ନୋବେଲ ବିଜେତା ମାରିଆ
ନିକଟରେ ଘୋଷଣା ହୋଇଛି ଶାନ୍ତିରେ ନୋବେଲ ପୁରସ୍କାର । ଚଳିତ ବର୍ଷ ଶାନ୍ତିରେ ନୋବେଲ ପୁରସ୍କାର ପାଇଛନ୍ତି ମାରିଆ କୋରିନା ମାଚାଡୋ, ଯାହାଙ୍କୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଆରମ୍ଭ ହୋଇଛି । ସାରା ବିଶ୍ବରେ ସେ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବ୍ୟକ୍ତିତ୍ବ ପାଲଟିଯାଇଛନ୍ତି । ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ନୋବେଲ ପ୍ରାଇଜ ଘୋଷଣା କରାଯାଇଥିଲା । ହେଲେ ଚଳିତ ଥର ନୋବେଲ ପୁରସ୍କାର ଦୌଡରେ ସାମିଲ ଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, […]
ନିକଟରେ ଘୋଷଣା ହୋଇଛି ଶାନ୍ତିରେ ନୋବେଲ ପୁରସ୍କାର । ଚଳିତ ବର୍ଷ ଶାନ୍ତିରେ ନୋବେଲ ପୁରସ୍କାର ପାଇଛନ୍ତି ମାରିଆ କୋରିନା ମାଚାଡୋ, ଯାହାଙ୍କୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଆରମ୍ଭ ହୋଇଛି । ସାରା ବିଶ୍ବରେ ସେ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବ୍ୟକ୍ତିତ୍ବ ପାଲଟିଯାଇଛନ୍ତି ।
ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ନୋବେଲ ପ୍ରାଇଜ ଘୋଷଣା କରାଯାଇଥିଲା । ହେଲେ ଚଳିତ ଥର ନୋବେଲ ପୁରସ୍କାର ଦୌଡରେ ସାମିଲ ଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଯାହାପରେ ଏହା ଟିକେ ଅଧିକ ଚର୍ଚ୍ଚିତ ହୋଇଥିଲା । ଟ୍ରମ୍ପ ଏହାର ଶାନ୍ତି ବିଭାଗ ପାଇଁ ନିଜ ନାଁକୁ ଆଗକୁ ଆଣିଥିଲେ । ବିଗତ କିଛି ଦିନ ଭିତରେ ସେ ଅନେକ ଦେଶଙ୍କ ଭିତରେ ଯୁଦ୍ଧ ବନ୍ଦ କରିବାରେ ମୁଖ୍ୟ ଭୂମିକା ନେଇଥିବାନେଇ ଘୋଷଣା କରିବା ଆରମ୍ଭ କରିଥିଲେ । ହେଲେ ଟ୍ରମ୍ପଙ୍କର ଏହି ସମସ୍ତ ଆଶା ପାଣି ଫାଟିଯାଇଥିଲା ଯେତେବେଳେ ନୋବେଲ ଶାନ୍ତି ପୁରସ୍କାର ମାରିଆ କୋରିନା ମାଚାଡୋ ପେରିସ୍କାଙ୍କୁ ମିଳିଥିଲା । ୭ ଅକ୍ଟୋବର ୧୯୬୭ରେ ଜନ୍ମିତ ମାରିଆ ହେଉଛନ୍ତି ଜଣେ ଭେନେଜୁଏଲାର ରାଜନେତ୍ରୀ ଓ ଔଦ୍ୟୋଗିକ ଇଞ୍ଜିନିୟର, ଯିଏ ବର୍ତ୍ତମାନ ଭେନେଜୁଏଲା ବିପକ୍ଷର ନେତୃତ୍ୱ ନେଇଛନ୍ତି। ସେ ୨୦୧୧ ରୁ ୨୦୧୪ ପର୍ଯ୍ୟନ୍ତ ଭେନେଜୁଏଲାର ଜାତୀୟ ସଭାର ନିର୍ବାଚିତ ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ।
ମାରିଆଙ୍କ ଜନ୍ମ ଖ୍ୟାତନାମା ଇସ୍ପାତ ଉଦ୍ୟୋଗପତି ହେନ୍ରିକେ ମାଚାଡୋ ଜୁଲୋଆଗା ଏବଂ ମନୋବିଜ୍ଞାନୀ କୋରିନା ପାରିସ୍କା ପେରେଜଙ୍କ ଔରସରୁ ହୋଇଥିଲା । ସେ କାରାକାସ୍ର ଏକ ପ୍ରସିଦ୍ଧ କାଥଲିକ ଝିଅମାନଙ୍କ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିଥିଲେ ଏବଂ ପରେ ଯୁକ୍ତରାଷ୍ଟ୍ରର ମାସାଚୁସେଟସ୍ର ୱେଲସ୍ଲେ ସ୍ଥିତ ଡାନା ହଲ୍ ବୋର୍ଡିଂ ସ୍କୁଲରେ ଅଧ୍ୟୟନ କରିଥିଲେ । ପରେ, ମାରିଆ ଆନ୍ଦ୍ରେସ୍ ବେଲୋ କାଥଲିକ ୟୁନିଭର୍ସିଟିରୁ ଔଦ୍ୟୋଗିକ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ଲାଭ କଲେ ଏବଂ ପରବର୍ତ୍ତୀକାଳରେ ଇନଷ୍ଟିଟ୍ୟୁଟ୍ ଅଫ୍ ଆଡଭାନ୍ସଡ୍ ଷ୍ଟଡିଜ୍ ଇନ୍ ଆଡମିନିଷ୍ଟ୍ରେସନ୍ (IESA) ରେ ଅର୍ଥନୀତି (ଫାଇନାନ୍ସ)ରେ ସ୍ନାତକୋତ୍ତର ଶିକ୍ଷା ସମ୍ପୂର୍ଣ୍ଣ କଲେ । ବିଶ୍ୱବିଦ୍ୟାଳୟ ଶିକ୍ଷା ଶେଷ ପରେ, ମାରିଆ ନିଜ ପରିବାରର ଇସ୍ପାତ କମ୍ପାନୀ ସିଭେନସା (Sivensa) ରେ ନିଜ କାର୍ଯ୍ୟଜୀବନ ଆରମ୍ଭ କଲେ ।

ରାଜନୈତିକ ଜୀବନ
ମାରିଆ ୨୦୦୨ ମସିହାରେ ଆଲେଖାଣ୍ଡ୍ରୋ ପ୍ଲାଜା ସହିତ “ସୁମାଟେ” ନାମକ ଭୋଟ ନିରୀକ୍ଷଣ ସଂଗଠନର ସହସଂସ୍ଥାପକ ଓ ନେତ୍ରୀ ଭାବେ ରାଜନୀତିରେ ପ୍ରବେଶ କରିଥିଲେ । ସେ “ଭେଣ୍ଟେ ଭେନେଜୁଏଲା” ନାମକ ରାଜନୈତିକ ଦଳର ଜାତୀୟ ସମନ୍ୱୟକାରୀ । ୨୦୧୮ ମସିହାରେ, ସେ ବିବିସି ଦ୍ବାରା ଜାରି ହୋଇଥିବା “ବିଶ୍ବର ପ୍ରଭାବଶାଳୀ ୧୦୦ ନାରୀ” ତାଲିକାରେ ତାଙ୍କ ନାମ ସ୍ଥାନ ପାଇଥିଲା । ୨୦୨୫ ମସିହାରେ ଟାଇମ ପତ୍ରିକାରେ ତାଙ୍କୁ ବିଶ୍ୱର ୧୦୦ ଅଧିକ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ମଧ୍ୟରେ ଗଣନା କରାଯାଇଥିଲା । ମାରିଆଙ୍କୁ ଭେନେଜୁଏଲାର ବିପକ୍ଷର ଜଣେ ପ୍ରମୁଖ ନେତ୍ରୀ ଭାବେ ପରିଗଣିତ କରାଯାଇଥାଏ । ମାରିଆ ୨୦୧୨ ମସିହାରେ ଭେନେଜୁଏଲା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ଥିଲେ, କିନ୍ତୁ ହେନ୍ରିକେ କାପ୍ରିଲେସଙ୍କ ସହିତ ବିପକ୍ଷ ମୁଖ୍ୟ ନିର୍ବାଚନରେ ପରାଜିତ ହୋଇଥିଲେ । ୨୦୧୪ ଭେନେଜୁଏଲା ପ୍ରତିବାଦ ସମୟରେ ସେ ନିକୋଲାସ ମାଦୁରୋ ସରକାର ବିରୋଧରେ ଆନ୍ଦୋଳନର ଏକ ପ୍ରମୁଖ ନେତ୍ରୀ ପାଲଟିଥିଲେ । ସେ ୨୦୨୩ ମସିହାରେ “ୟୁନିଟାରି ପ୍ଲାଟଫର୍ମ” ପ୍ରାରମ୍ଭିକ ନିର୍ବାଚନରେ “ଭେଣ୍ଟେ ଭେନେଜୁଏଲା” ପକ୍ଷରୁ ପ୍ରାର୍ଥୀ ଥିଲେ, କିନ୍ତୁ ୩୦ ଜୁନ ୨୦୨୩ ରେ ଭେନେଜୁଏଲାର ନିୟନ୍ତ୍ରକ ଜେନେରାଲ ତାଙ୍କୁ ପନ୍ଦର ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କଲେ । ପ୍ରାରମ୍ଭିକ ନିର୍ବାଚନରେ ବିଜୟ ପାଇବା ପରେ ସେ ୨୦୨୪ ର ରାଷ୍ଟ୍ରପତି ନିର୍ବାଚନ ପାଇଁ ବିପକ୍ଷ ପ୍ରାର୍ଥୀ ଘୋଷିତ ହେଲେ, କିନ୍ତୁ ୨୨ ମାର୍ଚ୍ଚ ୨୦୨୪ ରେ ତାଙ୍କ ସ୍ଥାନରେ କୋରିନା ଯୋରିସଙ୍କୁ ପ୍ରାର୍ଥୀ କରାଗଲା । ଯୋରିସଙ୍କୁ ପ୍ରାର୍ଥୀ ଭାବେ ନାମ ପଞ୍ଜୀକରଣ କରିବାକୁ ନିଷେଧ କରାଗଲା ଏବଂ ଅସ୍ଥାୟୀ ଭାବେ ଏଡମୁଣ୍ଡୋ ଗୋନଜାଲେଜ ଉରୁଟିଆ ତାଙ୍କ ସ୍ଥାନରେ ପ୍ରାର୍ଥୀ ହେଲେ ।

ହିଂସାର ଶିକାର
ଦ ନ୍ୟୁୟର୍କ ଟାଇମ୍ସ ଅନୁସାରେ “ଭେନେଜୁଏଲାରେ ରହି ରାଜନୈତିକ ସଂଘର୍ଷ କରିବା ବାବଦରେ ମାରିଆ ଅଦମ୍ୟ ସାହାସ ଦେଖାଇଥିଲେ । ଯେତେବେଳେ ଭୟରେ ଅନ୍ୟାନ୍ୟ ରାଜନେତାମାନେ ଦେଶ ଛାଡ଼ି ଯାଇଥିଲେ, ସେତେବେଳେ ହିଂସାର ଶିକାର ହୋଇ ମଧ୍ୟ ସେ ସରକାରଙ୍କ ଏକଛତ୍ରବାଦ ବିରୋଧରେ ଅଭିଯାନ ଚଳାଇଥିଲେ । ତେଣୁ ମାରିଆଙ୍କୁ “ଆଇରନ୍ ଲେଡି” ବୋଲି ବର୍ଣ୍ଣନା କରାଯାଇଛି । ୨୦୧୧ ଜୁଲାଇ ୫ ତାରିଖରେ ଭେନେଜୁଏଲାର ସ୍ବାଧୀନତା ଘୋଷଣାର ଦ୍ୱିଶତବାର୍ଷିକ ଉତ୍ସବରେ ଯୋଗଦେବା ବେଳେ, ଭେନେଜୁଏଲାର କ୍ୟୁବା ଉପରେ ନିର୍ଭରଶୀଳତାକୁ ନେଇ ସେ କିଛି ବିବାଦସ୍ପଦ ମତାମତ ଦେଇଥିଲେ । ଏହା ପରେ ସରକାରପକ୍ଷର ଏକ ଦଳ ତାଙ୍କୁ ଆକ୍ରମଣ କରିଥିଲେ । ନିଜର ଅଦମ୍ୟ ସାହସ ଓ ଦେଶ ପାଇଁ କରିଥିବା କାର୍ଯ୍ୟ ପାଇଁ ମାରିଆଙ୍କୁ ଅନେକ ସମ୍ମାନରେ ସମ୍ମାନୀତ କରାଯାଇଛି । ବର୍ତ୍ତମାନ ତାଙ୍କୁ ନୋବେଲ ପ୍ରଦାନ କରାଯାଇ ଶାନ୍ତିର ସେ ଦୂତ ବୋଲି ସାରା ବିଶ୍ବ ସ୍ବୀକାର କରିଛି ।

ସମ୍ମାନ
୧. ମାରିଆଙ୍କୁ ୨୦୦୬ ମସିହାରେ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ନ୍ୟାସନାଲ ରିଭ୍ୟୁ ପତ୍ରିକା ଦ୍ୱାରା ବିଶ୍ୱର ବିଭିନ୍ନ ସ୍ଥାନରେ ଦୁର୍ଦ୍ଦିନରେ ସମ୍ମୁଖୀନ ହେଉଥିବା ସମଗ୍ର ନାରୀଜାତିର ଶ୍ରେଷ୍ଠ ପ୍ରତୀକ ଭାବେ ମାରିଆଙ୍କୁ ସମ୍ମାନିତ କରାଯାଇଥିଲା ।
୨. ୨୦୧୫ ମସିହାରେ ଅନ୍ୟ ଦୁଇଜଣଙ୍କ ସହିତ ମାରିଆଙ୍କୁ ମୌଳିକ ମାନବାଧିକାର ପାଇଁ ଥିବା ତାଙ୍କ ଅବଦାନକୁ ସମ୍ମାନିତ କରାଯାଇଥିଲା । ଏଥିପାଇଁ ତାଙ୍କୁ କାଡିଜ୍ କୋର୍ଟେସ୍ ଇବେରୋ-ଅମେରିକାନ ଫ୍ରିଡମ୍ ପ୍ରାଇଜ୍ ପ୍ରଦାନ କରାଯାଇଥିଲା ।
୩. ଏଡମୁଣ୍ଡୋ ଗୋଞ୍ଜାଲେଜ୍ ଓ ମାରିଆଙ୍କୁ ୨୪ ଅକ୍ଟୋବର ୨୦୨୪ରେ ୟୁରୋପିୟ ସଂସଦ ଦ୍ୱାରା ସାଖାରୋଭ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ସଭାରେ ମାରିଆଙ୍କୁ ଭେନେଜୁଏଲାର ଲୋକମାନଙ୍କ ପକ୍ଷରୁ ସ୍ୱାଧୀନତା ଓ ଲୋକତନ୍ତ୍ରର ପୁନସ୍ଥାପନ ପାଇଁ ଲଢ଼ୁଥିବା ପ୍ରତିନିଧି ଭାବେ ସମ୍ମାନିତ କରାଯାଇଥିଲା । ଏହା ତାଙ୍କର ସର୍ବଶ୍ରେଷ୍ଠ ସମ୍ମାନ ବୋଲି ସେ ଅନେକଥର ମତ ଦେଇଛନ୍ତି ।
୪. ୧୦ ଅକ୍ଟୋବର ୨୦୨୫ ରେ, ତାଙ୍କୁ ବିଶ୍ବର ସର୍ବଶ୍ରେଷ୍ଠ ସମ୍ମାନ ନୋବେଲ ଶାନ୍ତି ପୁରସ୍କାର ଦିଆଯିବା ନେଇ ଘୋଷଣା କରାଯାଇଛି । -ପୁରସ୍କାର ପାଇବା ପରେ ମାରିଆଙ୍କ ମନୋଭାବ ସମସ୍ତଙ୍କ ମନକୁ ବେଶ ପାଇଥିଲା । ସେ ନିଜ ପୁରସ୍କାରକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଉତ୍ସର୍ଗ କରିଥିଲେ । ଏହି ସମୟରେ ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠା ଦିଗରେ ଟ୍ରମ୍ପଙ୍କ ଗୁରୁତ୍ବପୂର୍ଣ୍ଣ ସମର୍ଥନ ତାଙ୍କୁ ସବୁବେଳେ ଉତ୍ସାହିତ କରିଛି ବୋଲି ମତ ଦେଇଥିଲେ ।




