ହିନ୍ଦୁ ମନ୍ଦିର ପାଇଁ ଅଢେଇ କୋଟି ଟଙ୍କାର ଜମି ଦାନ କଲେ ମୁସଲିମ୍ ପରିବାର
ବିହାର: ଭାରତରେ ସାମ୍ପ୍ରଦାୟିକତା ସଦ୍ଭାବନାର ଅନେକ ଉଦାହରଣ ଦେଖିବାକୁ ମିଳିଥାଏ । ଏଭଳି ଅନେକ ଉଦାହରଣ ରହିଛି, ଯାହା ଭାରତକୁ ଏକ ସାର୍ବଭୌମିକ ଦେଶର ପରିଚୟ ପ୍ରଦାନ କରିଥାଏ । ସେହିଭଳି ଏକ ଉଦାହରଣ ବିହାରରେ ଦେଖିବାକୁ ମିଳିଛି । ବିହାରର ଜଣେ ମୁସଲିମ୍ ପରିବାର ହିନ୍ଦୁ ମନ୍ଦିର ନିର୍ମାଣ ପାଇଁ ଅଢେଇ କୋଟି ଟଙ୍କାର ଜମି ଦାନ କରିଛନ୍ତି । ବିହାରରେ ହେବାକୁ ଯାଉଥିବା ଭିରାଟ୍ ରାମାୟଣ ମନ୍ଦିର ପାଇଁ ଏହି ଦାନ ସେମାନେ ଦେଇଛନ୍ତି […]
ବିହାର: ଭାରତରେ ସାମ୍ପ୍ରଦାୟିକତା ସଦ୍ଭାବନାର ଅନେକ ଉଦାହରଣ ଦେଖିବାକୁ ମିଳିଥାଏ । ଏଭଳି ଅନେକ ଉଦାହରଣ ରହିଛି, ଯାହା ଭାରତକୁ ଏକ ସାର୍ବଭୌମିକ ଦେଶର ପରିଚୟ ପ୍ରଦାନ କରିଥାଏ । ସେହିଭଳି ଏକ ଉଦାହରଣ ବିହାରରେ ଦେଖିବାକୁ ମିଳିଛି । ବିହାରର ଜଣେ ମୁସଲିମ୍ ପରିବାର ହିନ୍ଦୁ ମନ୍ଦିର ନିର୍ମାଣ ପାଇଁ ଅଢେଇ କୋଟି ଟଙ୍କାର ଜମି ଦାନ କରିଛନ୍ତି । ବିହାରରେ ହେବାକୁ ଯାଉଥିବା ଭିରାଟ୍ ରାମାୟଣ ମନ୍ଦିର ପାଇଁ ଏହି ଦାନ ସେମାନେ ଦେଇଛନ୍ତି । ପରିବାରର ମୁଖ୍ୟ ଇସ୍ତିଆକ୍ ଅହମଦ୍ ଖାନ୍ ପେଶାରେ ଜଣେ ବ୍ୟବସାୟୀ ।
ମନ୍ଦିର ନିର୍ମାଣ ହେଉଥିବା ଗ୍ରାମର ଅଧିକାଂଶ ଯାଗା ଏହି ମୁସଲିମ୍ ପରିବାର ନାମରେ ରହିଛି । ତେଣୁ ମନ୍ଦିର ପାଇଁ ଜମିଦାନ କରିବା ତାଙ୍କ କର୍ତ୍ତବ୍ୟ ବୋଲି ଇସ୍ତିଆକ୍ ପ୍ରକାଶ କରିଛନ୍ତି । ଏହା ତାଙ୍କ ପରିବାରର ପରମ୍ପରା ବୋଲି ସେ ପ୍ରକାଶ କରିଛନ୍ତି ।

ଇସ୍ତିଆକ୍ ସମୁଦାୟ ୨୩ କଥା ବା ୭୧ ଡିସିମିଲ୍ ମନ୍ଦିର ନିର୍ମାଣ ପାଇଁ ପ୍ରଦାନ କରିଛନ୍ତି, ଯାହାର ଆନୁମାନିକ ମୂଲ୍ୟ ଅଢେଇ କୋଟି ହେବ । କେବଳ ମନ୍ଦିର ନୁହେଁ ପୂର୍ବରୁ ଏହି ପରିବାର ରାସ୍ତା ପାଇଁ ମଧ୍ୟ ନିଜ ଜମି ପ୍ରଦାନ କରିସାରିଛନ୍ତି । ବର୍ତ୍ତମାନ ପୂରା ପରିବାର ଅନ୍ୟ ଲୋକଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଏହି ପରିବାରକୁ ଦେଖିବା ପରେ ଅନ୍ୟପରିବାର ମଧ୍ୟ ମନ୍ଦିର ନିର୍ମାଣ ପାଇଁ ନିଜନିଜର ଜମି ପ୍ରଦାନ କରୁଛନ୍ତି ।
ବର୍ତ୍ତମାନ ପର୍ଯ୍ୟନ୍ତ ମନ୍ଦିର ନିମନ୍ତେ ପାଖାପାଖି ୧୦୦ ଏକର ଜମିଗ୍ରହଣ ସରିଛି । ମନ୍ଦିର ନିର୍ମାଣ ପାଇଁ ସମୁଦାୟ ୧୨୫ ଏକରର ଜମି ଦରକାର । ତେବେ ଏହି ମନ୍ଦିରଟି ବିଶ୍ୱର ସବୁଠାରୁ ଉଚ୍ଚ ମନ୍ଦିର ହେବ ବୋଲି ଆକଳନ କରାଯାଉଛି । କାମ୍ବୋଡିଆରେ ଥିବା ଅଙ୍ଗକୋର୍ ୱାଟ୍ କମ୍ଲେକ୍ସର ଉଚ୍ଚତାକୁ ମଧ୍ୟ ଏହା କାଟିବ ବୋଲି ଜଣାପଡିଛି । ଏହି କମ୍ଲେକ୍ସର ଉଚ୍ଚତା ୨୧୫ ଫୁଟ ରହିଥିବା ବେଳେ ମନ୍ଦିରର ଉଚ୍ଚତା ୨୭୦ ଫୁଟ ହେବ ବୋଲି ସୂଚନା ମିଳିଛି । ମନ୍ଦିରଟି ଦେବକୀ ନଦୀ କୂଳରେ ନିର୍ମାଣ କରାଯିବ । ମନ୍ଦିରରେ ସମୁଦାୟ ୧୮ଟି ଛୋଟ ମନ୍ଦିର ରହିବ । ଏହାର ଉଚ୍ଚତା ଭଳି ଏଥିରେ ଅନ୍ୟ ଏକ ସ୍ୱତନ୍ତ୍ରତା ରହିବ । ଏଠାରେ ଗଢାହେବାକୁ ଥିବା ଶିବ ମନ୍ଦିରରେ ବିଶ୍ୱର ସବୁଠାରୁ ବଡ ଶିବଲିଙ୍ଗ ସ୍ଥାନ ପାଇବେ । ଅନେକ ସ୍ୱତନ୍ତ୍ରତାରେ ଏହି ମନ୍ଦିର ଭରି ରହିଛି ।




