ଅଂହକାରୀ କାଉ
ଖରାଦିନ ଛୁଟି ହେଲେ ମାମୁଁ ଘରେ ହେଉ କିମ୍ବା ନିଜ ଘରେ ପିଲାମାନଙ୍କର ଭିଡ ଜମେ ଆଈ କିମ୍ବା ଜେଜେ ମାଆଙ୍କ ପାଖରେ । ସେମାନଙ୍କ ପାଖରୁ ଗପ ଶୁଣିଶୁଣି ଖରାଦିନ ଛୁଟି କଟିଯାଏ । ଏହି ଗପରେ ରହିଥାଏ ଅନେକ ଶିକ୍ଷଣୀୟ କଥା ଯାହା କେବଳ ଛୋଟ ନୁହେଁ ବଡ ହେବା ପରେ ମଧ୍ୟ କାମରେ ଆସିଥାଏ ।
ସେମାନଙ୍କ ପେଡିରେ ଅନେକ ଗପ ଥିବାବେଳେ ଏଭଳି ଏକ ଗପ ହେଲା ଅଂହକାରୀ କାଉ । ଏହି କାହାଣୀରେ ଜୀବନର ଅନେକ ସମସ୍ୟାର ସମାଧାନ ରହିଛି, ଯାହା ଜଣଙ୍କୁ ଭଲ ସଂସ୍କାର ଦେବାରେ ଆବଶ୍ୟକ ହୋଇଥାଏ । ତେବେ ଆସନ୍ତୁ ପଢିବା କଣ ଏହି କାହାଣୀ । ଏକଦା ଏକ ନିବିଡ଼ ଜଙ୍ଗଲରେ ଗୋଟିଏ ବହୁତ ବଡ଼ ବଟବୃକ୍ଷ ଥିଲା, ଯେଉଁଥିରେ ଅନେକ ପକ୍ଷୀ ନିଜର ବସା ବାନ୍ଧି ବହୁତ ଖୁସିରେ ରହୁଥିଲେ । ସେହି ଗଛରେ ରହୁଥିବା ପକ୍ଷୀମାନଙ୍କ ମଧ୍ୟରେ ଗୋଟିଏ କପୋତ ଓ ଏକ କାଉ ବହୁତ ଭଲ ସାଙ୍ଗ ଥିଲେ । କପୋତଟି ସବୁବେଳେ ଶାନ୍ତ ଓ ପରୋପକାରୀ ଥିଲା କିନ୍ତୁ କାଉଟି ଟିକେ ଗର୍ବୀ ଓ ସ୍ୱାର୍ଥପର ପ୍ରକୃତିର ଥିଲା । ଦିନେ ଜଙ୍ଗଲକୁ ଏକ ଶିକାରୀ ଆସିଲା ଏବଂ ସେହି ଗଛ ମୂଳେ କିଛି ଦାନା ବିଛାଇ ଏକ ଜାଲ ବିଛାଇ ଦେଲା। ତେବେ ଏହାକୁ ଦେଖି କପୋତଟି ନିଜ ସାଙ୍ଗମାନଙ୍କୁ ସତର୍କ କରାଇ କହିଲା ଯେ ଏହା ଏକ ବିପଦ ହୋଇପାରେ, ତେଣୁ କେହି ବି ତଳକୁ ଦାନା ଖାଇବାକୁ ଯାଅନାହିଁ । କିନ୍ତୁ ଗର୍ବୀ କାଉଟି କପୋତର କଥାକୁ ହସରେ ଉଡ଼ାଇ ଦେଇ କହିଲା ଯେ ସେ ବହୁତ ଚତୁର ଏବଂ ଶିକାରୀ ତାକୁ ଧରିପାରିବ ନାହିଁ। ଏହା କହି ସେ ଲୋଭରେ ପଡ଼ି ଦାନା ଖାଇବାକୁ ତଳକୁ ଗଲା ଏବଂ ଶିକାରୀର ଜାଲରେ ଛନ୍ଦି ହୋଇଗଲା । କାଉଟିକୁ ବିପଦରେ ପଡ଼ିବାର ଦେଖି କପୋତଟି ଜମା ବି ବିଚଳିତ ନହୋଇ ନିଜର ସମସ୍ତ ପକ୍ଷୀ ସାଙ୍ଗମାନଙ୍କୁ ଏକାଠି କଲା ଏବଂ ସମସ୍ତେ ମିଶି ଏକ ସଙ୍ଗେ ଜାଲଟିକୁ ଧରି ଉଡ଼ିବାକୁ ଲାଗିଲେ । ଯାହା ଦେଖି ଶିକାରୀଟି ଆଶ୍ଚର୍ଯ୍ୟ ହୋଇ ସେମାନଙ୍କ ପଛରେ ଦୌଡ଼ିଲା କିନ୍ତୁ ସେମାନଙ୍କୁ ଧରିପାରିଲା ନାହିଁ । କିଛି ଦୂର ଯିବା ପରେ ସେମାନେ ଗଛ ମୂଳେ ରହୁଥିବା ସେହି ଚତୁର ମୂଷା ପାଖରେ ପହଞ୍ଚିଲେ ଏବଂ ମୂଷାଟି ନିଜର ଧାରୁଆ ଦାନ୍ତରେ ଜାଲଟିକୁ କାଟି କାଉ ସମେତ ସମସ୍ତ ପକ୍ଷୀଙ୍କୁ ମୁକ୍ତ କରିଦେଲା । ଏହି ଘଟଣା ପରେ କାଉଟି ନିଜର ଭୁଲ୍ ବୁଝିପାରିଲା ଏବଂ ଜାଣିଲା ଯେ କେବେ ବି ଅହଂକାର କରିବା ଉଚିତ୍ ନୁହେଁ କିମ୍ବା କାହାର ସଦୁପଦେଶକୁ ଅଣଦେଖା କରିବା ଉଚିତ୍ ନୁହେଁ ।




