ନାସାର ସ୍ବତନ୍ତ୍ର ମିସନ
ଭବିଷ୍ୟତର ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହ ଅଭିଯାନ ପାଇଁ ମହାକାଶଚାରୀମାନଙ୍କୁ ସୁରକ୍ଷିତ ତଥା ପ୍ରସ୍ତୁତ ରଖିବା ଉଦ୍ଦେଶ୍ୟରେ ଆମେରିକାର ମହାକାଶ ସଂସ୍ଥା ‘ନାସା’ ଏକ ବର୍ଷବ୍ୟାପୀ ସ୍ୱତନ୍ତ୍ର ସିମୁଲେଟେଡ୍ ମିଶନର ଆୟୋଜନ କରିବାକୁ ଯାଉଛି । ଯେଉଁଥିପାଇଁ ଏହା ସ୍ବେଚ୍ଛାସେବୀମାନଙ୍କୁ ନିଯୁକ୍ତି କରୁଛି। ‘ମୁନ୍ ଆଣ୍ଡ୍ ମାର୍ସ ଏକ୍ସପ୍ଲୋରେସନ ଆନାଲଗ୍’ ନାମକ ଏହି ଅଭିଯାନରେ ଚୟନ ହେବାକୁ ଥିବା ସ୍ବେଚ୍ଛାସେବୀମାନେ ହ୍ୟୁଷ୍ଟନ ସ୍ଥିତ ନାସାର ଜନସନ ସ୍ପେସ୍ ସେଣ୍ଟରରେ ପ୍ରାୟ ଏକ ବର୍ଷ ବିତାଇବେ । ଗଭୀର ମହାକାଶ ଅଭିଯାନ ଭଳି ଏକ ସୀମିତ ତଥା ସମ୍ପୂର୍ଣ୍ଣ ଅଲଗା ପରିବେଶରେ ରହି କାର୍ଯ୍ୟ କରିବାର ଅନୁଭବ ସେମାନେ ହାସଲ କରିବେ । ଏହି ମିଶନ ନାସାର ପୂର୍ବତନ ‘ହେରା’ ଏବଂ ‘ଚାପିଆ’ ମିଶନର ଏକ ମିଳିତ ରୂପ ଅଟେ, ଯେଉଁଠାରେ ବୈଜ୍ଞାନିକମାନେ ସୀମିତ ସମ୍ବଳ ଏବଂ କଠିନ ପରିସ୍ଥିତିରେ ମହାକାଶଚାରୀଙ୍କ ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟଦକ୍ଷତା ଉପରେ ପଡ଼ୁଥିବା ପ୍ରଭାବର ଅଧ୍ୟୟନ କରିବେ । ଏହି ପ୍ରକ୍ରିୟାରେ ସ୍ବେଚ୍ଛାସେବୀମାନେ କୃତ୍ରିମ ମଙ୍ଗଳ ଗ୍ରହରେ ଚାଲିବା ଏବଂ ରୋଭର ବ୍ୟବହାର କରିବା ଭଳି କାର୍ଯ୍ୟର ଅଭ୍ୟାସ ମଧ୍ୟ କରିବେ । ଆଗ୍ରହୀ ଆବେଦନକାରୀଙ୍କ ପାଇଁ ନିର୍ଦ୍ଦିଷ୍ଟ ଶାରୀରିକ ଓ ଶିକ୍ଷାଗତ ଯୋଗ୍ୟତା ଥିବା ଆବଶ୍ୟକ ଏବଂ ସେମାନଙ୍କୁ ନାସାର ଏକ ବହୁସ୍ତରୀୟ ମାନସିକ ତଥା ଶାରୀରିକ ପରୀକ୍ଷା ଦେଇ ଗତି କରିବାକୁ ହେବ। ଏହି ମିଶନରୁ ମିଳିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନାସାର ଆର୍ଟେମିସ ମିଶନ ଏବଂ ଭବିଷ୍ୟତର ମାନବବାହୀ ମଙ୍ଗଳ ଗ୍ରହ ଅଭିଯାନକୁ ସଫଳ କରିବାରେ ବେଶ୍ ସହାୟକ ହେବ । ଯେଉଁଥିପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ନାସାର ଆନାଲଗ୍ସ ରିକ୍ରୁଟିଂ ୱେବସାଇଟ୍ ପରିଦର୍ଶନ କରି ଆବେଦନ କରିପାରିବେ ।




