ଅନ୍ତିମ ସଂସ୍କାରର ନୂଆ ଉପାୟ
ଶବଦାହ କିମ୍ବା କବର ଦେବା ଭଳି ପାରମ୍ପରିକ ଅନ୍ତିମ ସଂସ୍କାର ପଦ୍ଧତି ବ୍ୟତୀତ ଏବେ ଅନ୍ତିମ ବିଦାୟକୁ ନିଜ ପସନ୍ଦ ଅନୁଯାୟୀ ସ୍ମରଣୀୟ କରୁଛନ୍ତି ଲୋକ । ଏଥିପାଇଁ ଆମେରିକା ଓ ବ୍ରିଟେନ୍ରେ ଲୋକେ ନିଜ ପ୍ରିୟଜନଙ୍କ ଅସ୍ଥିକୁ ମହାକାଶକୁ ପଠାଇବାର ନୂତନ ଉପାୟ ଆପଣାଉଛନ୍ତି । ଏଥିପାଇଁ କିଛି କମ୍ପାନୀ ବିଶେଷ ବେଲୁନ୍ କିମ୍ବା ସ୍ପେସ୍ ମିଶନ୍ ଜରିଆରେ ମହାକାଶର କକ୍ଷପଥ କିମ୍ବା ପୃଥିବୀରୁ ହଜାର ହଜାର ଫୁଟ୍ ଉଚ୍ଚତାରେ ଅସ୍ଥି ଭସ୍ମକୁ ବିଛାଡ଼ି ପକାଉଛନ୍ତି । ସୂଚନା ଅନୁସାରେ ବ୍ରିଟେନ୍ର 'ଅରା ଫ୍ଲାଇଟ୍ସ' ଗତ ୯ ବର୍ଷ ମଧ୍ୟରେ ୩୫୦ରୁ ଅଧିକ ଏବଂ ଆମେରିକାର 'ସେଲେଷ୍ଟିସ୍' ୨,୦୦୦ରୁ ଅଧିକ ଲୋକଙ୍କ ଅସ୍ଥି ମହାକାଶକୁ ପଠାଇସାରିଛନ୍ତି । ଏହିଭଳି ଗୋଟିଏ ଉଡ଼ାଣ ପାଇଁ ପ୍ରାୟ ୫ ରୁ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ, ମହାକାଶ ବ୍ୟତୀତ ଲୋକେ ଅସ୍ଥି ଭସ୍ମରୁ କୃତ୍ରିମ ସାମୁଦ୍ରିକ ପାହାଡ଼ , ହୀରା ଏବଂ ଗଛ ମଧ୍ୟ ତିଆରି କରୁଛନ୍ତି, ଯାହା ଫଳରେ ଏହି ଆଧୁନିକ ବିକଳ୍ପଗୁଡ଼ିକ ଦ୍ରୁତ ଗତିରେ ଲୋକପ୍ରିୟ ହେବାରେ ଲାଗିଛି ।




