ଓଜନ ନିୟନ୍ତ୍ରଣର ନୂଆ ଉପାୟ
ଏକ ଗବେଷଣାରେ ମିଳିଥିବା ତଥ୍ୟ ଅନୁସାରେ ପ୍ରତିଦିନ ସମାନ ଖାଦ୍ୟ ଖାଇବା ଦ୍ୱାରା ଶୀଘ୍ର ଓଜନ କମିପାରେ । 'ହେଲ୍ଥ ସାଇକୋଲୋଜି' ଜର୍ଣ୍ଣାଲରେ ପ୍ରକାଶିତ ଏକ ନୂତନ ଗବେଷଣା ଅନୁଯାୟୀ, ପ୍ରତିଦିନ ସମାନ ପ୍ରକାରର ଖାଦ୍ୟ ଖାଇବା ଏବଂ କ୍ୟାଲୋରୀ ଗ୍ରହଣର ପରିମାଣକୁ ସ୍ଥିର ରଖିବା ଦ୍ୱାରା ଓଜନ ଶୀଘ୍ର ହ୍ରାସ ପାଇଥାଏ । ଓରେଗନ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ର ଗବେଷକମାନେ ୧୧୨ ଜଣ ଅଧିକ ଓଜନ ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ ୧୨ ସପ୍ତାହ ଧରି କରିଥିବା ଏହି ଅନୁଧ୍ୟାନରୁ ଏହି ତଥ୍ୟ ପାଇଛନ୍ତି । ସୂଚନା ଅନୁସାରେ ଯେଉଁମାନେ ନିଜ ଖାଦ୍ୟରେ ବିଭିନ୍ନତା ଅପେକ୍ଷା ସମାନତା ରଖିଥିଲେ, ସେମାନଙ୍କ ଓଜନ ଅନ୍ୟମାନଙ୍କ ତୁଳନାରେ ପ୍ରାୟ ୫.୯% ହ୍ରାସ ପାଇଥିଲା । ଗବେଷଣା ଅନୁଯାୟୀ, ପ୍ରତିଦିନ କ୍ୟାଲୋରୀ ପରିମାଣରେ ୧୦୦ କ୍ୟାଲୋରୀର ପରିବର୍ତ୍ତନ ହେଲେ ଓଜନ ହ୍ରାସ ପ୍ରକ୍ରିୟା ପ୍ରାୟ ୦.୬% କମିଯାଏ । ବିଶେଷଜ୍ଞଙ୍କ ମତରେ, ଖାଦ୍ୟକୁ ନେଇ ଏକ ନିର୍ଦ୍ଦିଷ୍ଟ ରୁଟିନ୍ ପ୍ରସ୍ତୁତ କଲେ ବାରମ୍ବାର ନୂଆ ନିଷ୍ପତ୍ତି ନେବାର ମାନସିକ ଚାପ କମିଥାଏ ଏବଂ ସୁସ୍ଥ ବିକଳ୍ପ ବାଛିବା ସହଜ ହୁଏ । ତେବେ ଗବେଷକମାନେ ଏହା ମଧ୍ୟ ସତର୍କ କରାଇଛନ୍ତି ଯେ, ସ୍ଥିରତା ଜରୁରୀ ହେଲେ ହେଁ ଶରୀର ପାଇଁ ଆବଶ୍ୟକ ପୋଷକ ତତ୍ତ୍ୱ ପାଇବାକୁ ବିଭିନ୍ନ ପ୍ରକାରର ପନିପରିବା ଓ ଫଳକୁ ନିଜର ଏହି ନିୟମିତ ଖାଦ୍ୟ ତାଲିକାରେ ସାମିଲ କରିବା ଆବଶ୍ୟକ। ତେବେ କୌଣସି ଡାଏଟକୁ ଅନୁକରଣ କରିବା ଆଗରୁ ଡାକ୍ତରଙ୍କ ପରାମର୍ଶ ଜରୁରୀ ହୋଇଥାଏ ।




