ନିଳାଦ୍ରୀ ବିଜେ

ନିଳାଦ୍ରୀ ବିଜେ
Ipsita Picture
By: Ipsita
Published On

 

ପରମ୍ପରା ଅନୁଯାୟୀ ଠାକୁରମାନଙ୍କ ସୁନାବେଶ ଓ ଅଧରପଣାର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରତ୍ନ ସିଂହାସନାଧିଷ୍ଠିତ ହୋଇଥାନ୍ତି । ଅନେକ ବର୍ଷ ହେବ ତ୍ରୋୟଦଶୀ ତିଥିରେ ନୀଳାଦ୍ରି ବିଜେ ହୋଇଆସୁଛି । ନୀଳାଦ୍ରି ବିଜେ ପହଣ୍ଡି ବିଜେ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଦଇତାପତି ନିଯୋଗ ସହ ଏ ସମ୍ବନ୍ଧରେ ଆଲୋଚନା କରାଯାଇ ପହଣ୍ଡି ହୋଇଥାଏ । ନୀଳାଦ୍ରି ବିଜେ ଦିନ ରଥ ଉପରେ ଠାକୁରମାଙ୍କର ସନ୍ଧ୍ୟା ଧୂପ ନୀତି ସରିବା ପରେ ପ୍ରତି ରଥରେ ଚାରମାଳ ବନ୍ଧା ଯାଇଥାଏ । ପ୍ରଥମେ ବିଜେ କାହାଳି ବାଜିବା ପରେ ବନ୍ଦାପନା ଓ ଡୋରି ଲାଗି ନୀତି ହୋଇଥାଏ । ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ହସ୍ତରେ ଧରି ଦକ୍ଷିଣି ଘରକୁ ବିଜେ କରାଇଥାନ୍ତି । ତତ୍ପରେ ଗୋଟି ପହଣ୍ଡି କ୍ରମରେ ସୁଦର୍ଶନ , ବଳଭଦ୍ର, ସୁଭଦ୍ରାଙ୍କ ପହଣ୍ଡି ହୋଇ ଗମ୍ଭୀରାକୁ ବିଜେ କରାଯାଏ । ପହଣ୍ଡି ବିଜେ ପୂର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧାଯାଏ ଓ ଅଖଣ୍ଡ ବଇଠା ବସେ। ଠାକୁରମାନେ ପହଣ୍ଡିରେ ଆସିବାବେଳେ ମନ୍ଦିର ପରିସରସ୍ଥ ଶୁଆଶାରୀ ଦେଉଳଠାରେ ପ୍ରସାଦ ଲାଗି, ଘସା, ବିଡିଆ ମଣୋହି ଓ ବନ୍ଦାପନା ନୀତି ହୋଇଥାଏ । ଜଗମୋହନଠାରେ ମଧ୍ୟ ଏହି ନୀତି ପାଳିତ ହୋଇଥାଏ । ସୂଚନାଯୋଗ୍ୟ ଯେ, ଗୁଣ୍ଡିଚା ମନ୍ଦିରଠାରେ ରଥ ଉପରୁ ଠାକୁରମାନେ ଗୁଣ୍ଡିଚା ଘର ରତ୍ନସିଂହାସନକୁ ପହଣ୍ଡି ବିଜେ କରିବା ସମୟରେ ରଥ ଉପରେ ଯେଉଁ ପ୍ରକାର ନୀତି ଅନୁସୃତ ହୋଇଥାଏ, ଠିକ୍ ସେହିପରି ସିଂହଦ୍ୱାରଠାରେ ନୀଳାଦ୍ରି ବିଜେ ପହଣ୍ଡିରେ ସମ ନୀତି ପାଳିତ ହୁଏ। ଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ କରି ଚାର ଉପରକୁ ଆସିଲେ ଲକ୍ଷ୍ମୀ ଠାକୁରାଣୀ ଭେଟ ମଣ୍ଡପକୁ ଆସିଥାନ୍ତି। ଉଭୟ ଜଗନ୍ନାଥ ଓ ଲକ୍ଷ୍ମୀ ଠାକୁରାଣୀ ପରସ୍ପରକୁ ଭେଟ ହୋଇଥାନ୍ତି । ଏହାପରେ ଲକ୍ଷ୍ମୀଙ୍କ ତରଫରୁ ଭିତରଚ୍ଛ ବନ୍ଦାପନା ନୀତି ପାଳନ ହୋଇଥାଏ । ଏହି ସମୟରେ ପରମ୍ପରା ଅନୁଯାୟୀ ମହାପ୍ରଭୁ ସିଂହଦ୍ୱାର ନିକଟରେ ପହଞ୍ଚିବା ବେଳେ ସାମୟିକ ଭାବେ ଦ୍ୱାର ବନ୍ଦ ରହିଥାଏ ଓ କିଛି କ୍ଷଣ ପରେ ଦ୍ୱାର ଖୋଲାଯାଏ । ପୁନଶ୍ଚ ଜଗନ୍ନାଥ ମହାପ୍ରଭୁ ଜୟ ବିଜୟ ଦ୍ୱାର ନିକଟରେ ବିଜେ କରିବା ସମୟରେ ଉକ୍ତ ଦ୍ୱାର ଭିତର ପଟୁ ବନ୍ଦ କରାଯାଇଥାଏ। ଲକ୍ଷ୍ମୀ ଠାକୁରାଣୀଙ୍କ ତରଫରୁ ଜୟ ବିଜୟ ଦ୍ୱାରର ଭିତର ପଟେ ଜନୈକ ଦେବଦାସୀ ଏବଂ ମହାପ୍ରଭୁଙ୍କ ତରଫରୁ ଜଣେ ଦଇତାପତି ଦ୍ୱାରର ଅପରପାର୍ଶ୍ୱରେ ରହିବା ସଙ୍ଗେ ସଙ୍ଗେ ଉଭୟଙ୍କ ମଧ୍ୟରେ ଲୋକ ପରମ୍ପରାଗତ ବଚନିକା ପରେ ଜୟ ବିଜୟ ଦ୍ୱାର ଫିଟିଥାଏ । ମହାପ୍ରଭୁ ପହଣ୍ଡି ବିଜେ ବିଜେରେ ଭିତର କାଠ ସମ୍ମୁଖସ୍ଥ ଭଣ୍ଡାର ଘରଠାରେ ପହଞ୍ଚିବା ପରେ ଗଇଁଠାଳ (ଋକ୍ମିଣୀ ବିବାହ କାଳର) ଫିଟେ ଓ ବନ୍ଦାପନା , ରସ ଗୋଲା ଭୋଗ ଇତ୍ୟାଦି ଭିତରଚ୍ଛ ମହାପାତ୍ରଙ୍କଦ୍ୱାରା ସମାହିତ ହୋଇଥାଏ । ଏହା ପରେ ଘସା, ବିଡିଆ ମଣୋହି ସରିଲେ ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରିଥାନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ଗୋଟିଏ ଦିନ ଶ୍ରୀମନ୍ଦିର ଭିତରେ ଜଗନ୍ନାଥ ମହାପ୍ରଭୁଙ୍କ ରସଗୋଲା ଭୋଗ ହୋଇଥାଏ । ଭିତରଚ୍ଛ ମହାପାତ୍ରଙ୍କ ନିଜସ୍ୱ ଗୃହରେ ଅତ୍ୟନ୍ତ ଶୁଦ୍ଧ ପୂତ ଭାବରେ ଏହି ରସଗୋଲା ତିଆରି ହୋଇଥାଏ। କଥିତ ଅଛି ଯେ, ମହାପ୍ରଭୁ ଲକ୍ଷ୍ମୀଦେବୀଙ୍କୁ ରସଗୋଲା ଖୁଆଇ ତାଙ୍କର ମନୋରଞ୍ଜନ କରିଥିଲେ ।

Tags: