ମାଉସୀ ଘରର ପୋଡ଼ ପିଠା

ଓଡିଆ ଘରର ଅଳଙ୍କାର ଓ ଓଡିଆ ଘରର ଖାଦ୍ୟ ବିଶ୍ୱରେ ବିରଳ । ଓଡିଆ ଜାତିର ଆରାଧ୍ୟ ଦେବତା ଜଗନ୍ନାଥ ବି ଅଳଙ୍କାର ଓ ଖାଦ୍ୟ ପ୍ରିୟ । ପ୍ରତିଦିନ ଷାଠିଏ ପଉଟି,ଛପନ ଭୋଗ ତାଙ୍କ ପାଇଁ ପ୍ରସ୍ତୁତ ହୁଏ । ଉଭୟ ଅନ୍ନ ଓ ଶୁଖିଲା ଭୋଗ ତାଙ୍କ ପାଇଁ ପ୍ରସ୍ତୁତ ହୁଏ । ଯାହାକୁ କି ମହାପ୍ରସାଦ କୁହାଯାଏ । ମହାପ୍ରସାଦରେ ଜାତିବର୍ଣ୍ଣର ଭେଦାଭେଦ ନଥାଏ । ଗଙ୍ଗା ଜଳ ଯେପରି ସବୁ ସଂପ୍ରଦାୟ […]

Samaya Live Picture
Published On

ଓଡିଆ ଘରର ଅଳଙ୍କାର ଓ ଓଡିଆ ଘରର ଖାଦ୍ୟ ବିଶ୍ୱରେ ବିରଳ । ଓଡିଆ ଜାତିର ଆରାଧ୍ୟ ଦେବତା ଜଗନ୍ନାଥ ବି ଅଳଙ୍କାର ଓ ଖାଦ୍ୟ ପ୍ରିୟ । ପ୍ରତିଦିନ ଷାଠିଏ ପଉଟି,ଛପନ ଭୋଗ ତାଙ୍କ ପାଇଁ ପ୍ରସ୍ତୁତ ହୁଏ । ଉଭୟ ଅନ୍ନ ଓ ଶୁଖିଲା ଭୋଗ ତାଙ୍କ ପାଇଁ ପ୍ରସ୍ତୁତ ହୁଏ । ଯାହାକୁ କି ମହାପ୍ରସାଦ କୁହାଯାଏ । ମହାପ୍ରସାଦରେ ଜାତିବର୍ଣ୍ଣର ଭେଦାଭେଦ ନଥାଏ । ଗଙ୍ଗା ଜଳ ଯେପରି ସବୁ ସଂପ୍ରଦାୟ ପାଇଁ ଆଦରଣୀୟ, ମହାପ୍ରସାଦ ସେପରି ସମସ୍ତ ସଂପ୍ରଦାୟ ପାଇଁ ବରଣୀୟ । ପିଠା ଖାଇବା ପାଇଁ ମହାପ୍ରଭୁଙ୍କର ବିଶେଷ ରୁଚି ଥିବାରୁ ପ୍ରତିଦିନ ପିଠା ଭୋଗ କରାଯାଏ ।
ଓଡିଶାର ପ୍ରାୟ ପ୍ରତ୍ୟେକ ଘରେ ପୋଡପିଠା ପ୍ରସ୍ତୁତ କରାଯାଏ । ଏହା ଏକ ପାରମ୍ପରିକ ଓଡିଆ ପିଠା । ପ୍ରତ୍ୟେକ ଓଡିଆ ଘରେ ବିଭିନ୍ନ ପର୍ବପର୍ବାଣିରେ ଏହି ପୋଡ ପିଠା ତିଆରି ହୁଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ମଧ୍ୟ ଏହି ପୋଡପିଠା ଖାଇବାର ପରମ୍ପରା ରହିଛି । ମାତ୍ର ଶ୍ରୀମନ୍ଦିରର କୋଠଭୋଗରେ ଲାଗି ହେଉଥିବା ପୋଡପିଠା ଏହାଠୁ ଭିନ୍ନ । ଶ୍ରୀମନ୍ଦିର ଭାଷାରେ ଏହାକୁ କୁହାଯାଇଥାଏ ହାତପୋଡା ଅମାଲୁ । ମହାପ୍ରଭୁଙ୍କର ଅତ୍ୟନ୍ତ ପ୍ରିୟ ଏହି ପୋଡପିଠା । ମହାପ୍ରଭୁଙ୍କ ସନ୍ଧ୍ୟା ଧୂପରେ ସାତ ମୂର୍ତ୍ତି ହାତପୋଡା ଅମାଲୁ ଭୋଗ ଲାଗିଥାଏ । ଦିବ୍ୟ ମହକଯୁକ୍ତ ଏହି ପୋଡପିଠା ଖୁବ୍‌ ସ୍ୱାଦପୂର୍ଣ୍ଣ । ବାହୁଡା ଦିନ ଦାରୁଦିଅଁ ରଥାରୂଢ ହେବା ପରେ ନୀଳାଚଳ ଅଭିମୁଖେ ଯାତ୍ରା କରନ୍ତି । କିଛି ବାଟ ଗଡିବା ପରେ ରଥ ବଳଗଣ୍ଡି ଠାରେ ଅଟକିଯାଏ । ସେହି ସ୍ଥାନ ହେଉଛି ମାଉସୀ ମା’ ମନ୍ଦିର । ମାଉସୀ ଠାରୁ ପୋଡପିଠା ଖାଇବା ପାଇଁ ଭଗବାନ ବ୍ୟଗ୍ର ହୋଇ ଉଠନ୍ତି । ଖାଦ୍ୟପ୍ରିୟ ମହାପ୍ରଭୁଙ୍କ ପାଇଁ ବିଭିନ୍ନ ପ୍ରକାର ସୁବାସିତ ଦ୍ରବ୍ୟର ମିଶ୍ରଣ କରି ଏହି ପୋଡପିଠା ପ୍ରସ୍ତୁତ କରିଥାନ୍ତି ସ୍ନେହମୟୀ ମାଉସୀ ।

ମହାପ୍ରଭୁଙ୍କର ମାଉସୀ ହେଉଛନ୍ତି ଅର୍ଦ୍ଧାସିନୀ ଦେବୀ । ବହୁ ବର୍ଷ ପୂର୍ବରୁ ବଡଦାଣ୍ଡ ମାଳିନୀ ନଦୀ ଦ୍ୱାରା ଦୁଇ ଭାଗରେ ବିଭକ୍ତ ହୋଇଥିଲା । ସେତେବେଳେ ଶ୍ରୀମନ୍ଦିରରୁ ଚତୁର୍ଦ୍ଧା ମୂର୍ତ୍ତି ଗୁଣ୍ଡିଚା ଯାତ୍ରାରେ ଯିବାକୁ ରଥଯାତ୍ରା ସମୟରେ ଛଅଟି ରଥ ନିର୍ମାଣ ହେଉଥିଲା । ଶ୍ରୀମନ୍ଦିରରୁ ଚତୁର୍ଦ୍ଧା ମୂର୍ତ୍ତି ତିନିଟି ରଥରେ ଆସି ନଦୀ ନିକଟରେ ଓହ୍ଲାଉଥିଲେ । ତାଙ୍କୁ ନଦୀ ପାର କରାଯାଇ ପୁନଶ୍ଚ ଆରପଟେ ତିନି ରଥରେ ବିଜେ କରାଯାଉଥିଲା । ମହାପ୍ରଭୁ ନଦୀ ପାର ହୋଇ ଯିବା ପରେ ସେହି ରଥରେ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଉଥିଲେ । ଏହି ନବ ଦିନାତ୍ମକ ଯାତ୍ରା ମଧ୍ୟରୁ ରଥ ଅଦଳବଦଳରେ ଛଅରୁ ସାତ ଦିନ ବିତୁଥିଲା । ଏହି ଅସୁବିଧା ଦେଖି ମହାପ୍ରଭୁଙ୍କ ମାଉସୀ ମାଳିନୀ ନଦୀକୁ ଶୋଷି ଦେଇଥିଲେ । ଯେଉଁଥିପାଇଁ ତାଙ୍କୁ କୁହାଯାଏ ଅର୍ଦ୍ଧଶୋଷିନୀ ବା ଅର୍ଦ୍ଧାସିିନୀ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଅସୁବିଧା ଦୂର ପାଇଁ ମାଉସୀ ନଦୀ ଜଳ ଶୋଷି ନେଇଥିବାରୁ ମହାପ୍ରଭୁ ଜଗନ୍ନାଥ ମାଉସୀ କଥା ରକ୍ଷା କରି ବାହୁଡିବା ବେଳେ ମାଉସୀମା’ ମନ୍ଦିରରେ ପୋଡପିଠା ଖାଇ ଯାଇଥାନ୍ତି ବୋଲି କିମ୍ବଦନ୍ତୀ ରହିଛି । ମାଦଳା ପାଞ୍ଜି ମୁତାବକ ବୀର ନରସିଂହଦେବ ରାଜାଙ୍କ ରାଜତ୍ୱ କାଳରେ ବାଙ୍କି ମୁହାଣ ପୋତା ହୋଇଥିଲା । ନଦୀ ପୋତାଯିବାରୁ ଛଅ ରଥ ବଦଳରେ ତିନି ରଥ କରାଯାଇଥିଲା । କେତେକ ଗବେଷକଙ୍କ ମତରେ ଗଙ୍ଗ ସମ୍ରାଟ ଅନଙ୍ଗ ଭୀମଦେବଙ୍କ ପୁତ୍ର ପ୍ରଥମ ଭାନୁଦେବଙ୍କ ଶାସନ କାଳରେ ମାଧବାଚାର୍ଯ୍ୟ ଶ୍ରୀକ୍ଷେତ୍ର ଆଗମନ କରିଥିଲେ ।
ରଥଯାତ୍ରା ସମୟରେ ଦୁଇ ପ୍ରକାର ରଥ ବ୍ୟବସ୍ଥା ଶାସ୍ତ୍ର ବିରୋଧୀ ବୋଲି ମତ ଦେବାରୁ ପ୍ରଥମ ଭାନୁଦେବ ମାଳିନୀ ନଦୀକୁ ପୋତି ବଡଦାଣ୍ଡରେ ମିଶାଇ ଦେଇଥିଲେ । ତେବେ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ମଝି ଭାଗରେ ମାଉସୀମା’ ମନ୍ଦିର ଅବସ୍ଥିତ । କେଶରୀ ବଂଶ ରାଜାଙ୍କ ରାଜତ୍ୱ ସମୟରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା । ଜଗନ୍ନାଥଙ୍କ ମାଉସୀମା’ ଭାବେ ଜଣାଶୁଣା ଏହି ଅର୍ଦ୍ଧାସିନୀ ଦେବୀଙ୍କ ମନ୍ଦିର ନିକଟରେ, ଗୁଣ୍ଡିଚା ମନ୍ଦିରରୁ ଫେରିବା ସମୟରେ ମାଉସୀମା’ଙ୍କ ନିକଟରେ ଟିକିଏ ଅଟକି ଯାଇ ମାଉସୀମା’ ହାତରୁ ଶ୍ରଦ୍ଧାର ପୋଡପିଠା ଖାଇଥାନ୍ତି । ମାଉସୀଙ୍କ ଦ୍ୱାରା ପ୍ରସ୍ତୁତ ପୋଡପିଠା ଖାଇବା ପରେ ପ୍ରଭୁ ଶ୍ରୀଜଗନ୍ନାଥ,ବଳଭଦ୍ର ଓ ଦେବୀ ସୁଭଦ୍ରା ସନ୍ତୋଷ ଲାଭ କରନ୍ତି । ହେରା ପଞ୍ଚମୀ ଠାରୁ ପୋଡପିଠା ପ୍ରସ୍ତୁତି ଆରମ୍ଭ ହୋଇଥାଏ । ଏହି ଦିନ ଇଟାରେ ଚୁଲି ନିର୍ମାଣ କରାଯାଏ । ଛେନା, ଅଟା, ଚିନି, ଅଳେଇଚ, ଲବଙ୍ଗ, ପିସ୍ତା ବାଦାମ, କିସ୍‌ମିସ୍‌ ଏବଂ ଘିଅ ମିଶାଯାଇ ଏକ ମିଶ୍ରଣ ପ୍ରସ୍ତୁତ କରାଯାଇଥାଏ ।
ମାଉସୀ ଘରର ପୋଡ଼ ପିଠା
ଚୁଲିରେ ପାଣି ହାଣ୍ଡି ବସାଯାଇ ଗରମ କରାଯାଏ । ହାଣ୍ଡି ଉପରେ ପଡିଥିବା ଜାଲିରେ ଏକ ଖଲି ପତ୍ର ପକାଯାଇ ଏହି ଅଟା ମିଶ୍ରଣକୁ ରଖାଯାଏ ଓ ତା’ ଉପରେ ଏକ ଖଲି ପତ୍ର ରଖାଯାଏ । ଗରମ ପାଣିରୁ ନିର୍ଗତ ବାମ୍ଫରେ ସାତରୁ ଆଠ ଘଣ୍ଟା ଏହି ମିଶ୍ରଣ ସିଝିଥାଏ । ଏହା ସଂପୂର୍ଣ୍ଣ ସିଝି ପାଗ ହୋଇଯିବା ପରେ ତାହାକୁ ଓହ୍ଲାଇ ଥଣ୍ଡା କରାଯାଏ । ଥଣ୍ଡା ହେବା ପରେ ତାହାକୁ ସାଇଜ୍‌ କରି କଟାଯାଇ ଦେଶୀ ଗୁଆଘିଅରେ ଛଣା ଯାଇଥାଏ । ତପିରେ ଏହା ନୈବେଦ୍ୟ ଉପଯୋଗୀ ହୋଇଥାଏ । ତିନୋଟ ମାଟିି କୁଡୁଆରେ ଏହା ରଖା ଯାଇଥାଏ । ବାହୁଡା ଦିନ ପ୍ରତି ରଥ ମାଉସୀମା’ ମନ୍ଦିର ନିକଟରେ ଅଟକିଥାଏ । ପୂଜାପଣ୍ଡା ସାମନ୍ତ ଆସି ମାଉସୀ ମା’ଙ୍କ ନିକଟରେ ପୋଡପିଠା ଭୋଗ କରିବା ପରେ ରଥାରୁଢ ଠାକୁରଙ୍କୁ ସମର୍ପଣ କରିଥାନ୍ତି । ଏହାକୁ ସର୍ପମଣୋହି ଭୋଗ କୁହାଯାଏ । ମାଉସୀ ଅର୍ଦ୍ଧଶୋଷିନୀ ଦେବୀଙ୍କ ପ୍ରସ୍ତୁତ ସ୍ୱାଦିଷ୍ଟ ପୋଡପିଠା ଖାଇ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି ମହାପ୍ରଭୁ । ବହୁ କଥା ଓ ଗାଥାକୁ ନେଇ ଏହି ପୋଡପିଠା ଭୋଗ ପରମ୍ପରା ଉଜ୍ଜୀବିତ । ପୋଡପିଠା ଭୋଗରୁ କାଣିଚାଏ ପାଇବାକୁ ଭକ୍ତ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି ।

Tags: