ଚତୁର ମୂଷା ଓ ବୋକା ବିଲେଇ
ଆଈମା କାହାଣୀପେଡିରେ ଏଭଳି ଅନେକ ଗଳ୍ପ ରହିଛି, ଯାହା ସମସ୍ତଙ୍କୁ ପସନ୍ଦ ଆସିଥାଏ । ସେହିଭଳି ଏହି କାହାଣୀଗୁଡିକ ମଜା ମଜାରେ ସମସ୍ତଙ୍କୁ ଅନେକ କିଛି ଶିଖାଇଥାଏ । ଆଜି ବି ଏଭଳି କାହାଣୀ ରହିଛି ଯାହା ନୀତିଶିକ୍ଷା ପ୍ରଦାନ କରିବାସହ ମନୋରଞ୍ଜନ କରିଥାଏ ।
ଗୋଟିଏ ଛୋଟ ଗାଁରେ ଜଣେ ବୁଢ଼ୀ ମାଉସୀ ରହୁଥିଲେ। ଦିନେ ମାଉସୀ ବହୁତ ଶ୍ରଦ୍ଧାରେ ଚାଉଳ ଓ ଗୁଆଘିଅ ଦେଇ ବଢ଼ିଆ ସୁଗନ୍ଧିତ ଖିରି ରାନ୍ଧିଲେ। ଗରମ ଖିରି ହାଣ୍ଡିକୁ ଚୁଲି ପାଖରେ ରଖି ସେ ବାଡ଼ି ପଟକୁ କାମ କରିବାକୁ ଗଲେ। ଠିକ୍ ସେତିକି ବେଳେ ଘର କଣରୁ ବାହାରି ଆସିଲା ଗୋଟିଏ କୁନି ମୂଷା। ଖିରିର ବାସ୍ନାରେ ତା’ ଜିଭରୁ ପାଣି ଆସିଗଲା। ସେ ଭାବିଲା, "ଆଜି ଟିକେ ଭୋଜି କରିଦେବି!" ମୂଷାଟି ହାଣ୍ଡି ଭିତରେ ମୁଣ୍ଡ ପୁରାଇ ଏତେ ଖିରି ଖାଇଲା ଯେ ତା’ ପେଟଟି ଢୋଲ ଭଳି ଫୁଲିଗଲା। ସେ ଆଉ ଚାଲି ମଧ୍ୟ ପାରିଲାନି। ଅଚାନକ ସେଠାରେ ପହଞ୍ଚିଗଲା ଏକ ବଡ଼ କଳା ବିଲେଇ। ବିଲେଇଟି ମିଆଁଉ କରି କହିଲା, "ଆହା! ଆଜି ତ ମୋର ଦୁଇଟା ଭୋଜି ହେବ— ପ୍ରଥମେ ଖିରି ଆଉ ତା’ପରେ ଗରମ ଗରମ ମୂଷା ମାମୁଁ!" ମୂଷାଟି ପ୍ରଥମେ ଡରିଗଲା, କିନ୍ତୁ ସେ ଥିଲା ଖୁବ୍ ବୁଦ୍ଧିମାନ। ସେ ଧୀରେ କହିଲା, "ବିଲେଇ ନନା! ତୁମେ କ’ଣ ଏମିତି ଅସନା ହୋଇ ମୋତେ ଖାଇବ? ମୁଁ ତ ଏବେ ଖିରି ଖାଇ ପୂରା ରାଜା ଭଳି ହୋଇଛି। ତୁମେ ବରଂ ପୋଖରୀରୁ ଟିକେ ଗାଧୋଇ ଆସ, ତା’ପରେ ମୋତେ ଖାଇଲେ ତୁମକୁ ଭାରି ସୁଆଦ ଲାଗିବ।" ବୋକା ବିଲେଇଟି ଭାବିଲା, "ମୂଷା ତ ଠିକ୍ କହୁଛି।" ସେ ତୁରନ୍ତ ଗାଧୋଇବାକୁ ଦୌଡ଼ିଲା। ବିଲେଇ ଯିବା ମାତ୍ରେ ମୂଷା ମାମୁଁ ନିଜର ଫୁଲା ପେଟକୁ ଧରି କୌଣସି ପ୍ରକାରେ ନିଜ ଗାତ ଭିତରେ ପଶିଗଲା। ବିଲେଇଟି ଗାଧୋଇ ସାରି ଫେରିଲା ବେଳକୁ ଚୁଲି ପାଖ ଖାଲି! ସେଦିନଠାରୁ ବିଲେଇଟି ମୁଣ୍ଡରେ ହାତ ଦେଇ ବସିଛି। ତେଣୁ ବୁଦ୍ଧି ବଳରେ ବଡ଼ରୁ ବଡ଼ ବିପଦକୁ ମଧ୍ୟ ଏଡ଼ାଇ ଦିଆଯାଇପାରେବୋଲି ଏହି ଗଳ୍ପଟି ଶିକ୍ଷା ଦେଇଥାଏ ।



