ଭୁଲ ବୁଝିଲା କାଠୁରିଆ
ଆଈମା ପେଡିରେ ଏଭଳି ଅନେକ ଗପ ରହିଥାଏ ଯାହା ଆମକୁ ଆମ ପରିବେଶର କିଭଳି ଯତ୍ନ ନେବା ସେନେଇ ଶିକ୍ଷା ଦେଇଥାଏ । କିଭଳି ମଣିଷଙ୍କ ଭଳି ଜଙ୍ଗଲରେ ଥିବା ଗଛ ଓ ପଶୁଙ୍କର ମଧ୍ୟ ଜୀବନ ରହିଛି । ସେମାନେ ଆମ ଜୀବନ ପାଇଁ କେତେ ଗୁରୁତ୍ବ ପୂର୍ଣ୍ଣ ଏହି ଗପ ମାଧ୍ୟମରେ ଶିକ୍ଷା ମିଳିଥାଏ ।
ଏହିଭଳି ଅନେକ ଗପ ରହିଛି ଯାହା ଆମକୁ ଜୀବନର ଅନେକ ମୂଲ୍ୟବାନ ଶିକ୍ଷା ଦେଇଥାଏ । ସେହିଭଳି ଏକ ଗପ ହେଲା ଭୁଲ ବୁଝିଲା କାଠୁରିଆ । ଗୋଟିଏ ବଣରେ ସମସ୍ତ ଜୀବଯନ୍ତୁ ମିଳିମିଶି ରହୁଥିଲେ । ଦିନେ ସକାଳୁ ସକାଳୁ ବଣରେ ଶାରୀ ଆସି ଖବର ଦେଲା ଜଣେ କାଠୁରିଆ ତାର କୁରାଢୀ ଧରି ଆସୁଛି । ତାକୁ ଦେଖି ଲାଗୁଛି ସେ ବଡବଡ ଗଛ କାଟିନେବ । ଶାରୀ ଏକଥା କହିବା ପରେ ଚାରିଆଡେ ଏହା ବ୍ୟାପିଗଲା । ପଶୁପକ୍ଷୀଙ୍କ ଭିତରେ ଭାଳେଣି ପଡିଲା । ସମସ୍ତେ ଜଙ୍ଗଲର ବଡ ଗଛ ପାଖରେ ଏକାଠି ହେଲେ । ଯଦି କାଠୁରିଆ ବଡଗଛ କାଟିନେବ ତେବେ ପାରା, ଗୁଣ୍ଡୁଚି, କାଉ କେଉଁଠାରେ ରହିବେ । ଖାଇବେ କଣ । ଗଛ କଟାହେବା ଫଳରେ ସେମାଙ୍କ ଘର ଭାଙ୍ଗିଯିବ । ଏହାରି ଭିତରେ ମାଙ୍କଡ କହିଲା ମଣିଷମାନେ ଭାରି ସ୍ବାର୍ଥପର । ସେମାନେ ଗଛ କାଟିନେଇ କାଠ ବିକ୍ରିକରି ପଇସା ରୋଜଗାର କରିବେ । ସେହିଭଳି ହାତୀ କହିଲା ଗଛ ନଥିଲେ ମୁଁ ଖାଇବି କଣ । ପାରା କାନ୍ଦିକାନ୍ଦି କହିଲା ସେ ରହିବ କେଉଁଠି । ଏହିଭଳି ଭାବେ ସେମାନଙ୍କ ଭିତରେ ଆଲୋଚନା ଜାରି ରହିଲା । ତେବେ ଏହାରି ଭିତରେ ମୟୂର ଏକ ଉପାୟ କାଢିଲା । ସେ କହିଲା ଚାଲ ଏ ଗଛକୁ ସଜାଇବା, ଏଥିରେ ଫୁଲ ଫଳ ଭରିଦେବା । ଯେପରି ଏହା ଖୁବ ସୁନ୍ଦର ଦେଖାଯିବ । ମୟୂରର ଏହି ଉପାୟ ସମସ୍ତଙ୍କ ମନକୁ ଖୁବ ପାଇଲା । ସମସ୍ତେ ଏଥିରେ ହଁ ଭରିଲେ । ଏପରି କରିବା ପରେ ଅନେକ ମହୁମାଛି ସେହି ଗଛରେ ଆସି ବସା ବାନ୍ଧି ଘର କରିଲେ । ତେବେ କିଛି ଦିନ ପରେ କାଠୁରିଆ ନିଜ ଝିଅକୁ ସାଙ୍ଗରେ ଧରି ସେଠାରେ ପହଞ୍ଚିଲା । ସେଠାରେ ଦେଖିଲା ଗଛଟି ଫୁଲ ଫଳରେ ଭରି ରହିଛି । ଗଛ ପାଖରେ ପଶୁପକ୍ଷୀମାନେ ମନ ଦୁଃଖରେ ବସିଛନ୍ତି । ଏହା ଦେଖି କାଠୁରିଆର ଝିଅ ତାକୁ ଗଛ ନକାଟିବାକୁ ଅନୁରୋଧ କଲା । କହିଲା ବାପା ଗଛ ଏମାନଙ୍କର ଘର ଭଳି । ଆମ ଘର ଭାଙ୍ଗିଗଲେ ଆମକୁ କେତେ କଷ୍ଟ ହେଉଛି, ଠିକ ସେହିଭଳି ଏହି ସୁନ୍ଦର ଘରଟି ଭାଙ୍ଗିଗଲେ ସେମାନଙ୍କୁ ମଧ୍ୟ କଷ୍ଟ ହେବ । ସେହିଭଳି ମୁଁ ସ୍କୁଲରେ ପଢିଛି ଗଛ ଆମର ଅନେକ କାମରେ ଆସେ । ଗଛ ଆମକୁ ଅମ୍ଳଜାନ ପ୍ରଦାନ କରିଥାଏ, ତେଣୁ ତୁମେ ଏହି ଗଛ ଟିକୁ କାଟନାହିଁ । ଏହାପରେ କାଠୁରିଆ ନିଜ ଭୁଲ ବୁଝିଲା ଏବଂ ଗଛ ନକାଟି ଫେରିଗଲା ।


