ଅଲିଭ ରିଡଲେ

ଅଲିଭ ରିଡଲେ
Ipsita Picture
By: Ipsita
Published On

 

ଅଲିଭ୍ ରିଡ୍ଲେ ସାମୁଦ୍ରିକ କଇଁଛ ହେଉଛନ୍ତି ବିଶ୍ୱର ଦ୍ବିତୀୟ କ୍ଷୁଦ୍ରକାୟ ଏବଂ ଅଧିକ ସଂଖ୍ୟାରେ ଦେଖାଯାଉଥିବା କଇଁଛ ପ୍ରଜାତି। ଯେଉଁମାନେ ସେମାନଙ୍କର ଅଦ୍ଭୁତ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା 'ଅରିବାଡା'  ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ଏହି କଇଁଛମାନେ ମୁଖ୍ୟତଃ ପ୍ରଶାନ୍ତ, ଆଟଲାଣ୍ଟିକ୍ ଏବଂ ଭାରତ ମହାସାଗରର ଉଷ୍ମ ଜଳରାଶିରେ ବାସ କରିଥାଆନ୍ତି । ପ୍ରତିବର୍ଷ ଶୀତ ଋତୁରେ ହଜାର ହଜାର କିଲୋମିଟର ପଥ ଅତିକ୍ରମ କରି ଓଡ଼ିଶାର ଗହିରମଥା, ଋଷିକୂଲ୍ୟା ଏବଂ ଦେବୀ ନଦୀ ମୁହାଣ ଭଳି ନିର୍ଦ୍ଦିଷ୍ଟ ବେଳାଭୂମିକୁ ପ୍ରଜନନ ପାଇଁ ଆସିଥାନ୍ତି। ଏମାନଙ୍କର ରଙ୍ଗ ସାମାନ୍ୟ ଅଲିଭ୍ ସବୁଜ ହୋଇଥିବା ବେଳେ ଜଣେ ବୟସ୍କ କଇଁଛର ଓଜନ ପ୍ରାୟ ୫୦ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ । ମାକଇଁଛମାନେ ବାଲିରେ ଗାତ ଖୋଳି ପ୍ରାୟ ୧୦୦ ରୁ ଅଧିକ ଅଣ୍ଡା ଦେଇ ପୁଣି ସମୁଦ୍ରକୁ ଫେରିଯାନ୍ତି । ଯେଉଁଥିରୁ ପ୍ରାୟ ୫୦-୬୦ ଦିନ ପରେ ଶାବକମାନେ ବାହାରି ନିଜେ ନିଜେ ସମୁଦ୍ର ଅଭିମୁଖେ ଯାତ୍ରା କରନ୍ତି ।

ସୁରକ୍ଷାକୁ ନେଇ ଚିନ୍ତା

ଅଲିଭ୍ ରିଡ୍ଲେ କଇଁଛମାନଙ୍କ ପ୍ରତି ଏକାଧିକ ବିପଦ ରହିଥାଏ, ଯାହା ଏମାନଙ୍କର ମୃତ୍ୟୁର କାରଣ ସାଜିଥାଏ । ସମୁଦ୍ରରେ ମାଛ ଧରିବା ଜାଲରେ ଅକସ୍ମାତ ଛନ୍ଦି ହୋଇଯିବା ଏମାନଙ୍କ ମୃତ୍ୟୁର ଏକ ପ୍ରମୁଖ କାରଣ ହୋଇଥାଏ । ଏହାବ୍ୟତୀତ ମାଂସ ଓ ଅଣ୍ଡା ପାଇଁ ଏମାନଙ୍କୁ ବହୁ ପରିମାଣରେ ଶିକାର କରାଯିବାର ଉଦାହରଣ ମଧ୍ୟ ରହିଛି ।  ବର୍ତ୍ତମାନ ଉପକୂଳବର୍ତ୍ତୀ ଅଞ୍ଚଳରେ ବଢୁଥିବା ନିର୍ମାଣ କାର୍ଯ୍ୟ, ସମୁଦ୍ର ପତ୍ତନ ବୃଦ୍ଧି ଏବଂ ବେଳାଭୂମିରେ କୃତ୍ରିମ ଆଲୋକର ପ୍ରଭାବ ଯୋଗୁଁ ଏମାନଙ୍କ ପ୍ରାକୃତିକ ବାସସ୍ଥାନ ନଷ୍ଟ ହେବାରେ ଲାଗିଛି । କେବଳ ସେତିକି ନୁହେଁ, ବେଳାଭୂମିରେ ବୁଲା କୁକୁର, ଘୁଷୁରି ଓ ପକ୍ଷୀମାନଙ୍କ ଦ୍ୱାରା ଅଣ୍ଡା ଓ ଶାବକ ନଷ୍ଟ ହେବା, ସମୁଦ୍ରରେ ଦ୍ରୁତଗାମୀ ଜାହାଜ ସହ ଧକ୍କା ହେବା ଏବଂ ପ୍ଲାଷ୍ଟିକ୍ ଭଳି ସାମୁଦ୍ରିକ ଆବର୍ଜନା ଗିଳିବା ଯୋଗୁଁ ଏହି କଇଁଛମାନଙ୍କ ଜୀବନ ପ୍ରତି ସଙ୍କଟ ସୃଷ୍ଟି ହେଉଛି। ପରିବେଶ ପରିବର୍ତ୍ତନ କାରଣରୁ ବାଲିର ତାପମାତ୍ରା ବୃଦ୍ଧି ପାଇଲେ ଏହା କଇଁଛଙ୍କ ଲିଙ୍ଗ ନିରୂପଣ ପ୍ରକ୍ରିୟାକୁ ପ୍ରଭାବିତ କରିବା ସହ ଅଣ୍ଡାଗୁଡ଼ିକୁ ମଧ୍ୟ ନଷ୍ଟ କରିଦେଉଛି । ଯାହା ଏହି ବିରଳ ପ୍ରଜାତିର ଭବିଷ୍ୟତ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ଏବଂ ବଂଶ ବୃଦ୍ଧି ଉପରେ ଗଭୀର ପ୍ରଭାବ ପକାଉଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

Tags: