ଅଫିସ୍ ଚେୟାର୍ ରେସ୍
ଜାପାନର କ୍ୟୋଟୋ ସହରରେ ଆୟୋଜିତ ହେଉଛି ଏକ ଅଦ୍ଭୁତ ତଥା ରୋମାଞ୍ଚକର କ୍ରୀଡ଼ା ପ୍ରତିଯୋଗିତା, ଯାହାର ନାମ ହେଉଛି 'ଇସୁ-୧ ଗ୍ରାଣ୍ଡ ପ୍ରିକ୍ସ' । ଯାହାକୁ ସୋସିଆଲ ମିଡିଆରେ ଅଫିସ ଚେୟାର ରେସର ନାମ ଦିଆଯାଇଛି । ଏହି ଦୁଇ ଘଣ୍ଟିଆ ଏଣ୍ଡୁରାନ୍ସ ରେସ୍ରେ ପ୍ରତିଯୋଗୀମାନେ କୌଣସି କାର୍ କିମ୍ବା ବାଇକ୍ରେ ନୁହେଁ, ବରଂ ଅଫିସ୍ରେ ବ୍ୟବହାର ହେଉଥିବା ଚକଲଗା ଚେୟାର୍ରେ ବସି ପଛକୁ ଗୋଡ଼ ମାରି ଦୌଡ଼ୁଥିବାର ଦେଖିବାକୁ ମିଳିଥାଏ । ୨୦୧୦ ମସିହାରୁ ଆରମ୍ଭ ହୋଇଥିବା ଏହି ଖେଳରେ ଏବେ ଜାପାନର ବିଭିନ୍ନ ସହରରୁ ଶତାଧିକ ଦଳ ଅଂଶଗ୍ରହଣ କରୁଛନ୍ତି। ନିୟମ ଅନୁଯାୟୀ, ପ୍ରତି ଦଳରେ ୩ ଜଣ ସଦସ୍ୟ ରହୁଥିବା ବେଳେ ସେମାନଙ୍କୁ ଦୁଇ ଘଣ୍ଟା ମଧ୍ୟରେ ସର୍ବାଧିକ ଥର ନିର୍ଦ୍ଧାରିତ ପଥ ଅତିକ୍ରମ କରିବାକୁ ପଡ଼ିଥାଏ । ଏହି ପ୍ରତିଯୋଗିତାଟି ଦେଖିବାକୁ ଯେତିକି ମଜାଦାର, ଏଥିପାଇଁ ସେତିକି ଶାରୀରିକ ପରିଶ୍ରମର ମଧ୍ୟ ଆବଶ୍ୟକତା ପଡ଼ିଥାଏ । ବିଜେତା ଦଳକୁ ପୁରସ୍କାର ସ୍ୱରୂପ କୌଣସି ଟ୍ରଫି କିମ୍ବା ଅର୍ଥ ନୁହେଁ, ବରଂ ୯୦ କିଲୋଗ୍ରାମର ସ୍ଥାନୀୟ ଉନ୍ନତମାନର ଚାଉଳ ପ୍ରଦାନ କରାଯାଉଛି । ଏହି ଅଭିନବ ପ୍ରତିଯୋଗିତା ଜାପାନର ବ୍ୟବସାୟିକ ଅଞ୍ଚଳଗୁଡ଼ିକରେ ଉତ୍ସାହ ଭରିବା ସହ ପର୍ଯ୍ୟଟକଙ୍କୁ ମଧ୍ୟ ବେଶ୍ ଆକର୍ଷିତ କରୁଛି ।



