ଆଜି ନୁହେଁ କାଲି
ଆଈ ମା କାହଣୀ ପେଡିରୁ ଅନେକ ଶିକ୍ଷା ଆମକୁ ମିଳିଥାଏ । ଯେଉଁ କାହାଣୀ ଗୁଡିକରେ ଜୀବନ ବଞ୍ଚିବାର ଅନେକ ଶିକ୍ଷା ରହିଥାଏ । ଯାହାକୁ ପିଲାମାନେ ଶୁଣିଶୁଣି ଅନେକ କିଛି ଶିଖନ୍ତି ।
ନଦୀକୂଳିଆ ଏକ ସୁନ୍ଦର ଗାଁରେ ସୁମନ୍ତ ନାମକ ଜଣେ ଅତ୍ୟନ୍ତ ଆଳସ୍ୟ ପରାୟଣ ବାଳକ ରହୁଥିଲା, ଯାହାର ସବୁଠାରୁ ବଡ଼ ଅଭ୍ୟାସ ଥିଲା ଆଜିର କାମକୁ ଆସନ୍ତାକାଲି ଉପରକୁ ଟାଳିଦେବା । ସ୍କୁଲ୍ ପାଠ ହେଉ, ଘରର ଛୋଟମୋଟ କାମ ହେଉ କିମ୍ବା ନିଜର ଆବଶ୍ୟକ ଜିନିଷ ସାଉଁଟିବା ହେଉ, ସେ ସବୁବେଳେ ହସି ହସି ଗୋଟିଏ କଥା କହୁଥିଲା— "ଆଜି ନୁହେଁ, କାଲି କରିବି।" ଦିନେ ସ୍କୁଲ୍ର ପ୍ରଧାନଶିକ୍ଷକ ସମସ୍ତ ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ପାଇଁ ଚିତ୍ର ଜମା କରିବାର ଶେଷ ତାରିଖ ଘୋଷଣା କଲେ । ସୁମନ୍ତ ଖୁବ୍ ସୁନ୍ଦର ଛବି ଆଙ୍କିପାରୁଥିଲା, ତେଣୁ ସେ ଭାବିଲା ସେ ନିଶ୍ଚୟ ପ୍ରଥମ ପୁରସ୍କାର ଜିତିବ । ମାତ୍ର ପ୍ରତିଦିନ ସନ୍ଧ୍ୟାରେ ଛବି ଆଙ୍କିବାକୁ ବସିବା ବେଳେ ସେ ନିଜ ସାଙ୍ଗମାନଙ୍କ ସହ ଖେଳିବାକୁ ପଳାଉଥିଲା । ମନକୁ ମନ ବୁଝାଇ ଦେଉଥିଲା ଯେ "ଆଜି ନୁହେଁ କାଲି ଆଙ୍କିବି, କାଲି ତ ପୂରା ଦିନ ପଡ଼ିଛି ।" ଏହିପରି ଭାବେ 'ଆଜି ନୁହେଁ କାଲି' କହୁ କହୁ ପ୍ରତିଯୋଗିତାର ଶେଷ ରାତି ଆସି ପହଞ୍ଚିଗଲା । ସେହି ରାତିରେ ସୁମନ୍ତ ହଡ଼ବଡ଼େଇ ଶୀଘ୍ର ଶୀଘ୍ର ରଙ୍ଗ ଓ ତୁଳୀ ଧରି ବସିଲା ସତ, ମାତ୍ର ଅତି ଅସାବଧାନତା ଓ ତରବରିଆ କାମ ଯୋଗୁଁ ତା'ର ସୁନ୍ଦର ଚିତ୍ରଟି ଉପରେ ରଙ୍ଗ ଢାଳିହୋଇ ଚିତ୍ରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା । ପରଦିନ ସ୍କୁଲ୍ରେ ଯେତେବେଳେ ଅନ୍ୟ ସାଙ୍ଗମାନେ ପୁରସ୍କୃତ ହେଲେ, ସୁମନ୍ତ ଖାଲି ହାତରେ ଛିଡ଼ା ହୋଇ ସବୁ କାମ କାଲି କରିବାର କୁଅଭ୍ୟାସ ପାଇଁ ଅନୁତାପ କଲା । ସେହିଦିନଠାରୁ ସେ ବୁଝିପାରିଲା ଯେ ସମୟ କାହା ପାଇଁ ରହେନାହିଁ ଏବଂ 'ଆଜି ନୁହେଁ କାଲି' କହି କାମ ଟାଳିବା ଦ୍ୱାରା କେବଳ କ୍ଷତି ହିଁ ହୋଇଥାଏ । ତେଣୁ ସେ ନିଜର ଏହି ଅଭ୍ୟାସ ବଦଳାଇ ଆଜିର କାମ ଆଜି ହିଁ ଶେଷ କରିବାକୁ ସଂକଳ୍ପ ନେଲା ।




