ମହାକାଶରେ ଉଦ୍ଭିଦକୁ ନେଇ ନୂତନ ପରୀକ୍ଷଣ
ମହାକାଶରେ ଅନେକ ସମୟରେ ବିଭିନ୍ନ ପ୍ରକାର ପରୀକ୍ଷଣ କରାଯାଇଥାଏ, ସେହିଭଳି ଉଦ୍ଭିଦଙ୍କୁ ନେଇ ହୋଇଥିବା ଏକ ପରୀକ୍ଷଣ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ମହାକାଶରେ ଗଛ ବଢିବାସହ ଅସ୍ୱାଭାବିକ ପରିସ୍ଥିତିରେ ସେଗୁଡ଼ିକ କିପରି ବଞ୍ଚିରହିବ ସେନେଇ ଏହି ପରୀକ୍ଷଣରେ ପରୀକ୍ଷା କରାଯିବ । ତେବେ କେବଳ ଏହାନୁହେଁ ବରଂ ଭବିଷ୍ୟତର ମହାକାଶ ଅଭିଯାନରେ ସେଗୁଡ଼ିକର ଭୂମିକାକୁ ପ୍ରଭାବିତ କରିପାରୁଥିବା ରୋଗରୁ ସେଗୁଡ଼ିକୁ ସୁରକ୍ଷା ଦେବାର ଉପାୟ ଖୋଜିବା ମଧ୍ୟ ଏହାର ଏକ ପ୍ରମୁଖ ଉଦ୍ଦେଶ୍ୟ । ମହାକାଶଚାରୀ ଅନୀଲ ମେନନ୍ ନିକଟରେ ‘ଥେଲ୍ କ୍ରେସ୍’ ଗଛକୁ ନେଇ କରାଯାଉଥିବା ଏକ ପରୀକ୍ଷଣର ବିବରଣୀ ସେୟାର କରି ଏଭଳି ସୂଚନା ଦେଇଛନ୍ତି । ଏହି ପରୀକ୍ଷଣର ଲକ୍ଷ୍ୟ ହେଉଛି ମହାକାଶରେ ବଢ଼ିବା ସମୟରେ ଗଛଗୁଡ଼ିକ ରୋଗ ପ୍ରତି କିପରି ପ୍ରତିକ୍ରିୟା କରନ୍ତି ତାହା ପରୀକ୍ଷା କରିବା । ନିଜ ପୋଷ୍ଟରେ ମେନନ୍ ‘ଏମ୍ଭିପି ପ୍ଲାଣ୍ଟ ଏକ୍ସପେରିମେଣ୍ଟ’ ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁଥିରେ ପାଉଡରୀ ମିଲଡ୍ୟୁ ନାମକ ଏକ ଉଦ୍ଭିଦ ରୋଗର ବିକାଶକୁ ଅଧ୍ୟୟନ କରିବା ପାଇଁ ରୋଗପ୍ରବଣ ଏବଂ ଆଂଶିକ ପ୍ରତିରୋଧକ ଥେଲ୍ କ୍ରେସ୍ ଗଛ ବଢାଯାଇଥାଏ । ଏହା ମହାକାଶରେ ଗଛଗୁଡ଼ିକର ପ୍ରତିକ୍ରିୟା ବୁଝିବାରେ ସହାୟକ ହୁଏ । ଏହି ପରୀକ୍ଷଣର ଫଳାଫଳ ଯାଞ୍ଚ କରି ଗବେଷକମାନେ ମହାକାଶରେ ଗଛ ବଢ଼ିବା ସମୟରେ ଦେଖାଯାଉଥିବା ସ୍ୱତନ୍ତ୍ର ପରିସ୍ଥିତି ସହ ଜଡ଼ିତ ଜିନ୍ର ପରିବର୍ତ୍ତନ ଚିହ୍ନଟ କରିପାରିବେ। ଯାହା ଭବିଷ୍ୟତରେ ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହକୁ ଯାତ୍ରା କରିବା ବେଳେ ଲାଇଫ୍ ସପୋର୍ଟ ସିଷ୍ଟମରେ ବ୍ୟବହୃତ ଗଛଗୁଡ଼ିକୁ ରୋଗରୁ ରକ୍ଷା କରିବାର ଉପାୟ ବିକଶିତ କରିବାରେ ମଧ୍ୟ ସହାୟତା କରିବ । ମୋଟ ଉପରେ, ଏହି ପରୀକ୍ଷଣ ମହାକାଶ ପରିସ୍ଥିତିରେ ଗଛର ସ୍ୱାସ୍ଥ୍ୟ ଅଧ୍ୟୟନ କରିବା ଏବଂ ରୋଗ ପ୍ରତିରୋଧର ସମ୍ଭାବ୍ୟ ଉପାୟ ଖୋଜିବା ଉପରେ ଗୁରୁତ୍ୱ ଦେଉଛି ।




