ପୁରାତନ ଫ୍ରିଜ
ଯେତେବେଳେ ଆପଣଙ୍କ ଘରେ ଦିନକ ପାଇଁ ବିଦ୍ୟୁତ୍ କାଟ୍ ହୋଇଥିଲା, ସେତେବେଳେ ସବୁଠାରୁ ପ୍ରଥମ ଚିନ୍ତା ପ୍ରାୟତଃ ଖାଦ୍ୟକୁ ନେଇ ହିଁ ହୋଇଥିବ । ହେଲେ ପାଖାପାଖି ୩,୫୦୦ ବର୍ଷ ପୂର୍ବେ କଣ ଏଭଳି କିଛି ବ୍ୟବସ୍ଥା ଥିଲା ଯାହା ଫ୍ରିଜର କାମ କରୁଥିଲା । ଆସନ୍ତୁ ଜାଣିବା ସେହି ସମ୍ପର୍କରେ ଏହି ସ୍ବତନ୍ତ୍ର ଆଲୋଚନାରେ ।
ତାମିଲ ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱବିତ୍ମାନେ ନିକଟରେ ପଶ୍ଚିମଘାଟ ପର୍ବତମାଳାର ପାଦଦେଶରେ ଥିବା କୋଏମ୍ବାଟୁର ନିକଟବର୍ତ୍ତୀ 'ମୋଲାପାଲାୟମ୍' ନାମକ ଏକ ସ୍ଥାନରୁ ନୂତନ ପ୍ରସ୍ତର ଯୁଗର ଅନେକଗୁଡ଼ିଏ ଭୂତଳ ଗର୍ତ୍ତ ଘର ଉଦ୍ଧାର କରିଛନ୍ତି । ପ୍ରାୟ ୩,୫୦୦ ବର୍ଷ ପୁରୁଣା ଏହି ଭୂତଳ ପ୍ରକୋଷ୍ଠଗୁଡ଼ିକ, ଯାହାକୁ ଦିନେ ଏଠାରେ ବସବାସ କରୁଥିବା ଏକ କୃଷି-ପଶୁପାଳନ ସମୁଦାୟ ଦ୍ୱାରା ଖୋଳାଯାଇଥିଲା । ତେବେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଆସିବାର ବହୁ ପୂର୍ବରୁ ପ୍ରାଚୀନ ଭାରତୀୟମାନେ କିପରି ଖାଦ୍ୟକୁ ସତେଜ, ସୁରକ୍ଷିତ ଏବଂ ସଂରକ୍ଷିତ ରଖୁଥିଲେ, ତାହାର ଏକ ଚମତ୍କାର ଝଲକ ଏହି ସ୍ଥାନ ପ୍ରଦାନ କରୁଛି ।
ଭୂତଳ କିଚେନ୍ କ୍ୟାବିନେଟ୍
ମୋଲାପାଲାୟମ୍ଠାରେ ଆବିଷ୍କୃତ ହୋଇଥିବା ଏହି ଗର୍ତ୍ତଗୁଡ଼ିକ କେବଳ ସଂରକ୍ଷଣ ପାତ୍ର ନଥିଲା । ଏଗୁଡ଼ିକ ଅନେକ ଦୃଷ୍ଟିରୁ ଏକ ପ୍ରାଚୀନ ପରିବାରର ମୁଖ୍ୟ କେନ୍ଦ୍ର ଥିଲା। ପ୍ରତ୍ନତତ୍ତ୍ୱବିତ୍ମାନେ ଦେଖିବାକୁ ପାଇଛନ୍ତି ଯେ, କେତେକ ଗର୍ତ୍ତ ମଧ୍ୟରେ ସିଲ୍ପୁଆ ରହିଥିଲା, ଯାହା ସୂଚାଉଛି ଯେ ସେଗୁଡ଼ିକ ରୋଷେଇ ଘର ଭାବରେ ମଧ୍ୟ ବ୍ୟବହୃତ ହେଉଥିଲା । ସେହିଭଳି ଅନ୍ୟ କେତେକ ଗର୍ତ୍ତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଶ୍ରୟସ୍ଥଳୀ ଭାବରେ ବ୍ୟବହୃତ ହେଉଥିବା ଜଣାପଡ଼ିଛି। ଯାହା ଜଣେ ମଣିଷକୁ ଆଶ୍ରୟ ଦେବା ପାଇଁ ଯଥେଷ୍ଟ ବଡ଼ ଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଥିମଧ୍ୟରୁ ଅନେକ ଗର୍ତ୍ତ ଖାଦ୍ୟଶସ୍ୟ ସଂରକ୍ଷଣ ପାଇଁ ବ୍ୟବହୃତ ହେଉଥିଲା, ଯାହା ସେହି ସମୁଦାୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମ୍ବଳ ଥିଲା । ଏହି ଗର୍ତ୍ତଗୁଡ଼ିକ ମଧ୍ୟରୁ କେତେକର ଦୁଇ ପାର୍ଶ୍ୱ ମଜବୁତ କାନ୍ଥ ଦ୍ୱାରା ସୁରକ୍ଷିତ ଥିଲା । ଖନନକାରୀମାନେ ଏହି ସଂରଚନାଗୁଡ଼ିକ ନିକଟରେ ପୋତାଯାଇଥିବା ଦୁଇଟି ଶିଶୁର କଙ୍କାଳ ମଧ୍ୟ ପାଇଛନ୍ତି । ଏହି ଗର୍ତ୍ତଗୁଡ଼ିକ ଦୈନନ୍ଦିନ ଜୀବନରୁ ଦୂରରେ ଥିବା କୌଣସି ଅଦରକାରୀ କୋଠରୀ ନଥିଲା । ସେଗୁଡ଼ିକ ଘର ଭିତରେ ହିଁ ନିର୍ମାଣ କରାଯାଇଥିଲା ଏବଂ ଜୀବନଶୈଳୀର ସ୍ଥାପତ୍ୟ ସହିତ ଜଡ଼ିତ ଥିଲା, ଯାହା ଦୈନନ୍ଦିନ ଜୀବନର ଗତିରେ ଖାଦ୍ୟ ସଂରକ୍ଷଣ କେତେ କେନ୍ଦ୍ରୀୟ ଥିଲା, ତାହା ଦର୍ଶାଉଛି ।
ଭୂତଳ ପଛର ବିଜ୍ଞାନ
ଏକ ନିର୍ଦ୍ଦିଷ୍ଟ ଗଭୀରତା ତଳେ, ପୃଥିବୀ ନିଜର ତାପମାତ୍ରାକୁ ବହୁତ ସ୍ଥିର ଏବଂ ଉପର ପୃଷ୍ଠ ତୁଳନାରେ ଯଥେଷ୍ଟ ଥଣ୍ଡା ରଖିଥାଏ । ତାମିଲନାଡୁରେ, ଯେଉଁଠାରେ ଗ୍ରୀଷ୍ମ ଋତୁର ତାପମାତ୍ରା ୪୦ ଡିଗ୍ରୀ ସେଲସିଅସ ଅତିକ୍ରମ କରିପାରେ ଏବଂ ଆଦ୍ରତା ସ୍ତର ମାତ୍ର କେଇଟା ଦିନରେ ଗୋଟିଏ ଋତୁର ଅମଳକୁ ନଷ୍ଟ କରିଦେଇପାରେ । ସେଠାରେ ଏହି ଭୂତଳ ସ୍ଥିରତା ବହୁତ ବଡ଼ ପରିବର୍ତ୍ତନ ଆଣିଥିଲା । ଏହି ଭୂତଳେ ସଂରକ୍ଷିତ ଶସ୍ୟ ଅତ୍ୟଧିକ ଗରମରୁ ରକ୍ଷା ପାଉଥିଲା, ଆଦ୍ରତାର ପରିବର୍ତ୍ତନରୁ ସୁରକ୍ଷିତ ରହୁଥିଲା ଏବଂ ଉପରିଭାଗର ସଂରକ୍ଷଣକୁ ନଷ୍ଟ କରୁଥିବା ପୋକଜୋକ ଏବଂ ମୂଷାମାନଙ୍କଠାରୁ ଦୂରରେ ରହୁଥିଲା । ଏହି ଗର୍ତ୍ତଗୁଡ଼ିକୁ ଦୀର୍ଘସ୍ଥାୟୀ କରିବା ପାଇଁ ଏକ ସ୍ୱତନ୍ତ୍ର ପଦ୍ଧତିରେ ପ୍ରସ୍ତୁତ କରାଯାଉଥିଲା । ଚାଷୀମାନେ ଏହିଭଳି ସଂରଚନାର ଭିତର ଅଂଶକୁ କାଦୁଅ , କୁଣ୍ଡା ଏବଂ ଧାନ ନଡ଼ାର ଏକ ସ୍ୱତନ୍ତ୍ର ମିଶ୍ରଣ ପ୍ରଲେପ ଦ୍ୱାରା ପ୍ରସ୍ତୁତ କରୁଥିଲେ । ଏହି ସବୁ ସାମଗ୍ରୀ ଅତ୍ୟଧିକ ଆଦ୍ରତାକୁ ଶୋଷି ନେଉଥିଲା । ଭିତର କାନ୍ଥଗୁଡ଼ିକୁ ଗୋବର ପାଣି ଦ୍ୱାରା ପ୍ରଲେପ ଦିଆଯାଉଥିଲା । ଯାହା ଏକ ପ୍ରାକୃତିକ ଆଣ୍ଟିସେପ୍ଟିକ୍ ଅଟେ । ସେହିଭଳି ବାହ୍ୟ ପୃଷ୍ଠକୁ ସମୟ ସମୟରେ ଚୂନ ପାଣିରେ ଧୁଆଯାଉଥିଲା । ଏହାର ମୁହଁକୁ ପଥର ଚଟାଣ, ବୁଣା ହୋଇଥିବା ମାଟିଆ ଚଟେଇ କିମ୍ବା ଗଛର ବକ୍କଳ ଦ୍ୱାରା ସିଲ୍ କରାଯାଉଥିଲା। ଏହା ପୋକଜୋକକୁ ଅଟକାଇବା ସହ ଭିତରେ ଫର୍ମେଣ୍ଟେସନ୍ ପ୍ରକ୍ରିୟାକୁ ରୋକିବା ପାଇଁ ସାମାନ୍ୟ ପବନ ଚଳାଚଳ କରିବାକୁ ଅନୁମତି ଦେଉଥିଲା । ଏହି ସଂରଚନାଗୁଡ଼ିକର ତଳ ଭାଗରେ ଏକ ନିର୍ଗମନ ଛିଦ୍ର ମଧ୍ୟ ରହିଥିଲା, ଯାହା ଦ୍ୱାରା ପ୍ରତିଥର ସମଗ୍ର ସଂରକ୍ଷିତ ଶସ୍ୟକୁ ବାହ୍ୟ ପରିବେଶ ସହ ସଂସ୍ପର୍ଶରେ ନଆଣି, ଧୀରେ ଧୀରେ ପ୍ରୟୋଜନ ଅନୁସାରେ ଶସ୍ୟ ବାହାର କରାଯାଇପାରୁଥିଲା। ଏହା କୌଣସି କାମଚଳା ବ୍ୟବସ୍ଥା ନଥିଲା, ବରଂ ଏହା ଥିଲା ଏକ ସମ୍ପୂର୍ଣ୍ଣ ସୁସଂଗଠିତ ପ୍ରଣାଳୀ । ତେବେ ସୂଚନା ଅନୁସାରେ ବିଂଶ ଶତାବ୍ଦୀର ଶେଷ ଭାଗ ପର୍ଯ୍ୟନ୍ତ ମଧ୍ୟ ତାମିଲନାଡୁର ଚାଷୀମାନେ ଏହି ସମାନ ନିୟମର ବ୍ୟବହାର କରୁଥିଲେ । ବିଭିନ୍ନ ଅଧ୍ୟୟନରୁ ଆକଳନ କରାଯାଇଛି ଯେ, ଐତିହାସିକ ଭାବେ ଭାରତର ପ୍ରାୟ ୭୦ ପ୍ରତିଶତ ଖାଦ୍ୟଶସ୍ୟ ଏହିଭଳି ଦେଶୀ ସଂରକ୍ଷଣ ପ୍ରଣାଳୀ ମାଧ୍ୟମରେ ହିଁ ସୁରକ୍ଷିତ ରଖାଯାଉଥିଲା । ତେବେ ବର୍ତ୍ତମାନ ମଧ୍ୟ ଏହି ବିଜ୍ଞାନକୁ ଉପଯୋଗ କରାଯାଇପାରିବ ବୋଲି ଚର୍ଚ୍ଚା ହେଉଛି ।



