ବୁଢ଼ା ବରଗଛର ରହସ୍ୟ
ଆଈମା ପାଖରେ ଭୁତ କଥଆ ଶୁଣିଲେ ମଧ୍ୟ ଡର ଲାଗିନଥାଏ, ବରଂ ଭୁତକୁ ସାମନା କରିବାର ସାହସ ଛୋଟ ପିଲାଙ୍କୁ ମିଳିଥାଏ । ତେବେ ଖରାଛୁଟିରେ ସମସ୍ତେ ଜିଦି କରିଥାଆନ୍ତି ଭୁତ ଗପ ଶୁଣିବାକୁ । ସେହିଭଳି ଏକ ଭୁତ ଗପ ହେଲା ବୁଢୀ ବରଗଛର ରହସ୍ୟ । ଆସନ୍ତୁ ଜାଣିବା କଣ ଏହି ଗପର ବିଷୟ ବସ୍ତୁ ।
ଗୋଟିଏ ଛୋଟ ଗାଁ ମୁଣ୍ଡରେ ଏକ ବହୁତ ପୁରୁଣା ଓ ବିରାଟ ବରଗଛ ଥିଲା । ଗାଁ ଲୋକମାନେ କହୁଥିଲେ ଯେ ସେହି ଗଛରେ ଏକ ଭୂତ ରହୁଛି । ସନ୍ଧ୍ୟା ହେଲେ କେହି ସେହି ବାଟ ଦେଇ ଯିବାକୁ ସାହସ କରୁନଥିଲେ । ଲୋକଙ୍କ କହିବା ଅନୁଯାୟୀ, ସେହି ବାଟରେ ଗଲେ ଗଛ ଉପରୁ କେହି ଜଣେ ଖଡ଼ୁ ଶବ୍ଦ କରେ କିମ୍ବା କେହି ଜଣେ ଅଟ୍ଟହାସ୍ୟ କରେ।ତେବେ ସେହି ଗାଁରେ କାଳିଆ ନାମକ ଏକ ସାହସୀ ପିଲା ରହୁଥିଲା । ସେ ଏହି ଭୂତ ପ୍ରେତ କଥାକୁ ଆଦୌ ବିଶ୍ୱାସ କରୁନଥିଲା । ଦିନେ ରାତିରେ କାଳିଆର ସାଙ୍ଗମାନେ ତାକୁ ଚ୍ୟାଲେଞ୍ଜ ଦେଲେ, "ଯଦି ତୁ ସତରେ ସାହସୀ, ତେବେ ଆଜି ଅନ୍ଧାର ରାତିରେ ସେହି ବରଗଛ ମୂଳକୁ ଯାଇ ଏକ ଖୁଣ୍ଟି ପୋତି ଦେଇ ଆସିବୁ।" କାଳିଆ ହସି ହସି ରାଜି ହୋଇଗଲା । ସେଦିନ ରାତିରେ କାଳିଆ ହାତରେ ଏକ ଠେଙ୍ଗା ଓ ଖୁଣ୍ଟି ଧରି ବରଗଛ ଆଡ଼କୁ ଚାଲିଲା । ଚାରିଆଡ଼ ଶୂନଶାନ୍, କେବଳ ଝିଙ୍କାରିଙ୍କ ଶବ୍ଦ ଶୁଣାଯାଉଥିଲା । ଯେମିତି ସେ ଗଛ ମୂଳରେ ପହଞ୍ଚିଲା, ହଠାତ୍ ଗଛର ଡାଳଗୁଡ଼ିକ ଜୋରରେ ହଲିବାକୁ ଲାଗିଲା । କାଳିଆ ଟିକେ ଡରିଗଲା, କିନ୍ତୁ ସେ ନିଜ ମନକୁ ସାହସ ଦେଇ ଖୁଣ୍ଟିଟିକୁ ମାଟିରେ ପୋତିବାକୁ ଲାଗିଲା । ଯେମିତି ସେ ଖୁଣ୍ଟିଟିକୁ ବାଡ଼େଇ ଶେଷ କଲା, ସେ ଅନୁଭବ କଲା ଯେ କେହି ଜଣେ ପଛପଟୁ ତା’ର ଚାଦରକୁ ଜୋରରେ ଧରି ରଖିଛି । କାଳିଆ ଭାବିଲା ସତରେ ଭୂତ ତାକୁ ଧରି ପକାଇଲାଣି । ସେ ଭୟରେ ଜୋରରେ ଚିତ୍କାର କଲା, "ଭୂତ... ଭୂତ... ମୋତେ ଛାଡ଼ିଦିଅ!" ସେ ନିଜ ସବୁ ଶକ୍ତି ଲଗାଇ ଦୌଡ଼ିବାକୁ ଚେଷ୍ଟା କଲା କିନ୍ତୁ ଚାଦରଟି କେଉଁଠି ଛନ୍ଦି ହୋଇ ରହିଥିଲା । ଶେଷରେ ସେ ସେଠାରେ ଅଚେତ ହୋଇ ପଡ଼ିଗଲା । ସକାଳୁ ଯେତେବେଳେ ଗାଁ ଲୋକେ ଓ ତା’ର ସାଙ୍ଗମାନେ ସେଠାକୁ ଆସିଲେ, ସେମାନେ ଦେଖିଲେ କାଳିଆ ଗଛ ମୂଳରେ ଶୋଇଛି । ସେମାନେ ତାକୁ ଉଠାଇଲେ । କାଳିଆ ଡରି ଡରି କହିଲା, "ଗତକାଲି ଭୂତ ମୋ ଚାଦରକୁ ଧରି ରଖିଥିଲା ।" କିନ୍ତୁ ସମସ୍ତେ ଦେଖିଲେ ଯେ, କାଳିଆ ଅନ୍ଧାରରେ ଖୁଣ୍ଟି ପୋତିବା ସମୟରେ ନିଜ ଚାଦରର ଏକ ଅଂଶକୁ ମଧ୍ୟ ଖୁଣ୍ଟି ସହିତ ମାଟିରେ ପୋତି ଦେଇଥିଲା । ସେଥିପାଇଁ ସେ ଯେତେବେଳେ ଉଠିବାକୁ ଚେଷ୍ଟା କଲା, ତାକୁ ଲାଗିଲା ଯେପରି କେହି ତାକୁ ପଛରୁ ଧରିଛି । ସବୁ କଥା ଶୁଣି ଗାଁ ଲୋକେ ହସିବାକୁ ଲାଗିଲେ। କାଳିଆ ବୁଝିପାରିଲା ଯେ, ଅଧିକାଂଶ ସମୟରେ ଆମ ମନର ଭୟ ହିଁ ଭୂତ ସୃଷ୍ଟି କରେ। ତେଣୁ ମନରେ ସାହସ ରଖିବା ଉଚିତ୍। ଅନ୍ଧବିଶ୍ୱାସ ଏବଂ ଅଯଥା ଭୟ ହିଁ ଆମକୁ ଦୁର୍ବଳ କରିଦିଏ।



