ମେଡିସିନ ବ୍ୟାଙ୍କ
ହରିୟାଣାର ଫରିଦାବାଦରେ ଏକ ଅଭିନବ 'ମେଡିସିନ ବ୍ୟାଙ୍କ' ମାଧ୍ୟମରେ ସେବାର ଏକ ନୂଆ ଉଦାହରଣ ସୃଷ୍ଟି ହୋଇଛି, ଯେଉଁଠାରେ ଟଙ୍କା ବଦଳରେ ଔଷଧର କାରବାର କରାଯାଉଛି । ସ୍ଥାନୀୟ ଯୁବତୀ ମୀନୁ ଏବଂ ତାଙ୍କର ପ୍ରାୟ ୧୨ ଜଣ ବନ୍ଧୁ ମିଶି ଗତ ୬ ବର୍ଷ ହେବ ଘରକୁ ଘର ବୁଲି ଲୋକଙ୍କ ପାଖରେ ବଳକା ରହିଯାଇଥିବା ଔଷଧ ସଂଗ୍ରହ କରୁଛନ୍ତି । ସଂଗ୍ରହ କରିବା ପରେ ଏହି ଔଷଧକୁ ସେମାନେ ଗରିବ ତଥା ଅସହାୟ ରୋଗୀଙ୍କୁ ମାଗଣାରେ ଯୋଗାଇ ଦେଉଛନ୍ତି । ଏପରିକି ଅନେକ ସମୟରେ ବିଦେଶରୁ ମଧ୍ୟ ଲୋକେ ଏଠାକୁ ଔଷଧ ପଠାଇଥାନ୍ତି ଏବଂ କୌଣସି ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ବଳକା ଔଷଧକୁ ଏହି ବ୍ୟାଙ୍କରେ ଦାନ କରିଦିଅନ୍ତି । ଗରିବ ଲୋକେ ଔଷଧ କିଣିବାକୁ ଅସମର୍ଥ ହେଉଥିବା ବେଳେ ଅନ୍ୟପଟେ ବହୁ ପରିମାଣର ଔଷଧ ଆବର୍ଜନାରେ ଫିଙ୍ଗା ହେଉଥିବା ଦେଖି ମୀନୁ ଏହି ନିଆରା ପଦକ୍ଷେପ ଗ୍ରହଣ କରିଥିଲେ । ବର୍ତ୍ତମାନ ସୁଦ୍ଧା ହଜାର ହଜାର ଲୋକ ବିନା ପଇସାରେ ଚିକିତ୍ସା ସୁବିଧା ପାଇ ଉପକୃତ ହୋଇପାରୁଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ଏହି କାର୍ଯ୍ୟର ଖୁବ ପ୍ରଂଶସା ହେଉଥିବାବେଳେ ଅନେକ ଅନୁପ୍ରାଣିତ ହେଉଥିବା ଦେଖିବାକୁ ମିଳୁଛି ।



