ଔଷଧ ଦ୍ବାରା ଉଠିବ ନୂଆ ଦାନ୍ତ

ଔଷଧ ଦ୍ବାରା ଉଠିବ ନୂଆ ଦାନ୍ତ
Ipsita Picture
By: Ipsita
Published On

 

ଜାପାନର 'ଟୋରେଜେମ୍ ବାୟୋଫାର୍ମା' ନାମକ ଏକ କମ୍ପାନୀ ମଣିଷର ଦାନ୍ତ ପୁଣିଥରେ ଉଠିବା ପାଇଁ ଟିଆରଜି ୦୩୫ ନାମକ ଏକ ବିଶେଷ ଔଷଧ ପ୍ରସ୍ତୁତ କରୁଥିବା ନେଇ ଚର୍ଚ୍ଚା ହେଉଛି । ଏଥିପାଇଁ କମ୍ପାନୀ ପ୍ରାୟ ୫୩ ଲକ୍ଷ ଡଲାରର ପାଣ୍ଠି ମଧ୍ୟ ସଂଗ୍ରହ କରିଥିବା ଜଣା ପଡିଛି । ଏହି ଔଷଧଟି ଶରୀରରେ ଥିବା ୟୁଏସଏଜି ୧ ନାମକ ପ୍ରୋଟିନ୍କୁ ରୋକିବା ପାଇଁ କାମ କରିଥାଏ, ଯାହା ସାଧାରଣତଃ ନୂଆ ଦାନ୍ତ ଉଠିବାର ପ୍ରକ୍ରିୟାକୁ  ବନ୍ଦ କରିଥାଏ।  ଏହି ଗବେଷଣାର ଫେଜ୍‌-୧ ଟ୍ରାୟଲ୍  ଅକ୍ଟୋବର ୨୦୨୪ରେ କ୍ୟୋଟୋ ୟୁନିଭର୍ସିଟି ହସ୍ପିଟାଲ୍ରେ ଆରମ୍ଭ ହୋଇଥିଲା । ଯେଉଁଥିରେ ଗୋଟିଏ କିମ୍ବା ତାଠାରୁ ଅଧିକ ଦାନ୍ତ ନଥିବା ୩୦ ଜଣ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ଏହି ଔଷଧଟି ସମ୍ପୂର୍ଣ୍ଣ ସୁରକ୍ଷିତ ଜଣାପଡ଼ିଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ଔଷଧର ବ୍ୟବହାର ସେହିପରି ପିଲାମାନଙ୍କ ପାଇଁ କରାଯିବ, ଯେଉଁମାନେ ଜନ୍ମରୁ କିଛି କିମ୍ବା ସମସ୍ତ ସ୍ଥାୟୀ ଦାନ୍ତ ବିନା ଜନ୍ମଗ୍ରହଣ କରିଥାନ୍ତି। ତେବେ ଏହା ପାରମ୍ପରିକ 'ଦାନ୍ତ ଇମ୍ପ୍ଲାଣ୍ଟ'ର ବିକଳ୍ପ ହୋଇପାରିବ କି ନାହିଁ, ସେ ନେଇ ବର୍ତ୍ତମାନ ବୈଜ୍ଞାନିକମାନେ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । କାରଣ ପଶୁମାନଙ୍କ ଉପରେ ଏହାର ପରୀକ୍ଷଣ ସଫଳ ହୋଇଥିଲେ ମଧ୍ୟ ମଣିଷ ଶରୀରରେ ଦାନ୍ତ ଉଠିବା ନେଇ ସମ୍ପୂର୍ଣ୍ଣ ସ୍ପଷ୍ଟତା ମିଳିବା ଏବେ ବି ବାକି ଅଛି । ଆଗକୁ ବଡ଼ ଧରଣର ମାନବ ପରୀକ୍ଷଣର  ସଫଳତା ପରେ ହିଁ ଏହି ପ୍ରଯୁକ୍ତିବିଦ୍ୟା ଭବିଷ୍ୟତରେ ଇମ୍ପ୍ଲାଣ୍ଟର ସ୍ଥାନ ନେଇପାରିବ କି ନାହିଁ ତାହା ଜଣାପଡ଼ିବ ।

Tags: