ଆମ୍ବ ପ୍ରେମୀ ଭାରତୀୟ
ଭାରତରେ ଆମ୍ବ କେବଳ ଏକ ସ୍ୱାଦିଷ୍ଟ ଫଳ ନୁହେଁ, ବରଂ ଏହା ଏକ ଋତୁକାଳୀନ ଉତ୍ସବ ସଦୃଶ ଅଟେ । ତଥ୍ୟ ଅନୁଯାୟୀ, ଭାରତୀୟମାନେ ପ୍ରତିବର୍ଷ ପ୍ରାୟ ୨୬ ଶହ କୋଟି କିଲୋ ଆମ୍ବ ଖାଇଥାନ୍ତି । ସାରା ବିଶ୍ୱର ପ୍ରାୟ ଅଧା ଆମ୍ବ ଭାରତରେ ଉତ୍ପାଦନ ହେଉଥିବା ବେଳେ ଏହାର ପରିମାଣ ବାର୍ଷିକ ପ୍ରାୟ ୨୪ ରୁ ୨୬ ଶହ କୋଟି କିଲୋ ମଧ୍ୟରେ ରହିଥାଏ। ଆଶ୍ଚର୍ଯ୍ୟର କଥା ହେଉଛି, ଏତେ ବିପୁଳ ପରିମାଣର ଉତ୍ପାଦନ ସତ୍ତ୍ୱେ ଭାରତରୁ ମାତ୍ର ୧ ପ୍ରତିଶତରୁ କମ୍ ଆମ୍ବ ବିଦେଶକୁ ରପ୍ତାନି କରାଯାଇଥାଏ । ପରିସଂଖ୍ୟାନ ଅନୁଯାୟୀ, ଭାରତ ବାର୍ଷିକ ମାତ୍ର ୩୨,୦୦୦ ଟନ୍ ଆମ୍ବ ରପ୍ତାନି କରେ, ଯାହା ମୋଟ ଉତ୍ପାଦନର ମାତ୍ର ୦.୧୩ ପ୍ରତିଶତ ଅଟେ । ଅନ୍ୟପଟେ ମେକ୍ସିକୋ ଭଳି ଦେଶ ଭାରତ ତୁଳନାରେ କମ୍ ଉତ୍ପାଦନ କରି ମଧ୍ୟ ରପ୍ତାନି ଜରିଆରେ ଅଧିକ ଲାଭ କରୁଛନ୍ତି । ଭାରତର ପ୍ରାୟ ୧୫୦ କୋଟି ଜନସଂଖ୍ୟା ମଧ୍ୟରେ ଆମ୍ବର ଚାହିଦା ଏତେ ଅଧିକ ଯେ, ଜଣେ ବ୍ୟକ୍ତି ହାରାହାରି ବର୍ଷକୁ ୧୦୦ ରୁ ଅଧିକ ଆମ୍ବ ଖାଇଥାନ୍ତି । ସୋସିଆଲ ମିଡିଆରେ ଏହି ତଥ୍ୟ ଭାଇରାଲ ହେବା ପରେ ଜଣେ ୟୁଜର ନିଜ ପ୍ରତିକ୍ରିୟାରେ ଲେଖିଛନ୍ତି ଯେ, ସେ ପ୍ରତି ସିଜନରେ ଅତି କମରେ ୨୦୦ରୁ ଅଧିକ ଆମ୍ବ ଏକୁଟିଆ ଖାଇଯାନ୍ତି । ଏହି ରିପୋର୍ଟରୁ ସ୍ପଷ୍ଟ ହେଉଛି ଯେ ଭାରତୀୟଙ୍କ ପାଇଁ "ଫଳର ରାଜା" ଆମ୍ବ କେତେ ପ୍ରିୟ ଏବଂ ଦେଶର ଘରୋଇ ବଜାରରେ ଏହାର ଚାହିଦା ଆନ୍ତର୍ଜାତୀୟ ରପ୍ତାନି ତୁଳନାରେ ବହୁତ ଅଧିକ ରହିଛି ।



