ପ୍ରେସ୍ ଦିବସର ଅନୁଚିନ୍ତା
ଜାତିର ପିତା ମହାତ୍ମାଗାନ୍ଧୀ ଦେଶର ଭବିଷ୍ୟତକୁ ଦୃଷ୍ଟିରେ ରଖି ଥରେ କହିଥିଲେ ମୁଁ ଯେଉଁ ଗଣତନ୍ତ୍ର କଥା ଚିନ୍ତା କରୁଛି ସେଥିରେ ବଳବାନ ପରି ଅତି ଦୁର୍ବଳ ମଧ୍ୟ ସମ ଅଧିକାର ପାଇବ ଏବଂ ଏହା ସମ୍ଭବ ହୋଇପାରିବ ଗଣମାଧ୍ୟମର ମିଳିତ ସହଯୋଗରେ । ଆମ ଗଣତନ୍ତ୍ରରେ ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭର ମାନ୍ୟତା ମିଳିଛି ସତ କିନ୍ତୁ ବାସ୍ତବିକ୍ ଭାବେ ଦେଖିଲେ ଗଣମାଧ୍ୟମ ଯେଉଁ ଉଦ୍ଦେଶ୍ୟକୁ ନେଇ ଜନ୍ମ ନେଇଥିଲା ତାହା କେତେଦୂର ପୂରଣ ହୋଇପାରୁଛି ? ଏହି ପ୍ରଶ୍ନ ଏକ ବିରାଟ ରହସ୍ୟ ମଧ୍ୟେ ଏବେବି ଘୁରି ବୁଲିଛି । ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ଯଦି ଆମେ ଭାରତରେ ପ୍ରେସ୍ ସ୍ୱାଧୀନତାର ସ୍ଥିତିକୁ ନିରୀକ୍ଷଣ କରିବା ତେବେ ୨୦୨୫ ମସିହା ପ୍ରେସ୍ ସ୍ୱାଧୀନତା ସୂଚକାଙ୍କ ଅନୁଯାୟୀ ୧୮୦ ଦେଶ ମଧ୍ୟରେ ବର୍ତ୍ତମାନ ଭାରତର ସ୍ଥାନ ହେଉଛି ୧୫୧ ଯାହାକି ୨୦୨୪ ମସିହାରେ ୧୫୯ ଏବଂ ୨୦୨୩ ମସିହାରେ ୧୬୧ତମ ସ୍ଥାନରେ ଥିଲା । ତେଣୁ ଗତ ୩ ବର୍ଷ ମଧ୍ୟରେ ପ୍ରେସ୍ ସ୍ୱାଧୀନତା କ୍ଷେତ୍ରରେ ଭାରତ କିଛିପାଦ ଆଗେଇଛି । ଏହାର ପ୍ରମାଣ ଦେଉଛି ଯେ ଆଖି ଦୃଶିଆ ଭାବେ କିଛି ମାତ୍ରାରେ ବର୍ତ୍ତମାନ ଖବରକାଗଜ ଗୁଡ଼ିକ ନିଜ ଉଦ୍ଦେଶ୍ୟକୁ ଚିହ୍ନିବା ଆରମ୍ଭ କଲେଣି କିନ୍ତୁ ଆମକୁ ଏହିକଥା ଗ୍ରହଣ କରିବାକୁ ପଡ଼ିବ ଯେ ଏବେବି କିଛି କ୍ଷେତ୍ରରେ ପ୍ରେସ୍ କାହାର ନା କାହାର ଛତ୍ରଛାୟା ତଳେ ବନ୍ଦୀ । କିଛିଦିନ ପୂର୍ବେ ମୁଁ ମୋର ଜଣେ ସାମ୍ବାଦିକ ବନ୍ଧୁଙ୍କୁ ପଚାରିଥିଲି ଯେ ସାମ୍ବାଦିକତା କରି ତୁ କେତେ ଖୁସି ଅଛୁ? ସେପଟୁ ଯେଉଁ ଉତ୍ତର ମିଳିଲା ତାହା ମୋ ଭାବନାକୁ ଆଶ୍ଚର୍ଯ୍ୟ ଗର୍ଭରେ ସମାଧି ଦେଇଥିଲା । ମୋ ସାଙ୍ଗ କହିଲା ଯେ ସିଏ ଏବେ ଗୋଟିଏ ଖବରକାଗଜ ପାଇଁ କାମ କରୁଛି ନିରପେକ୍ଷତାର ସହ ଯେକୌଣସି ସାମାଜିକ ସମସ୍ୟାକୁ ଉପସ୍ଥାପନ କରିବାକୁ ତାକୁ ସୁଯୋଗ ମିଳୁନାହିଁ ଅର୍ଥାତ ଗୋଟିଏ ନିର୍ଦ୍ଧିଷ୍ଟ ପରିଧି ମଧ୍ୟରେ ସଙ୍କୁଚିତ ହୋଇ ତାକୁ କାମ କରିବାକୁ ପଡୁଛି । ତେଣୁ ଯେଉଁ ପ୍ରତିଶ୍ରୁତି ନେଇ ସିଏ ସାମ୍ବାଦିକତା କ୍ଷେତ୍ରରେ ପାଦ ରଖିଥିଲା ତାହା ଆଶା ଓ ଆଶଙ୍କା ମଧ୍ୟରେ ରହିଗଲା ! ଏହା କେବଳ ମୋ ସାଙ୍ଗର ସମସ୍ୟା ନୁହେଁ । ବର୍ତ୍ତମାନ ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ କ୍ଷେତ୍ରରେ ଯେଉଁ ବ୍ୟକ୍ତିମାନେ କାମ କରୁଛନ୍ତି ସେମାନେ କେତେ ସ୍ୱାଧୀନ ତାହା ଆପଣ ନିଜେ ଦେଖିଲେ ବୁଝି ପାରିବେ । ଆପଣ ଏହି ସଂପାଦକୀୟର କଥା ଟିକେ ଭାବନ୍ତୁ ଯେଉଁ ଲେଖକମାନେ ବିଭିନ୍ନ ଖବରକାଗଜର ସଂପାଦକୀୟ ପୃଷ୍ଠା ପାଇଁ ଲେଖନ୍ତି, ସେମାନେ ଯଦି କିଛି ସମ୍ବେଦନଶୀଳ ତଥା ସତ୍ୟ ପ୍ରସଙ୍ଗକୁ ନେଇ ଲେଖା ଦିଅନ୍ତି ତେବେ କିଛି ଜଣାଶୁଣା ଖବରକାଗଜ ସେହି ଲେଖାକୁ ପରିପ୍ରକାଶ କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ନାହିଁ । ବରଂ ଲେଖା ଦେଇଥିବା ସେହି ବ୍ୟକ୍ତିକୁ ଫୋନ୍ କରି କୁହନ୍ତି ଯେ ଏହିଭଳି ଲେଖା ନ ଦେବାପାଇଁ ! ତେବେ ଆପଣ କୁହନ୍ତୁ ଏହି କ୍ଷେତ୍ରରେ ଆମେ କେମିତି କହିପାରିବା ଯେ ପ୍ରେସ୍ ବର୍ତ୍ତମାନ ପୂର୍ଣ୍ଣ ସ୍ୱାଧିନ ବୋଲି । ଯେଉଁ ଖବରଟି ଲୋକଙ୍କ ସାମ୍ନାକୁ ଆଗ ଆସିବା କଥା ତାହା ଯଦି ଫାଇଲ୍ ତଳେ ରହିଯାଏ ତେବେ ପ୍ରେସ୍ର ନିରପେକ୍ଷତା କିପରି ବଜାୟ ରହିବ । ଏହି କାରଣ ଯୋଗୁ ସାମ୍ବାଦିକତାର ପାଠ ପଢ଼ିବା ପାଇଁ ମନ ବଳାଉଥିବା ଛାତ୍ରଛାତ୍ରୀ ମାନଙ୍କ ସାହସ କମି ଯାଉଛି । ଭାରତର ସ୍ୱାଧୀନତା ସେତେବେଳେ ଯାଇ ପୂର୍ଣ୍ଣତାର ରୂପ ପାଇବ ଯେବେ ଗଣମାଧ୍ୟମକୁ ମୁକ୍ତ ଓ ନିରପେକ୍ଷତାର ପରିଚୟ ମିଳିବ । ନହେଲେ ଏମିତି ପ୍ରତିବର୍ଷ ପ୍ରେସ୍ ଦିବସ ଆସୁଥିବ ଏବଂ ବିଭିନ୍ନ ସଭା ମଞ୍ଚରୁ ସଂକଳ୍ପର ଅନେକ ମିଛ ପ୍ରତିଶ୍ରୁତି ଗୁଡ଼ିକ ଜନ୍ମ ନେଉଥିବ ।
ଅଧ୍ୟାପକ ରାଜେଶ ରାୟ
ମୋ :- ୬୩୭୧୫୫୫୯୪୦




