ଜାତୀୟ କର୍କଟ ସଚେତନତା ଦିବସ

ଜାତୀୟ କର୍କଟ ସଚେତନତା ଦିବସ
Ipsita Picture
By: Ipsita
Published On

 

ପ୍ରତିବର୍ଷ ନଭେମ୍ବର ୭ ତାରିଖରେ ଦେଶବ୍ୟାପୀ 'ଜାତୀୟ କର୍କଟ ସଚେତନତା ଦିବସ' ପାଳନ କରାଯାଇଥାଏ । ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ମାରାତ୍ମକ କର୍କଟ ରୋଗର ଭୟାବହତା, ଏହାର ପ୍ରତିରୋଧ, ପ୍ରାରମ୍ଭିକ ଅବସ୍ଥାରେ ରୋଗ ନିରାକରଣ ଏବଂ ସଚେତନତା ସମ୍ପର୍କରେ ସାଧାରଣ ଜନତାଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା । ଭାରତରେ ଏହି ଦିବସ ପାଳନର ଇତିହାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହାକି ପ୍ରଥମେ ୨୦୧୪ ମସିହାରେ ତତ୍କାଳୀନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନଙ୍କ ଦ୍ୱାରା ଘୋଷଣା କରାଯାଇଥିଲା । କର୍କଟ ରୋଗ ସମ୍ବନ୍ଧୀୟ ଚିକିତ୍ସା ଓ ଗବେଷଣାରେ ଅତୁଳନୀୟ ଅବଦାନ ରଖିଥିବା ବିଶ୍ୱବିଖ୍ୟାତ ବୈଜ୍ଞାନିକ ତଥା ନୋବେଲ୍ ପୁରସ୍କାର ପ୍ରାପ୍ତ ମ୍ୟାଡାମ୍ କ୍ୟୁରୀଙ୍କ ଜନ୍ମଜୟନ୍ତୀ ନଭେମ୍ବର ୭ ଅବସରରେ ଏହି ଦିନଟିକୁ ଧାର୍ଯ୍ୟ କରାଯାଇଥିଲା । ଏହି ଦିବସର ମହତ୍ତ୍ୱ ଅତ୍ୟନ୍ତ ବ୍ୟାପକ, କାରଣ ଭାରତରେ ଦିନକୁ ଦିନ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସଠିକ୍ ସମୟରେ ରୋଗ ଚିହ୍ନଟ ନ ହେବା ଏବଂ ଜନସଚେତନତାର ଅଭାବ ଏହାର ମୁଖ୍ୟ କାରଣ ପାଲଟୁଛି । ତେଣୁ ଏହି ଦିବସ ମାଧ୍ୟମରେ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ସଚେତନତା ଶିବିର, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ନେଇ ପରାମର୍ଶ ଦିଆଯାଇଥାଏ । ଯାହାଦ୍ୱାରା ତମାଖୁ, ମଦ୍ୟପାନ ଓ ଅସ୍ୱାସ୍ଥ୍ୟକର ଖାଦ୍ୟାଭାସଠାରୁ ଦୂରେଇ ରହି ସମାଜକୁ ଏକ ସୁସ୍ଥ ଓ ନିରାମୟ ଭବିଷ୍ୟତ ଦିଗରେ ପରିଚାଳିତ କରାଯାଇପାରିବ ।

Tags: