ରାଷ୍ଟ୍ରୀୟ ଆତଙ୍କବାଦ ବିରୋଧୀ ଦିବସ
ଭାରତର ସାର୍ବଭୌମତ୍ବ ଅଖଣ୍ଡତାକୁ ସୁରକ୍ଷିତ ରଖିବା ସହ ହିଂସା ମୁକ୍ତ ସମାଜ ଗଠନର ସଂକଳ୍ପକୁ ଦୋହରାଇବା ପାଇଁ ପ୍ରତିବର୍ଷ ମେ ୨୧ ତାରିଖକୁ ଦେଶବ୍ୟାପୀ 'ରାଷ୍ଟ୍ରୀୟ ଆତଙ୍କବାଦ ବିରୋଧୀ ଦିବସ' ଭାବେ ପାଳନ କରାଯାଏ । ୧୯୯୧ ମସିହା ମେ ୨୧ ତାରିଖରେ ତାମିଲନାଡୁର ଶ୍ରୀପେରୁମ୍ବୁଦୁରଠାରେ ଏକ ନିର୍ଦ୍ଦୟ ଓ ବର୍ବରୋଚିତ ଆତଙ୍କବାଦୀ ଆକ୍ରମଣରେ ଦେଶର ସର୍ବକନିଷ୍ଠ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ପ୍ରାଣ ହରାଇଥିଲେ । ଯିଏକି ନିଜ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଓ ଆଧୁନିକ ଭାରତ ଗଠନର ସ୍ୱପ୍ନ ପାଇଁ ଜନମାନସରେ ସଦା ସ୍ମରଣୀୟ । ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ହିଁ ସରକାର ତାଙ୍କର ସେହି ମହାନ ବଳିଦାନକୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ବିଶେଷ ଦିବସରେ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଏବଂ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ସମାଜରେ ଶାନ୍ତି, ଅହିଂସା, ସାମାଜିକ ସଦ୍ଭାବନା ଓ ରାଷ୍ଟ୍ରୀୟ ଏକତା ବଜାୟ ରଖିବା ପାଇଁ ଶପଥ ପାଠ କରାଯାଇଥାଏ । ଏହାସହ ବିଶେଷ କରି ଯୁବପିଢ଼ିଙ୍କୁ ଆତଙ୍କବାଦ ଓ କ୍ଷତିକାରକ ଉଗ୍ରବାଦୀ ଚିନ୍ତାଧାରାଠାରୁ ଦୂରେଇ ରଖିବାକୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଏ । ବର୍ତ୍ତମାନର ଜଟିଳ ଆଞ୍ଚଳିକ ପରିସ୍ଥିତିରେ, କ୍ରସ୍-ବର୍ଡର ଆତଙ୍କବାଦ ଓ ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ଆସୁଥିବା ଆହ୍ୱାନର ମୁକାବିଲା କରିବା ପାଇଁ ଏହି ଦିବସଟି ସମଗ୍ର ଦେଶବାସୀଙ୍କୁ ଏକଜୁଟ ହୋଇ ଆତଙ୍କବାଦୀ ଶକ୍ତି ବିରୁଦ୍ଧରେ ସଂଗ୍ରାମ କରିବାକୁ ଏବଂ ନିରୀହ ଜୀବନର ସୁରକ୍ଷା କରିବାକୁ ପ୍ରେରଣା ଯୋଗାଇଥାଏ ।



