ବିଶ୍ୱାସର ପର୍ବ ମକର
ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ । ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ଲେଖାଏଁ ରାଶିକୁ ଗମନ କରି ଉକ୍ତ ରାଶିରେ ଏକ ମାସ ଅବସ୍ଥାନ କରନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରିଥାନ୍ତି । ଏହି ଦିନ ସୂର୍ଯ୍ୟ ଉତ୍ତରଦିଗକୁ ଯାତ୍ରା କରି ଛଅମାସ ଅବସ୍ଥାନ କରୁଥିବା ବେଳେ ଏହି ସମୟରେ ବିବାହ, ବ୍ରତ, ଯଜ୍ଞାନୁଷ୍ଠାନ, ଗୃହ ଓ ମନ୍ଦିର ପ୍ରତିଷ୍ଠା ଆଦି ଶୁଭ କର୍ମ ପାଇଁ ପ୍ରକୃଷ୍ଠ ସମୟ ବୋଲି ଧରାଯାଏ । ସୂର୍ଯ୍ୟଙ୍କ ଉପାସନା ଦ୍ୱାରା ଶାରୀରିକ, ଭୌତିକ ଓ ମାନସିକ ସମସ୍ୟାରୁ ମୁକ୍ତି ମିଳିଥାଏବୋଲି ବିଶ୍ବାସ ରହିଛି। ମକର ସଂକ୍ରାନ୍ତିକୁ ନେଇ ଭାରତୀୟ ସଂସ୍କୃତିରେ ଏକାଧିକ ବିଶ୍ୱାସ ରହିଛି । ଏହି ଦିନ ଗଙ୍ଗାମାତା ଭାଗୀରଥିଙ୍କ ପଛେପଛେ ଆସି ସାଗରରେ ମିଶିଥିଲେ ବୋଲି ବର୍ଣ୍ଣନା ରହିଛି । ଏହି ତିଥିରେ ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ ପାଇବା ପାଇଁ ବ୍ରତ ରଖିଥିଲେ । ଏହି ଦିନ ଚାଉଳ ଓ ଡାଲିରେ ତିଆରି ଖେଚେଡ଼ି ଖାଇବାର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି । ଚାଉଳ କୁ ଚଂଦ୍ରମା ଓ ଡାଲିକୁ ଶନିଙ୍କ ପ୍ରତୀକ ଭାବରେ ଗ୍ରହଣ କରାଯାଏ l ସେହିପରି ଅନ୍ୟ ସବୁଜ ପରିବା ଗୁଡ଼ିକୁ ବୁଧଙ୍କ ପ୍ରତୀକ କୁହାଯାଏ l ଏସବୁର ସମ୍ପର୍କ ମଙ୍ଗଳ ଓ ସୂର୍ଯ୍ୟଙ୍କ ସହ ରହିଥିବାରୁ ଏହି ସବୁର ଖେଚେଡ଼ି ସେବନ କଲେ ଏଥିସହ ସଂପର୍କିତ ଗ୍ରହଙ୍କ ସକରାତ୍ମକ ପ୍ରଭାବ ବ୍ୟକ୍ତିର ଜୀବନ ଉପରେ ପଡ଼ୁଥିବା ବିଶ୍ୱାସ କରାଯାଏ । ଏକ ପୌରାଣିକ କଥାବସ୍ତୁ ଅନୁଯାୟୀ ମକର ସଂକ୍ରାନ୍ତିରେ ରାଶି ଖାଇବାର ଅନ୍ୟ ପରମ୍ପରା ବହୁଦିନରୁ ଚାଲିଆସିଛି । ବୈଜ୍ଞାନିକ ଦୃଷ୍ଟି କୋଣରୁ ଯଦି ବିଚାର କରାଯାଏ ତେବେ ଏହି ସମୟରେ ଦେଶର ଅନେକ ସ୍ଥାନରେ ଶୀତ ଲହରୀ ଜାରି ରହିଥିବାରୁ ପ୍ରବଳ ଶୀତ ଅନୁଭୁତ ହେଉଥାଏ, ପୁନଶ୍ଚ ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ଗୋଟିଏ ରାଶିକୁ ଗତି କଲେ ପାଣିପାଗରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଫଳରେ ଏହି ସମୟରେ ନାନା ରୋଗର ଆଶଙ୍କା ରହିଥାଏ । ରାଶି ଓ ଖେଚୁଡ଼ିରେ ଅନେକ ପୋଷକ ତତ୍ତ୍ୱ ରହିଥିବାରୁ ଏହା ଶରୀରକୁ ଗରମ ରଖିବା ସହ ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିଥାଏ । ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ଶ୍ରୀଜିଉ ମାନଙ୍କର ପଟା ପହରଣ କରାଯାଇ ମକର ଲାଗି କରାଯାଏ । ଏହା ପରେ କର୍ପୂର ଲାଗି ହୋଇ ଶ୍ରୀବିଗ୍ରହ ମାନଙ୍କୁ ବେଶ କରାଯାଇଥାଏ । ଓଡ଼ିଶା ସମେତ ଗୋଆ, ହରିଆଣା, ବିହାର, ଝାରଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ଆଦିରେ ମକର ସଂକ୍ରାନ୍ତି ଓ କର୍ଣ୍ଣାଟକ, କେରଳ, ଆନ୍ଧ୍ର ପ୍ରଦେଶରେ ସଂକ୍ରାନ୍ତି ପର୍ବ ଭାବରେ ପାଳନ କରାଯାଉଥିବା ବେଳେ ତାମିଲନାଡ଼ୁରେ ପୋଙ୍ଗଲ, ପଞ୍ଜାବରେ ଲୋହଡ଼ି, ହରିଆଣା ଓ ହିମାଚଳ ପ୍ରଦେଶରେ ମାଘି ଓ ଉତ୍ତର ପ୍ରଦେଶ ଓ ପଶ୍ଚିମ ବିହାରରେ ଏହାକୁ ଖିଚିଡ଼ ସଂକ୍ରାନ୍ତି ଭାବରେ ପାଳନ କରାଯାଇଥାଏ । ସେହିପରି ବଙ୍ଗରେ ପୌଷ ସଂକ୍ରାନ୍ତି, କାଶ୍ମୀରରେ ଶିଶୁର୍ ସେକ୍ରାନ୍ତି ଏବଂ କର୍ଣ୍ଣାଟକରେ ମକର ସଂକ୍ରାନ୍ତି, ତିଲୁଡ୍ ପର୍ବ ଭାବେ ଜଣାଯାଏ ।
‐ ବୈଷ୍ଣବ ମେହେର
ସିନାପାଲି, ନୂଆପଡ଼ା
Related Posts



