ଟ୍ରାନ୍ସଫର୍ମରରୁ ମୋବାଇଲ ଚାର୍ଜ
ସୋସିଆଲ ମିଡିଆରେ ଏବେ ବିହାରର ଏକ ଅତି ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଠାରେ କିଛି ଲୋକ ନିଜ ଜୀବନକୁ ବାଜି ଲଗାଇ ସିଧାସଳଖ ଟ୍ରାନ୍ସଫର୍ମରରୁ ନିଜ ମୋବାଇଲ୍ ଫୋନ୍ ଚାର୍ଜ କରୁଥିବା ଦେଖିବାକୁ ମିଳୁଛି । ଭିଡିଓରେ ଦେଖାଯାଉଛି ଯେ, ଟ୍ରାନ୍ସଫର୍ମରରୁ କିଛି ଖୋଲା ତାର ବାହାରିଛି ଏବଂ ସେଠାରେ ଉପସ୍ଥିତ ଲୋକମାନେ କୌଣସି ଭୟ ନଥାଇ ଅତି ସାଧାରଣ ଭାବେ ନିଜ ଫୋନ୍ ଚାର୍ଜ କରୁଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ସାଧାରଣରେ ଗଭୀର ଚିନ୍ତା ପ୍ରକାଶ ପାଇଛି। ଟ୍ରାନ୍ସଫର୍ମର କିମ୍ବା ବିଦ୍ୟୁତ୍ ଲାଇନ୍ ସହ ଏଭଳି ଖେଳ କରିବା କେବଳ ବେଆଇନ ନୁହେଁ ବରଂ ଏହା ଦ୍ୱାରା ଯେକୌଣସି ସମୟରେ କରେଣ୍ଟ ଲାଗିବା, ନିଆଁ ଲାଗିବା କିମ୍ବା ସମ୍ପୂର୍ଣ୍ଣ ଅଞ୍ଚଳର ବିଦ୍ୟୁତ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାର ବଡ଼ ବିପଦ ରହିଛି । ଏହି ଭିଡିଓଟି ଭାଇରାଲ ହେବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । କିଛି ଲୋକ ଏହାକୁ ବିହାରର ‘ଜୁଗାଡ଼ ସଂସ୍କୃତି’ ବୋଲି କହିଥିବା ବେଳେ, ଅନ୍ୟ କିଛି ଲୋକ ଏହାକୁ ଖରାପ ଭିତ୍ତିଭୂମି ଏବଂ ବିଦ୍ୟୁତ୍ ବ୍ୟବସ୍ଥାର ଅବହେଳା ବୋଲି ଅଭିହିତ କରିଛନ୍ତି । ତେବେ ଏହାପଛର କୌଣସି କାରଣ ସମ୍ପର୍କରେ ଜଣା ପଡିନାହିଁ ।



