ଅନେକଙ୍କର ହୋଇଥାଏ ଆଗମନ

ଅନେକଙ୍କର ହୋଇଥାଏ ଆଗମନ
Ipsita Picture
By: Ipsita
Published On

 

ଭାରତକୁ ପ୍ରତିବର୍ଷ ବିଭିନ୍ନ ସ୍ଥାନରୁ ପଶୁ ଓ ପକ୍ଷୀମାନେ ଆସିଥାଆନ୍ତି କିଛି ସମୟର ରହଣି ପାଇଁ ଏହି ପ୍ରକ୍ରିୟାକୁ ପ୍ରବାସୀ ବା ମାଇଗ୍ରେସନ କୁହାଯାଇଥାଏ । ଏହି ତାଲିକାରେ ବିଭିନ୍ନ ପ୍ରକାରର ଜୀବଜନ୍ତୁ ସାମିଲ ଅଛନ୍ତି, ଯେଉଁମାନେ ପ୍ରକୃତିର ଏହି ସ୍ବତନ୍ତ୍ର ନିୟମକୁ ଅନୁକରଣ କରିଥାଆନ୍ତି ।

 ଅମୁର ଫାଲକନ୍

ଏହି କ୍ଷୁଦ୍ର ଶିକାରୀ ପକ୍ଷୀମାନେ ସାଇବେରିଆ ଓ ଉତ୍ତର ଚୀନରୁ ଦକ୍ଷିଣ ଆଫ୍ରିକା ପର୍ଯ୍ୟନ୍ତ ପ୍ରାୟ ୨୨,୦୦୦ କିଲୋମିଟରରୁ ଅଧିକ ଯାତ୍ରା କରନ୍ତି।  ଏହି ପ୍ରବାସ ସମୟରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ନାଗାଲାଣ୍ଡ ଓ ମଣିପୁର ଏମାନଙ୍କର ପ୍ରମୁଖ ବିଶ୍ରାମ ସ୍ଥଳୀ ହୋଇଥିବା ବେଳେ, ଓଡ଼ିଶାର ଅନୁଗୁଳ ଜିଲ୍ଲାର ପେଣ୍ଠପଲା ଏବଂ କେନ୍ଦୁଝରର କିଛି ଅଞ୍ଚଳରେ ମଧ୍ୟ ଏହି ପକ୍ଷୀମାନଙ୍କର ଆଗମନ ଦେଖିବାକୁ ମିଳେ। ସାଧାରଣତଃ ଅକ୍ଟୋବର ଓ ନଭେମ୍ବର ମାସରେ ଏମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଏକାସାଙ୍ଗରେ ଆକାଶରେ ଉଡ଼ି ଆସନ୍ତି ଏବଂ ବିଭିନ୍ନ କୀଟପତଙ୍ଗ ବିଶେଷ କରି ଉଇ ଚିପୁଡ଼ା ଖାଇ ନିଜ ଶରୀରରେ ଶକ୍ତି ସଞ୍ଚୟ କରନ୍ତି।  ଓଡ଼ିଶାରେ ଏହି ପକ୍ଷୀମାନଙ୍କୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ଓ ସ୍ଥାନୀୟ ସଂଗଠନ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଛି ।

ବାର୍-ହେଡେଡ୍ ଗୁଜ୍

 ବାର-ହେଡେଡ୍ ଗୁଜ୍ ହେଉଛନ୍ତି ବିଶ୍ୱର ସବୁଠାରୁ ଅଧିକ ଉଚ୍ଚତାରେ ଉଡ଼ିପାରୁଥିବା ଏକ ବିରଳ ପ୍ରବାସୀ ପକ୍ଷୀ। ଯେଉଁମାନେ ପ୍ରତିବର୍ଷ ଶୀତ ଋତୁରେ ମଧ୍ୟ ଏସିଆ ଓ ତିବ୍ଦତୀୟ ମାଳଭୂମିରୁ ପ୍ରାୟ ହଜାର ହଜାର କିଲୋମିଟର ପଥ ଅତିକ୍ରମ କରି ଭାରତର ବିଭିନ୍ନ ଆଦ୍ରଭୂମିକୁ ଆସିଥାନ୍ତି। ଏହି ପକ୍ଷୀମାନଙ୍କର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ସେମାନେ ପ୍ରାୟ ୨୯,୦୦୦ ଫୁଟ ଉଚ୍ଚତାରେ ହିମାଳୟ ପର୍ବତମାଳାକୁ ଅତିକ୍ରମ କରିପାରନ୍ତି । ଏମାନଙ୍କ ମୁଣ୍ଡରେ ଦୁଇଟି କଳା ରଙ୍ଗର ପଟ୍ଟି ରହିଥିବାରୁ ଏମାନଙ୍କୁ 'ବାର-ହେଡେଡ୍ ଗୁଜ୍' କୁହାଯାଏ ଏବଂ ଓଡ଼ିଶାର ଚିଲିକା ହ୍ରଦ, ଭିତରକନିକା ଏବଂ ହୀରାକୁଦ ଜଳାଶୟରେ ଶୀତଦିନେ ଏମାନଙ୍କର ବିଶାଳ ସମାଗମ ଦେଖିବାକୁ ମିଳେ। ପ୍ରାୟତଃ ଅକ୍ଟୋବର ମାସରୁ ଆସି ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏମାନେ ଭାରତରେ ଅତିବାହିତ କରନ୍ତି ।

ଗ୍ରେଟର ଫ୍ଲେମିଙ୍ଗୋ

ଏହି ପକ୍ଷୀ ହେଉଛନ୍ତି ବିଶ୍ୱର ସବୁଠାରୁ ଆକର୍ଷଣୀୟ ଓ ଦୀର୍ଘକାୟ ପ୍ରବାସୀ ପକ୍ଷୀଙ୍କ ମଧ୍ୟରୁ ଅନ୍ୟତମ। ଏମାନେ ପ୍ରତିବର୍ଷ ଶୀତ ଋତୁରେ ମଧ୍ୟ ଏସିଆ, ଇରାନ ଏବଂ ଆଫଗାନିସ୍ତାନରୁ ଭାରତକୁ ହଜାର ହଜାର କିଲୋମିଟର ପଥ ଅତିକ୍ରମ କରି ଉଡ଼ି ଆସନ୍ତି । ଏହି ପକ୍ଷୀମାନଙ୍କର ଗୋଲାପୀ ରଙ୍ଗର ଲମ୍ବା ଗୋଡ଼ ଓ ବଙ୍କା ଥଣ୍ଟ ଏମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥାଏ । ମୁଖ୍ୟତଃ ଗୁଜରାଟର କଚ୍ଛ ରଣ ଏମାନଙ୍କର ପ୍ରମୁଖ ପ୍ରଜନନ କ୍ଷେତ୍ର ହୋଇଥିବା ବେଳେ ଓଡ଼ିଶାର ଚିଲିକା ହ୍ରଦରେ ମଧ୍ୟ ଏମାନଙ୍କର ବିଶାଳ ସମାଗମ ଦେଖିବାକୁ ମିଳେ। ପ୍ରାୟତଃ ଅକ୍ଟୋବରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏମାନେ ଭାରତର ଆଦ୍ରଭୂମି ଓ ହ୍ରଦଗୁଡ଼ିକରେ ଅତିବାହିତ କରନ୍ତି ଏବଂ ପାଣି ମଧ୍ୟରେ ଥିବା କ୍ଷୁଦ୍ର ଶାମୁକା, ଚିଙ୍ଗୁଡ଼ି ଓ ଶୈବାଳ ଖାଇ ନିଜ ଶରୀରରେ ଶକ୍ତି ସଞ୍ଚୟ କରନ୍ତି ।

ସାଇବେରିଆନ୍ କ୍ରେନ୍

ଏହି ବିରଳ ଧଳା ସାରସ ହେଉଛନ୍ତି ବିଶ୍ୱର ଏକ ଅତି ବିରଳ ଏବଂ ସଙ୍କଟାପନ୍ନ ପ୍ରବାସୀ ପକ୍ଷୀ। ଏମାନେ ପ୍ରତିବର୍ଷ ଶୀତ ଋତୁରେ ରୁଷିଆର ସାଇବେରିଆ ଅଞ୍ଚଳରୁ ପ୍ରାୟ ୫,୦୦୦ ରୁ ୬,୦୦୦ କିଲୋମିଟର ପଥ ଅତିକ୍ରମ କରି ଭାରତର ବିଭିନ୍ନ ଜଳାଶୟକୁ ଆସିଥାନ୍ତି । ଏହି ପକ୍ଷୀମାନଙ୍କର ସମ୍ପୂର୍ଣ୍ଣ ଶରୀର ଧଳା ରଙ୍ଗର ହୋଇଥିବା ବେଳେ ଏମାନଙ୍କର ମୁହଁ ନାଲି ଏବଂ ଥଣ୍ଟ ବେଶ୍ ଶକ୍ତ ହୋଇଥାଏ।  ଭାରତରେ ରାଜସ୍ଥାନର ଭରତପୁରସ୍ଥିତ କେଓଲାଦେଓ ଜାତୀୟ ଉଦ୍ୟାନ ଏମାନଙ୍କର ପ୍ରମୁଖ ବିଶ୍ରାମ ସ୍ଥଳୀ ଭାବେ ବିଶ୍ୱପ୍ରସିଦ୍ଧ ଥିଲା। ଯଦିଓ ସାମ୍ପ୍ରତିକ ସମୟରେ ପରିବେଶ ପରିବର୍ତ୍ତନ ଓ ଶିକାର ଯୋଗୁଁ ଏମାନଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି । ସାଧାରଣତଃ ଅକ୍ଟୋବର ମାସରୁ  ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏମାନେ ଭାରତର ଆଦ୍ରଭୂମିଗୁଡ଼ିକରେ ଅତିବାହିତ କରନ୍ତି । ଯାହାପରେ ତାପମାତ୍ରା ବଢ଼ିବା କ୍ଷଣି ପୁନର୍ବାର ସାଇବେରିଆ ଅଭିମୁଖେ ଉଡ଼ିଯାନ୍ତି ।

ଏସୀୟ ହାତୀ

ଏସୀୟ ହାତୀ ମାନଙ୍କର ପ୍ରବାସ ପ୍ରକ୍ରିୟା ମୁଖ୍ୟତଃ ଖାଦ୍ୟ ଏବଂ ଜଳର ସନ୍ଧାନ ଉପରେ ଆଧାରିତ ହୋଇଥାଏ। ଯେଉଁଥିପାଇଁ ଏହି ବିଶାଳକାୟ ଜୀବମାନେ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ସମୟରେ ଜଙ୍ଗଲର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଶହ ଶହ କିଲୋମିଟର ପଥ ଅତିକ୍ରମ କରିଥାନ୍ତି । ଭାରତରେ ବିଶେଷ କରି ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟଗୁଡ଼ିକ ମଧ୍ୟରେ ଏମାନଙ୍କର ଏକ ପାରମ୍ପରିକ ଚଲାପଥ ବା 'ଏଲିଫ୍ୟାଣ୍ଟ କରିଡର' ରହିଛି । ଯାହାକୁ ଅନୁସରଣ କରି ଏମାନେ ଦଳଗତ ଭାବେ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଯାତ୍ରା କରନ୍ତି । ଧାନ ଅମଳ ସମୟରେ ଅର୍ଥାତ୍ ଅକ୍ଟୋବରରୁ ଫେବୃଆରୀ ମଧ୍ୟରେ ଏମାନଙ୍କର ପ୍ରବାସ ସବୁଠାରୁ ଅଧିକ ଦେଖିବାକୁ ମିଳେ । ବର୍ତ୍ତମାନ ଜଙ୍ଗଲ କ୍ଷୟ ଏବଂ ଜନବସତି ବୃଦ୍ଧି ଯୋଗୁଁ ଏମାନଙ୍କ ଚଲାପଥ ବାଧାପ୍ରାପ୍ତ ହେଉଛି । ଯାହାଫଳରେ ମଣିଷ ଓ ହାତୀଙ୍କ ମଧ୍ୟରେ ସଂଘର୍ଷ ବଢ଼ିବାରେ ଲାଗିଛି ।

ହମ୍ପବ୍ୟାକ୍ ହୁଏଲ୍

ହମ୍ପବ୍ୟାକ୍ ହୁଏଲ୍ ହେଉଛନ୍ତି ବିଶ୍ୱର ସବୁଠାରୁ ଦୀର୍ଘତମ ପ୍ରବାସ କରୁଥିବା ସ୍ତନ୍ୟପାୟୀ ଜୀବଙ୍କ ମଧ୍ୟରୁ ଅନ୍ୟତମ । ଯେଉଁମାନେ ପ୍ରତିବର୍ଷ ଖାଦ୍ୟ ସନ୍ଧାନ ଓ ପ୍ରଜନନ ପାଇଁ ପ୍ରାୟ ୫,୦୦୦ ରୁ ୮,୦୦୦ କିଲୋମିଟର ପର୍ଯ୍ୟନ୍ତ ସାମୁଦ୍ରିକ ଯାତ୍ରା କରିଥାନ୍ତି । ଏହି ବିଶାଳକାୟ ତିମିମାନେ ଗ୍ରୀଷ୍ମ ଋତୁରେ ଆଣ୍ଟାର୍କଟିକା ଭଳି ଶୀତଳ ଜଳରାଶିରେ ପ୍ରଚୁର ପରିମାଣର କ୍ରିଲ୍ ଓ ମାଛ ଖାଇ ନିଜ ଶରୀରରେ ଚର୍ବି ସଞ୍ଚୟ କରନ୍ତି । ଶୀତଦିନେ ପ୍ରଜନନ ତଥା ଶାବକ ଜନ୍ମ ଦେବା ପାଇଁ ଭାରତ ମହାସାଗରର ଉଷ୍ମ ଜଳରାଶି ଅଭିମୁଖେ ଗତି କରିଥାନ୍ତି । ଭାରତର ଆରବ ସାଗର, ବିଶେଷ କରି ମହାରାଷ୍ଟ୍ରର କୋଙ୍କଣ ଉପକୂଳ ଏବଂ ଗୁଜରାଟ ନିକଟବର୍ତ୍ତୀ ସମୁଦ୍ରରେ ଏମାନଙ୍କର ଆଗମନ ଦେଖିବାକୁ ମିଳୁଥିବା ବେଳେ, ଏମାନେ ସମୁଦ୍ର ମଧ୍ୟରେ ନିଜର ବିଶେଷ 'ଗୀତ' ଏବଂ ପାଣି ଉପରକୁ ଡେଇଁବା  ଶୈଳୀ ପାଇଁ ବେଶ୍ ପରିଚିତ ।

ଗ୍ରେ ହୁଏଲ୍

ହମ୍ପବ୍ୟାକ୍ ହୁଏଲ୍ଙ୍କ ଭଳି ଗ୍ରେ ହୁଏଲ୍ ମଧ୍ୟ ଶୀତ ଦିନେ ଥଣ୍ଡା ଜଳରାଶିରୁ ବଂଶ ବୃଦ୍ଧି ପାଇଁ ଭାରତ ମହାସାଗରର ଉଷ୍ମ ଜଳ ଅଭିମୁଖେ ଆସନ୍ତି । ଏମାନେ ସମୁଦ୍ର ଉପକୂଳ ଦେଇ ଯାତ୍ରା କରିବାକୁ ଭଲ ପାଆନ୍ତି, ଯାହାଫଳରେ ଅନେକ ସମୟରେ ଏମାନଙ୍କୁ ଦେଖିବା ସହଜ ହୋଇଥାଏ ।

Tags: