ମଟକା ମ୍ୟାନ୍

ମଟକା ମ୍ୟାନ୍
Ipsita Picture
By: Ipsita
Published On

 

ଅନେକ ସମୟରେ ବିଭିନ୍ନ ଲୋକ ପାଣି ପାଇଁ ସମସ୍ୟାରେ ପଡୁଥିବା ଦେଖିବାକୁ ମିଳିଥାଏ । ତେବେ ଉତ୍ତରପ୍ରଦେଶରେ ରହିଛନ୍ତି ଏଭଳି ଜଣେ ବ୍ୟକ୍ତିତ୍ବ ଯିଏ ସ୍ଥାନୀୟ ଅଞ୍ଚଳରେ ମଟକା ମ୍ୟାନ ଭାବେ ପରିଚିତ । ତାଙ୍କ ଅବଦାନକୁ ସେଠିକାର ଲୋକଙ୍କ ସହିତ ସାରା ଭାରତରେ ମିଳୁଛି ପ୍ରଶଂସା ।

 

ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲା ଅନ୍ତର୍ଗତ ଅହରୌରା ଆଦିବାସୀ ବହୁଳ ଅଞ୍ଚଳରୁ ଆସିଛି ମାନବିକତାର ଏକ ଅନନ୍ୟ କାହାଣୀ ।  ରିପୋର୍ଟ ଅନୁଯାୟୀ, ଜଙ୍ଗଲ ମହଲ ଗ୍ରାମର ୫୨ ବର୍ଷୀୟ ଘନଶ୍ୟାମ ମୌର୍ଯ୍ୟ ଏବଂ ତାଙ୍କ ପତ୍ନୀ ଶଶି ଲତା ଆଜି ସ୍ଥାନୀୟ ଅଞ୍ଚଳରେ ମଟକା ମ୍ୟାନ୍’  ଭାବେ ବେଶ୍ ପରିଚିତ। ପ୍ରତିବର୍ଷ ଗ୍ରୀଷ୍ମ ଋତୁର ଚାରି ମାସ ଧରି ପ୍ରଖର ଖରା ଓ ଅସହ୍ୟ ଗରମ ସମୟରେ ଏହି ଦମ୍ପତି ନିଜର ଆର୍ଥିକ ଅଭାବ ଅନାଟନ ସତ୍ତ୍ୱେ ଶ୍ରମିକ, ପଥିକ, ରୋଗୀ ଏବଂ ସାଧାରଣ ଜନତାଙ୍କ ତୃଷା ମେଣ୍ଟାଇବା ପାଇଁ ସରକାରୀ  ଡାକ୍ତରଖାନା, ବସଷ୍ଟାଣ୍ଡ ଓ ବଜାର ଭଳି ଜନଗହଳି ପୂର୍ଣ୍ଣ ସ୍ଥାନରେ ମାଟି ମାଠିଆ ସ୍ଥାପନ କରି ସେଥିରେ ସ୍ୱଚ୍ଛ ପିଇବା ପାଣି ଯୋଗାଇ ଆସୁଛନ୍ତି ।

ସେବାର ସଂକଳ୍ପ

ଏହି ନିସ୍ୱାର୍ଥପର ସେବା ପଛରେ ରହିଛି ଏକ ଦୁଃଖପୂର୍ଣ୍ଣ କାହାଣୀ । ୨୦୧୫ ମସିହାରେ ଘନଶ୍ୟାମଙ୍କ ମାଜଙ୍ଗଲ ମହଲ ଗ୍ରାମରେ ଯୋଗାଇ ଦିଆଯାଉଥିବା ପାଇପ୍ର ଦୂଷିତ ଏବଂ ହଳଦିଆ ରଙ୍ଗର ପାଣି ପିଇ ରକ୍ତହୀନତା ରୋଗରେ ପୀଡ଼ିତ ହୋଇଥିଲେ। ଜଣେ ଦିନମଜୁରିଆ ଭାବେ କାମ କରୁଥିବା ଘନଶ୍ୟାମ ପ୍ରାୟ ୧.୫ ଲକ୍ଷ ଟଙ୍କା ଋଣ କରି ମାଙ୍କ ଚିକିତ୍ସା କରାଇଥିଲେ ମଧ୍ୟ ଶେଷରେ ୨୦୧୭ ମସିହାରେ ତାଙ୍କର ମୃତ୍ୟୁ ଘଟିଥିଲା । ମାଙ୍କୁ ହରାଇବା ପରେ ସେ ସଂକଳ୍ପ ନେଇଥିଲେ ଯେ ନିଜ ଗ୍ରାମ ବା ପାଖପାଖ ଅଞ୍ଚଳର କୌଣସି ବ୍ୟକ୍ତି ଯେପରି ଦୂଷିତ ପାଣି ପିଇ ମୃତ୍ୟୁମୁଖରେ ନ ପଡ଼ନ୍ତି, ସେଥିପାଇଁ ସେ କାମ କରିବେ । ଯଦିଓ ତାଙ୍କ ପାଖରେ ଗ୍ରାମ ପାଇଁ ବୋରୱେଲ୍ କିମ୍ବା ଫିଲ୍ଟରେସନ ପ୍ଲାଣ୍ଟ ବସାଇବାକୁ ସାମର୍ଥ୍ୟ ନଥିଲା, ତଥାପି ସେ ଠିକାଦାରଙ୍କଠାରୁ ଟଙ୍କା ଧାର କରି ପ୍ରଥମେ ଗୋଟିଏ ମାଠିଆରୁ ନିଜର ଅଭିଯାନ ଆରମ୍ଭ କରିଥିଲେ ଏବଂ ଆଜି ତାହା ଶତାଧିକ ମାଠିଆରେ ପହଞ୍ଚିଛି ।

 ସକାଳ ୪ଟାରୁ ଆରମ୍ଭ ହୁଏ ସଂଘର୍ଷ

ପ୍ରତିଦିନ ସକାଳ ୪ଟା ବାଜିବା ବେଳକୁ ଯେତେବେଳେ ସାରା ଗ୍ରାମ ଶୋଇଥାଏ, ଘନଶ୍ୟାମ ଏକ କାଠ ହାତଗାଡ଼ିରେ ୫୦୦ ଲିଟରର ଏକ ବିଶାଳ ପାଣି ଟାଙ୍କି ଲଦି ବାହାରି ପଡ଼ନ୍ତି ।  ଅହରୌରା ବଜାରର କିଛି ଆର.ଓ ପ୍ଲାଣ୍ଟ୍ ମାଲିକ ତାଙ୍କ ମହତ କାର୍ଯ୍ୟକୁ ଦେଖି ମାଗଣାରେ ପାଣି ଭରିବାକୁ ଅନୁମତି ଦେଇଥାନ୍ତି । ଘନଶ୍ୟାମ ହାତଗାଡ଼ି ଟାଣି ପ୍ରତିଟି ଛକରେ ପହଞ୍ଚି ପୂର୍ବ ଦିନର ପାଣିକୁ ଢାଳି ସେଥିରେ ସତେଜ ପାଣି ଭରନ୍ତି । କେବଳ ପାଣି ନୁହେଁ, ବରଂ ଗରିବ ଶ୍ରମିକମାନଙ୍କ ପାଇଁ ସେ ମାଠିଆ ପାଖରେ ଓଦା ଗାମୁଛା, ବିସ୍କୁଟ କିମ୍ବା ମିଠା ଏବଂ ଖାଲି ପାଦରେ ଚାଲୁଥିବା ଲୋକଙ୍କ ପାଇଁ ଚପଲ ମଧ୍ୟ ରଖିଥାନ୍ତି। ଦିନସାରା ମାଠିଆ ଗୁଡ଼ିକ ଖାଲି ହେବା ପରେ ସେ ସକାଳ, ଦ୍ୱିପ୍ରହର ଏବଂ ସନ୍ଧ୍ୟାରେ ବୁଲି ବୁଲି ପୁନର୍ବାର ପାଣି ଭରନ୍ତି ଏବଂ ଦିନକୁ ପ୍ରାୟ ୧୦୦୦ ଲିଟର ସ୍ୱଚ୍ଛ ଜଳ ବଣ୍ଟନ କରନ୍ତି ।

 

ଇ-ରିକ୍ସାର ଅଭାବ

ପୂର୍ବରୁ ଗତ ୬ ବର୍ଷ ଧରି ଘନଶ୍ୟାମ ଦୈନିକ ୫୦୦ ଟଙ୍କା ଭଡ଼ାରେ ଏକ ବ୍ୟାଟେରୀ ଚାଳିତ ଇ-ରିକ୍ସା (ଟୋଟୋ) ନେଇ ପ୍ରାୟ ୭୦ ରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ଦୂରବର୍ତ୍ତୀ ଆଦିବାସୀ ବସ୍ତି ଓ ଶ୍ରମିକ ଶିବିରକୁ ଯାଇ ପାଣି ପହଞ୍ଚାଉଥିଲେ। ମାତ୍ର ଚଳିତ ବର୍ଷ ଘରର ଆର୍ଥିକ ସ୍ଥିତି ବିଗିଡ଼ିବା ଏବଂ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ବଢ଼ିବା ଯୋଗୁଁ ସେ ଦୈନିକ ୧୦୦ ଟଙ୍କା ଭଡ଼ାରେ ହାତଗାଡ଼ି ବ୍ୟବହାର କରିବାକୁ ବାଧ୍ୟ ହୋଇଛନ୍ତି। ଏହି କାରଣରୁ ସେ ଏବେ ମାତ୍ର ୧୫ ରୁ ୨୦ କିଲୋମିଟର ପରିସୀମା ମଧ୍ୟରେ କେବଳ ୧୫୦ଟି ମାଠିଆ ରଖିବାକୁ ସକ୍ଷମ ହୋଇଛନ୍ତି। ଦୂରଦୂରାନ୍ତର ଆଦିବାସୀ ଅଞ୍ଚଳରେ ଲୋକେ ଏବେ ମଧ୍ୟ ତାଙ୍କ ପାଣିକୁ ଅପେକ୍ଷା କରି ରହିଥିବା ବେଳେ ସେଠାରେ ପହଞ୍ଚି ନପାରିବା ତାଙ୍କ ହୃଦୟକୁ ଗଭୀର ଆଘାତ ଦେଇଥିବା ସେ  ପ୍ରକାଶ କରିଛନ୍ତି । ନିଜର ଜମି ବା ସ୍ଥାୟୀ ଚାକିରି ନଥାଇ ଜଣେ ସାଧାରଣ ଜବ୍ କାର୍ଡଧାରୀ ଦିନମଜୁରିଆ ଭାବେ କାର୍ଯ୍ୟ କରୁଥିବା ଘନଶ୍ୟାମଙ୍କୁ ଏହି କାର୍ଯ୍ୟରେ ଜୀବନର ସବୁଠାରୁ ବଡ଼ ସଫଳତା ମିଳୁଥିବା ପ୍ରକାଶ କରିଛନ୍ତି ।

Tags: