ବଢିବ ପ୍ରାକୃତିକ ବିପର୍ଯ୍ୟୟ
'ଜିଓଫିଜିକାଲ୍ ରିସର୍ଚ୍ଚ ଲେଟର୍ସ' ପତ୍ରିକାରେ ପ୍ରକାଶିତ ଏକ ନୂତନ ଗବେଷଣା ଅନୁଯାୟୀ, ଚଳିତ ଶତାବ୍ଦୀର ଶେଷ ଆଡ଼କୁ ବିଶ୍ୱର ପ୍ରାୟ ଏକ ତୃତୀୟାଂଶ ଜନସଂଖ୍ୟା ଭୟଙ୍କର ଗ୍ରୀଷ୍ମ ପ୍ରବାହ ଏବଂ ମରୁଡ଼ିର ମିଳିତ ପ୍ରଭାବର ସାମ୍ନା କରିବେ । ଜର୍ମାନୀ ଏବଂ ଚୀନ୍ର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନରୁ ଜଣାପଡିଛି ଯେ, ୨୦୯୦ ଦଶକ ସୁଦ୍ଧା ବିଶ୍ୱର ପ୍ରାୟ ୨୮ ପ୍ରତିଶତ ଲୋକ ବର୍ତ୍ତମାନ ତୁଳନାରେ ଅତିକମରେ ୫ ଗୁଣ ଅଧିକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବେ । ଯେତେବେଳେ ପ୍ରବଳ ଉତ୍ତାପ ଏବଂ ମରୁଡ଼ି ଏକାସାଙ୍ଗରେ ଘଟେ, ଏହାର ପରିଣାମ ଅତ୍ୟନ୍ତ ମାରାତ୍ମକ ହୋଇଥାଏ । ଏହା ଫଳରେ ଗରମ ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି, ଜଙ୍ଗଲ ନିଆଁ , ଖାଦ୍ୟ ଉତ୍ପାଦନରେ ହ୍ରାସ ଏବଂ ବ୍ୟାପକ ଅର୍ଥନୈତିକ ଅସ୍ଥିରତା ଦେଖାଦେବାର ଆଶଙ୍କା ରହିଛି । ଚୀନ୍ର ଜଳବାୟୁ ବିଜ୍ଞାନୀଙ୍କ ମତରେ, ଏହା ଜଳ ବ୍ୟବହାର ଉପରେ କଟକଣା ଲଗାଇବା ସହ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି କରିବ ଏବଂ ବାହାରେ କାମ କରୁଥିବା ଶ୍ରମିକମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବ । ଗବେଷଣାରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ, ବର୍ତ୍ତମାନର ସରକାରୀ ନୀତି ଅନୁଯାୟୀ ଯଦି ବିଶ୍ୱର ତାପମାତ୍ରା ୨.୭ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଏ, ତେବେ ଏହି ସଙ୍କଟ ବର୍ତ୍ତମାନ ତୁଳନାରେ ୨.୪ ଗୁଣ ଅଧିକ ହେବ। ତେବେ ଏହାର ପ୍ରଭାବ ସବୁ ଦେଶରେ ସମାନ ରହିବ ନାହିଁ । ତେବେ ସମସ୍ତଙ୍କୁ ମିଳିମିଶି ଏ ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ଏହି ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି ।




