ରହସ୍ୟମୟ କୃତ୍ରିମ ଦ୍ୱୀପ

ରହସ୍ୟମୟ କୃତ୍ରିମ ଦ୍ୱୀପ
Ipsita Picture
By: Ipsita
Published On

 

ସ୍କଟଲାଣ୍ଡର ଆଉଟର୍ ହେବ୍ରାଇଡ୍ସସ୍ଥିତ ଲୋକ୍ ଭୋରଗାଷ୍ଟାଇଲ୍ରେ ପ୍ରତ୍ନତତ୍ତ୍ୱବିତ୍ ମାନେ ୫,୦୦୦ ବର୍ଷରୁ ଅଧିକ ପୁରୁଣା ଏକ ରହସ୍ୟମୟ କୃତ୍ରିମ ଦ୍ୱୀପ ବା 'କ୍ରାନୋଗ୍' ଆବିଷ୍କାର କରିଛନ୍ତି । ଯାହା ପ୍ରାଗୈତିହାସିକ ଯୁଗର ଉନ୍ନତ ଇଞ୍ଜିନିୟରିଂ କୌଶଳ ଉପରେ ନୂତନ ଆଲୋକପାତ କରୁଛି। ସାଉଥାମ୍ପଟନ୍ ଏବଂ ରୀଡିଙ୍ଗ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଅତ୍ୟାଧୁନିକ ଇମେଜିଙ୍ଗ୍ ଟେକ୍ନୋଲୋଜି ବ୍ୟବହାର କରି ଅନେକ ତଥ୍ୟ ଜାଣିବାକୁ ପାଇଛନ୍ତି । ଏହି ତଥ୍ୟ ଅନୁସାରେ ପଥର, କାଠ ଏବଂ ବୁଦା ସାହାଯ୍ୟରେ ନିର୍ମିତ ଏହି ସଂରଚନାଟି ପ୍ରାୟ ୨୩ ମିଟର ଚଉଡ଼ାର ଏକ ବିଶାଳ କାଠ ପ୍ଲାଟଫର୍ମ ଉପରେ ଠିଆ ହୋଇଥିଲା । ରେଡିଓକାର୍ବନ ଡେଟିଂ ଅନୁଯାୟୀ ଏହା ୩୬୪୦ ରୁ ୩୩୬୦ ଖ୍ରୀଷ୍ଟପୂର୍ବ ମଧ୍ୟରେ ନିର୍ମିତ ହୋଇଥିଲା । ଯାହା ଏହା ପ୍ରସିଦ୍ଧ 'ଷ୍ଟୋନହେଞ୍ଜ୍' ଠାରୁ ମଧ୍ୟ ପୁରୁଣା ବୋଲି ଦର୍ଶାଇଛି । ସେଠାରେ ମିଳିଥିବା ଶତାଧିକ ନିଓଲିଥିକ୍ ମାଟିପାତ୍ରରୁ ଅନୁମାନ କରାଯାଉଛି ଯେ ଏହି ସ୍ଥାନଟି ସାମୂହିକ ଭୋଜି କିମ୍ବା ଧାର୍ମିକ ରୀତିନୀତି ପାଇଁ ବ୍ୟବହୃତ ହେଉଥିଲା । ବିଶେଷଜ୍ଞଙ୍କ ମତରେ ସ୍କଟଲାଣ୍ଡ ଏବଂ ଆୟର୍ଲାଣ୍ଡରେ ଏଭଳି ଅନେକ ଅନୁଦ୍ଘାଟିତ ସ୍ଥଳ ରହିଛି, ଯାହା ପ୍ରାଗୈତିହାସିକ ବ୍ରିଟେନର ଅଧ୍ୟୟନରେ ଏକ ନୂତନ ଅଧ୍ୟାୟ ଯୋଡ଼ିବ ।

Tags: