ଜାତୀୟ ଡାକ୍ତର ଦିବସ
ମାନବ ସମାଜର ଜୀବନଦାତା ତଥା ସ୍ୱାସ୍ଥ୍ୟ ସେବାର ମେରୁଦଣ୍ଡ ସଦୃଶ ଡାକ୍ତରମାନଙ୍କ ନିସ୍ୱାର୍ଥପର ସେବା ଓ ଅବଦାନକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଜୁଲାଇ ୧ ତାରିଖକୁ ସାରା ଦେଶରେ ‘ଜାତୀୟ ଡାକ୍ତର ଦିବସ’ ଭାବେ ପାଳନ କରାଯାଇଥାଏ । ଏହି ବିଶେଷ ଦିବସର ଇତିହାସ ଭାରତର ଜଣେ ପ୍ରଖ୍ୟାତ ଚିକିତ୍ସକ, ସ୍ୱାଧୀନତା ସଂଗ୍ରାମୀ ତଥା ପଶ୍ଚିମବଙ୍ଗର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଭାରତ ରତ୍ନ ଡାକ୍ତର ବିଧାନ ଚନ୍ଦ୍ର ରଏ (ଡା. ବି. ସି. ରଏ)ଙ୍କ ସ୍ମୃତି ସହ ଜଡ଼ିତ । ଯାହାଙ୍କର ଜନ୍ମ ଓ ଦେହାନ୍ତ ଦିବସ ଜୁଲାଇ ୧ ତାରିଖରେ ହୋଇଥିବାରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ କେନ୍ଦ୍ର ସରକାରଙ୍କ ଦ୍ୱାରା ୧୯୯୧ ମସିହାରୁ ଏହି ଦିବସ ପାଳନର ଶୁଭାରମ୍ଭ କରାଯାଇଥିଲା । ଚିକିତ୍ସା କ୍ଷେତ୍ରରେ ଡାକ୍ତରମାନଙ୍କ ମହତ୍ତ୍ବପୂର୍ଣ୍ଣ ଭୂମିକା, ସେମାନଙ୍କ ତ୍ୟାଗ ଏବଂ ସମାଜ ପ୍ରତି ଥିବା ଦାୟିତ୍ୱବୋଧକୁ ସ୍ୱୀକୃତି ଦେବା ଏହି ଦିବସର ମୁଖ୍ୟ ତାତ୍ପର୍ଯ୍ୟ । ଏହି ଅବସରରେ ଦେଶର ବିଭିନ୍ନ ହସ୍ପିଟାଲ, ମେଡିକାଲ କଲେଜ ଓ ସ୍ୱାସ୍ଥ୍ୟ ପ୍ରତିଷ୍ଠାନମାନଙ୍କରେ ସେବା ପ୍ରଦାନକାରୀ ଡାକ୍ତରମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ମାଗଣା ସ୍ୱାସ୍ଥ୍ୟ ଶିବିର, ରକ୍ତଦାନ ଶିବିର ଏବଂ ସ୍ୱାସ୍ଥ୍ୟ ସଚେତନତାମୂଳକ ଆଲୋଚନାଚକ୍ରମାନ ଆୟୋଜନ କରାଯାଇଥାଏ । ଏହି ଦିବସକୁ ଅତ୍ୟନ୍ତ ଗୌରବର ସହ ପାଳନ କରାଯାଏ, ଯାହା ସମାଜରେ ସୁସ୍ଥ ଓ ନିରାମୟ ଜୀବନ ଗଠନର ବାର୍ତ୍ତା ପ୍ରଦାନ କରିଥାଏ ।




