବ୍ଦ। ପାଦହୁଣ୍ଡନ ଅର୍ଥ ଧାରେ ଧାରେ ପଦ ବିନ୍ୟାସ। ସୁତରାଂ ପହଣ୍ଡି ବିଜୟ ବା ପହଣ୍ଡି ବିଜେ ଅର୍ଥ, ଧାରେ ଧାରେ ପଦକ୍ଷେପ ପୂର୍ବକ ଗମନ କରିବା। ‘ପାହୁଣ୍ଡ’ ଏହାର ଅପଭ୍ରଂଶ। ରଥକୁ ଜଗନ୍ନାଥ ଓ ବଳଭଦ୍ରଙ୍କ ଗୁରୁ ଦାରୁ ବିଗ୍ରହକୁ ଧୀର ମନ୍ଥର ଭାବରେ ଡିଆଁଇ ଡିଆଁଇ ଆଗକୁ ନେବାର ରୀତି ହିଁ ପହଣ୍ଡି ବିଜେ। ଏହି ପର୍ବଟି ଅତି ଚିତ୍ତାକର୍ଷକ ହୋଇଥିବାରୁ ଭକ୍ତ, ସାଧକ ସମସ୍ତେ ଅପଲକ ନୟନରେ ଏହି ଦର୍ଶନୀୟ ଦୃଶ୍ୟକୁ ଉପଭୋଗ କରିଥାନ୍ତି। ପହଣ୍ଡି ମନ ଇଚ୍ଛା କରାଯାଏନାହିଁ ନିର୍ଦ୍ଦିଷ୍ଟ ନୀତି ନିୟମରେ ପରିଚାଳିତ ହୋଇଥାଏ। ରତ୍ନସିଂହାସନରୁ ରଥ ଉପରକୁ ଗଲାବେଳେ ଶ୍ରୀଜୀଉମାନେ ଧାଡ଼ି ପହଣ୍ଡିରେ ଯାତ୍ରା କରିଥା’ନ୍ତି। ଧାଡ଼ି ପହଣ୍ଡିରେ ଗୋଟିଏ ବିଗ୍ରହ ରତ୍ନସିଂହାସନରୁ ଅଳ୍ପ ବାଟ ଆସିବା ପରେ, ଅନ୍ୟ ବିଗ୍ରହକୁ ପହଣ୍ଡି କରାଯାଏ। ଅର୍ଥାତ୍, ଶ୍ରୀମନ୍ଦିରରୁ ରଥ ପର୍ଯ୍ୟନ୍ତ ବାଟରେ ତିନି ଠାକୁର ପହଣ୍ଡି ବିଜୟ ଅବସ୍ଥାରେ ଥା’ନ୍ତି। ଧାଡ଼ି ପହଣ୍ଡି ଆଧ୍ୟାତ୍ମିକ ଦୃଷ୍ଟିରୁ ଗୁରୁତ୍ଵପୂର୍ଣ୍ଣ। ଶ୍ରୀଜୀଉମାନେ ହେଉଛନ୍ତି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କ ପ୍ରତୀକ। ସେମାନେ ଧାଡ଼ି ପହଣ୍ଡିରେ ଗମନ କଲାବେଳେ, ସେମାନଙ୍କଠାରୁ ସତ୍ବ, ରଜ ଓ ତମ, ଏହି ତିନିଗୁଣର ଜ୍ୟୋତି ବିଚ୍ଛୁରିତ ହୋଇଥାଏ। ସ୍ନାନମଣ୍ଡପୁ ବା ରଥରୁ ପ୍ରତ୍ୟାବର୍ତ୍ତନ କଲାବେଳେ ବିଗ୍ରହମାନେ ଗୋଟି ପହଣ୍ଡିରେ ଯାତ୍ରା କରିଥା’ନ୍ତି। ଏପ୍ରକାର ପହଣ୍ଡିରେ ଗୋଟିଏ ବିଗ୍ରହକୁ ରତ୍ନବେଦୀରେ ପହଞ୍ଚାଇ ଆସିବା ପରେ, ଅନ୍ୟ ବିଗ୍ରହକୁ ପହଣ୍ଡି କରାଯାଏ। ଦୀର୍ଘ ସମୟ ସାପେକ୍ଷ ଏହି ପହଣ୍ଡିରେ କାୟମନୋବାକ୍ୟରେ ପ୍ରତ୍ୟେକ ବିଗ୍ରହକୁ ରତ୍ନବେଦୀରେ ସ୍ଥିତପ୍ରଜ୍ଞ ଭାବ ଅବସ୍ଥାକୁ ଅଣାଯାଇଥାଏ। ଏହା ଶାସ୍ତ୍ର ଓ ମନୋବିଜ୍ଞାନ ସମ୍ମତ ଅଟେ। ଶୁଭ ଶଙ୍ଖଧ୍ବନି ଓ କାହାଳି ବାଜିବା ପରେ ପହଣ୍ଡି ବିଜେ ଆରମ୍ଭ ହୋଇଥାଏ। ଦାରୁବିଗ୍ରହଙ୍କ ପହଣ୍ଡି କେଉଁ କ୍ରମରେ ହେବ, ତାହା ‘ନୀଳାଦ୍ରିମହୋଦୟ’ ଗ୍ରନ୍ଥରେ ଉଲ୍ଲେଖ ରହିଛି - ସୁଦର୍ଶନଂ ପୁରସ୍କୃତ୍ୟ ବଳଭଦ୍ର ବିଚକ୍ଷଣମ୍ ତତଃ ପରମ୍ ସୁଭଦ୍ରା ଚ ତତଃ ନାଥା ଜଗଦୀଶଂ ସୁରେଶ୍ୱରମ୍ ।।
ଉପରୋକ୍ତ ଉକ୍ତି ଶ୍ରୀମନ୍ଦିର ପୁସ୍ତକରେ ଡକ୍ଟର ଶରତ ଚନ୍ଦ୍ର ପରିଡାଙ୍କ ଲେଖା " ଟାହିଆ ହଲେଇ ମନକୁ ଭୁଲେଇ ଆସ ହେ ମର୍ଦ୍ଦଳ ତାଳେ " ଲେଖାର କିୟଦଂଶ ।




