ପୋଷଣରେ ଭରପୂର ପଣସ
ଖରା ଓ ବର୍ଷା ଦିନେ ମିଳୁଥିବା ପୁଷ୍ଟିକର ଫଳ ପଣସକୁ ଏହାର ସ୍ୱାଦ ଏବଂ ଗୁଣ ପାଇଁ 'ପୋଷକ ତତ୍ତ୍ୱର ଗନ୍ତାଘର' ବୋଲି କୁହାଯାଏ । ଏଥିରେ ଥିବା ଫାଇବର, ଭିଟାମିନ୍ ସି, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଓ ଆଣ୍ଟି-ଅକ୍ସିଡାଣ୍ଟ ଆଦି ପାଚନ କ୍ରିୟା, ରୋଗ ପ୍ରତିରୋଧକ ଶକ୍ତି ଏବଂ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ‘ଇଣ୍ଟରନ୍ୟାସନାଲ୍ ଜର୍ଣ୍ଣାଲ୍ ଅଫ୍ ଫୁଡ୍ ସାଇନ୍ସ’ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ପଣସରେ ପ୍ରୋଟିନ୍, ଭିଟାମିନ୍, ମିନେରାଲ୍ସ ଓ ଫାଇଟୋକେମିକାଲ୍ସ ଭଳି ଉପାଦାନ ରହିଛି, ଯାହା ଶରୀରର ଇନଫ୍ଲାମେସନ କମାଇବା, ବ୍ୟାକ୍ଟେରିଆ ବିରୋଧରେ ଲଢ଼ିବା ଏବଂ କ୍ୟାନ୍ସର ଆଶଙ୍କା ହ୍ରାସ କରିବାରେ ସହାୟକ ହୋଇଥାଏ । ବିଶେଷଜ୍ଞଙ୍କ ଅନୁସାରେ, ପ୍ରତିଟି ପୁଷ୍ଟିକର ଜିନିଷ ସମସ୍ତଙ୍କ ପାଇଁ ଲାଭଦାୟକ ହେବା ଜରୁରୀ ନୁହେଁ, କାରଣ କିଛି ଲୋକଙ୍କ କ୍ଷେତ୍ରରେ ପଣସ ଯୋଗୁଁ ଆଲର୍ଜି ବା ପାଚନ ଜନିତ ସମସ୍ୟା ଦେଖାଦେଇପାରେ । ସେହିଭଳି କଞ୍ଚା ଓ ପାଚିଲା ପଣସର ପୋଷକ ମୂଲ୍ୟ ସମାନ ନଥାଏ । କଞ୍ଚା ପଣସରେ ଷ୍ଟାର୍ଚ ଓ ଫାଇବରର ମାତ୍ରା ଅଧିକ ଥିବାରୁ ଏହାର ଗ୍ଲାଇସେମିକ୍ ଇଣ୍ଡେକ୍ସ କମ୍ ଥାଏ ଏବଂ ଏହା ରକ୍ତରେ ଶର୍କରା ବା ବ୍ଲଡ୍ ସୁଗାର୍କୁ ଶୀଘ୍ର ବଢ଼ିବାକୁ ଦିଏନାହିଁ । ସେହିପରି ପଣସ ପାଚିବା ପରେ ଏହାର ଷ୍ଟାର୍ଚ ପ୍ରାକୃତିକ ସୁଗାର୍ରେ ପରିଣତ ହୋଇଯାଇଥାଏ । ତେଣୁ ଏହାକୁ ଖାଇବା ପୂର୍ବରୁ ନିଜ ସ୍ବାସ୍ଥ୍ୟ ସମ୍ଭନ୍ଧୀୟ ତଥ୍ୟ ଡାକ୍ତରଙ୍କ ପାଖରୁ ନିଅନ୍ତୁ, ଯେ ଆପଣ ଏହାକୁ କେଉଁ ପ୍ରକାରରେ ଖାଇପାରିବେ ପାଚିଲା ନା କଞ୍ଚା ।




