ମେଟାଷ୍ଟାଟିକ୍ ସ୍ତନ କର୍କଟ ସଚେତନତା ଦିବସ
ପ୍ରତିବର୍ଷ ଅକ୍ଟୋବର ୧୩ ତାରିଖରେ ବିଶ୍ୱବ୍ୟାପୀ ପାଳିତ ହୋଇଥାଏ, ମେଟାଷ୍ଟାଟିକ୍ ସ୍ତନ କର୍କଟ ସଚେତନତା ଦିବସ । ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ତନ କର୍କଟର ଚତୁର୍ଥ ବା ଶେଷ ପର୍ଯ୍ୟାୟ ବିଷୟରେ ଲୋକଙ୍କୁ ଜାଗ୍ରତ କରାଇବା । ଯେତେବେଳେ ସ୍ତନ କର୍କଟ ଶରୀରର ଅନ୍ୟାନ୍ୟ ଅଙ୍ଗ ଯଥା ହାଡ଼, ଫୁସ୍ଫୁସ୍, ଯକୃତ କିମ୍ବା ମସ୍ତିଷ୍କକୁ ବ୍ୟାପିଥାଏ, ସେହି ଅବସ୍ଥାକୁ ମେଟାଷ୍ଟାଟିକ୍ କୁହାଯାଏ । ଏହି ଦିନ ପାଳନର ଗୁରୁତ୍ୱ ହେଉଛି ଏହି ଜଟିଳ ପରିସ୍ଥିତି ସହ ଲଢ଼ୁଥିବା ରୋଗୀଙ୍କ ଅଭିଜ୍ଞତା, ଆବଶ୍ୟକତା ଏବଂ ଗବେଷଣାର ଆବଶ୍ୟକତା ପ୍ରତି ସମାଜର ଦୃଷ୍ଟି ଆକର୍ଷଣ କରିବା । ୨୦୦୯ ମସିହାରେ ଆମେରିକାରେ ପ୍ରଥମ କରି ଏହି ଦିବସକୁ ଆନୁଷ୍ଠାନିକ ଭାବେ ମାନ୍ୟତା ଦିଆଯାଇଥିଲା । ଯାହାକି ସ୍ତନ କର୍କଟ ସଚେତନତା ମାସ ବା ଅକ୍ଟୋବର ମାସ ମଧ୍ୟରେ ଏକ ସ୍ୱତନ୍ତ୍ର ଦିନ ଭାବେ ପରିଗଣିତ ହୋଇଥାଏ । ଏହି ଦିବସର ପ୍ରମୁଖ ମହତ୍ତ୍ୱ ହେଉଛି ମେଟାଷ୍ଟାଟିକ୍ ରୋଗୀଙ୍କ ପାଇଁ ଉନ୍ନତ ଚିକିତ୍ସା ପଦ୍ଧତି, ନୂତନ ଗବେଷଣା ପାଇଁ ପାଣ୍ଠି ସଂଗ୍ରହ ଏବଂ ସେମାନଙ୍କୁ ସମାଜରେ ସହାୟତା ଓ ସହାନୁଭୂତି ଯୋଗାଇଦେବା, ଯାହାଦ୍ୱାରା ସେମାନେ ଉତ୍ତମ ଜୀବନଯାପନ କରିପାରିବେ ।




