ଜାତୀୟ ପଞ୍ଚାୟତିରାଜ ଦିବସ
ଭାରତରେ ପ୍ରତିବର୍ଷ ଏପ୍ରିଲ ୨୪ ତାରିଖକୁ 'ଜାତୀୟ ପଞ୍ଚାୟତିରାଜ ଦିବସ' ଭାବେ ପାଳନ କରାଯାଇଥାଏ । ଏହି ଦିବସ ଗ୍ରାମୀଣ ଭାରତର ବିକାଶ ଏବଂ ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣର ଏକ ମାଇଲଖୁଣ୍ଟ ସଦୃଶ ଅଟେ। ୧୯୯୨ ମସିହାରେ ସମ୍ବିଧାନର ୭୩ତମ ସଂଶୋଧନ ଅଧିନିୟମ ପାରିତ ହୋଇଥିଲା, ଯାହା ୧୯୯୩ ମସିହା ଏପ୍ରିଲ ୨୪ ତାରିଖରୁ ସାରା ଦେଶରେ କାର୍ଯ୍ୟକାରୀ ହୋଇଥିଲା । ଏହାକୁ ସ୍ମରଣୀୟ କରିବା ପାଇଁ ୨୦୧୦ ମସିହାରୁ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଏହି ଦିବସ ପାଳନର ଶୁଭାରମ୍ଭ କରାଯାଇଥିଲା । ପଞ୍ଚାୟତିରାଜ ବ୍ୟବସ୍ଥା ଭାରତୀୟ ସମ୍ବିଧାନରେ ଏକ ତ୍ରିସ୍ତରୀୟ ଶାସନ ପ୍ରଣାଳୀ (ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ) ପ୍ରତିଷ୍ଠା କରିବା ସହ ଗ୍ରାମାଞ୍ଚଳର ସାଧାରଣ ନାଗରିକଙ୍କ ହାତକୁ କ୍ଷମତା ହସ୍ତାନ୍ତର କରିବା। ଏହାସହ ସେମାନଙ୍କୁ ସ୍ଥାନୀୟ ପ୍ରଶାସନରେ ସିଧାସଳଖ ସାମିଲ କରିବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହି ଅବସରରେ ଦେଶର ଶ୍ରେଷ୍ଠ କାର୍ଯ୍ୟ କରୁଥିବା ପଞ୍ଚାୟତଗୁଡ଼ିକୁ ସେମାନଙ୍କର ଉଲ୍ଲେଖନୀୟ ସେବା ଓ ଗ୍ରାମ୍ୟ ଉନ୍ନୟନ ପାଇଁ ବିଭିନ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥାଏ, ଯାହା ଦ୍ୱାରା ଅନ୍ୟ ପଞ୍ଚାୟତ ପ୍ରତିନିଧିମାନେ ଅଧିକ ଦକ୍ଷତାର ସହ କାର୍ଯ୍ୟ କରିବାକୁ ଉତ୍ସାହିତ ହୁଅନ୍ତି । ଏହି ବ୍ୟବସ୍ଥା ଦ୍ୱାରା ଗ୍ରାମାଞ୍ଚଳର ଲୋକମାନେ ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ ଓ କୃଷି ସମ୍ବନ୍ଧୀୟ ସମସ୍ୟାର ସମାଧାନ ନିଜେ କରିବାକୁ ସମର୍ଥ ହୋଇଥାନ୍ତି ।




