ସଙ୍ଗୀତ ଗ୍ରାମ
ସଙ୍ଗୀତ ସମସ୍ତଙ୍କ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହୋଇଥାଏ, ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପାଇଁ ସଙ୍ଗୀତ ବ୍ୟବହାରର ଅନେକ ନଜିର ଦେଖିବାକୁ ମିଳିଥାଏ । ତେବେ ନିକଟରେ ଏକ ଗ୍ରାମ ସଙ୍ଗୀତ ଗ୍ରାମ ଭାବେ ବିବେଚିତ ହେବା ପରେ ଏହାକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି ।
କେରଳର ପାଲକ୍କାଡ଼ ଜିଲ୍ଲାର ଏକ ଛୋଟ ଗାଁ ବାଲମୁଟି। ଏଠାରେ ସନ୍ଧ୍ୟା ହେବା ପୂର୍ବରୁ ଓ ରାସ୍ତା କଡ଼ର ଲାଇଟ୍ ଜଳିବା ଆଗରୁ ସଂକୀର୍ଣ୍ଣ ଗଳିଗୁଡ଼ିକରେ ସଙ୍ଗୀତର ସ୍ୱର ଶୁଣିବାକୁ ମିଳେ। ଛୋଟ ଛୋଟ ପିଲାମାନେ ଘର ବାହାରେ ଏକାଠି ହୋଇ ଚଳଚ୍ଚିତ୍ରର ଜଣାଶୁଣା ଧୂନକୁ ଗୁଣୁଗୁଣୁ ହୁଅନ୍ତି, ଯାହା ଏକ ସୁନ୍ଦର ତାଳରେ ଉଠେ ଓ ପଡ଼େ। କିଛି ମିଟର ଦୂରରେ ଥିବା ପୁରାତନ ବିଷ୍ଣୁ ମନ୍ଦିର ନିକଟରେ ବୟସ୍କ ମହିଳାମାନେ ଏକାଠି ବସି ଭକ୍ତି ସଙ୍ଗୀତ ଗାନ କରନ୍ତି, ଯାହା ସେଠାକାର ପରିବେଶକୁ ଭକ୍ତିମୟ କରିଦିଏ। ଏଠାରେ ଗାନ କରାଯାଉଥିବା 'ଥୁୟିଲୁନାର୍ଥୁ ପାଟ୍ଟୁ' ଏକ ପାରମ୍ପରିକ ଜାଗରଣ ସଙ୍ଗୀତ, ଯାହା ଆଜି ମଧ୍ୟ ସେମିତି ଗାନ କରାଯାଉଛି। ଏଥିପାଇଁ କୌଣସି ଲିଖିତ ସ୍ୱରଲିପି ନାହିଁ କିମ୍ବା କୌଣସି ଆନୁଷ୍ଠାନିକ ତାଲିମ ମଧ୍ୟ ନାହିଁ, ଏହା କେବଳ ସ୍ମୃତି, ଭକ୍ତି ଏବଂ ପରମ୍ପରାରୁ ହିଁ ଶିଖାଯାଇଛି । ତେବେ ପ୍ରଥମ ଥର ପାଇଁ କେରଳ ସରକାର ଏହାକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏକ ଐତିହାସିକ ନିଷ୍ପତ୍ତିକ୍ରମେ ଚିତ୍ତୁର-ଥାଥାମଙ୍ଗଲମ ପୌରପାଳିକା ବାଲମୁଟିକୁ ରାଜ୍ୟର ପ୍ରଥମ 'ପାଟ୍ଟୁ ଗ୍ରାମମ୍' ବା 'ସଙ୍ଗୀତ ଗ୍ରାମ' ଭାବେ ଘୋଷଣା କରିଛି । ଏହି ଗ୍ରାମର ଅଧିକାଂଶ ବାସିନ୍ଦା ହେଉଛନ୍ତି 'ପାନାର୍' ସମୁଦାୟର, ଯାହାଙ୍କ ବିଷୟରେ ପ୍ରାୟ ୨,୦୦୦ ବର୍ଷ ପୁରାତନ ସଙ୍ଗମ ସାହିତ୍ୟରେ ଦକ୍ଷ ସଙ୍ଗୀତଜ୍ଞ ଭାବେ ଉଲ୍ଲେଖ ରହିଛି। ପ୍ରାଚୀନ ତାମିଲ ସମାଜରେ ପାନାର୍ମାନେ ଥିଲେ ମୁଖ୍ୟ ଯୋଗାଯୋଗକାରୀ । ସେମାନେ ପରମ୍ପରାକୁ ସୁରକ୍ଷିତ ରଖୁଥିଲେ, ଖବର ପ୍ରସାରଣ କରୁଥିଲେ ଏବଂ ସାଂସ୍କୃତିକ ସ୍ମୃତିକୁ ରୂପ ଦେଉଥିଲେ । ସେମାନେ ପ୍ରାଚୀନ ତାମିଲ ସାମ୍ରାଜ୍ୟଗୁଡ଼ିକ ଭ୍ରମଣ କରି ରାଜଦରବାରରେ କଳା ପ୍ରଦର୍ଶନ କରୁଥିଲେ, କାହାଣୀ ଶୁଣାଉଥିଲେ, ରାଜାମାନଙ୍କର ପ୍ରଶଂସା ଗାନ କରୁଥିଲେ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ଭକ୍ତି ସଙ୍ଗୀତ ପରିବେଷଣ କରୁଥିଲେ । ସେମାନେ ସେହି ସମୟରେ ସଂସ୍କୃତିକୁ କେବଳ କଣ୍ଠସ୍ୱର ଏବଂ ବାଦ୍ୟଯନ୍ତ୍ର ସାହାଯ୍ୟରେ ବଞ୍ଚାଇ ରଖିଥିଲେ। ବାଲମୁଟିରେ ମାତ୍ର ୫୪ଟି ପରିବାର ବାସ କରନ୍ତି, କିନ୍ତୁ ପ୍ରତିଟି ଘର ପିଢ଼ି ପରେ ପିଢ଼ି ସଙ୍ଗୀତଜ୍ଞମାନଙ୍କୁ ଗଢ଼ି ତୋଳିଥାଏ। ଏଠାରେ ପିଲାମାନେ ନିଜ ନାମ ଲେଖିବା ଶିଖିବା ପୂର୍ବରୁ ଭକ୍ତି ସଙ୍ଗୀତ ଶୁଣି ବଡ଼ ହୋଇଥାନ୍ତି। ପର୍ବପର୍ବାଣିରେ ପରିବାରଗୁଡ଼ିକ ବିଷ୍ଣୁ-ମୁକାନ୍ ସାଥାନ୍ ମନ୍ଦିରରେ ଏକାଠି ହୋଇ ଗୀତ ଗାଆନ୍ତି, ନାଚନ୍ତି ଏବଂ ପାରମ୍ପରିକ ବାଦ୍ୟଯନ୍ତ୍ର ବଜାନ୍ତି। ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ଏହାକୁ ଉପଭୋଗ କରନ୍ତି ।
Related Posts



