ମହାଷ୍ଟମୀ
ମହାଷ୍ଟମୀ ଏକ ପବିତ୍ର ତିଥି ଯାହା ଦୁର୍ଗା ପୂଜା ଅବସରରେ ଅଷ୍ଟମୀ ତିଥିରେ ପାଳନ କରାଯାଏ । ବିଭିନ୍ନ ଶକ୍ତିପୀଠ ସହ ବିଭିନ୍ନ ପୂଜା ପେଣ୍ଡାଲରେ ଅଷ୍ଟମୀ ଖୁବ ଶ୍ରଦ୍ଧାର ଓ ରୀତିନୀତିରେ ପାଳନ କରାଯାଇଥାଏ । ଏହିଦିନ ମାଆ ଦୁର୍ଗାଙ୍କର ସନ୍ଧି ପୂଜା ଅନୁଷ୍ଠିତ ହୋଇଥାଏ, ଯାହା ଖୁବ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ଏହି ଦିନ ଅନେକ ସ୍ଥାନରେ ଲୋକମାନେ ଉପବାସ ପାଳନ କରନ୍ତି । ସେହିଭଳି ଏହି ଦିନ ଅନେକ ସ୍ଥାନରେ ସୁନ୍ଦର ପୋଷାକ ପିନ୍ଧି ଲୋକମାନେ ଏକତ୍ରିତ ହୋଇ ଗରବା ନୃତ୍ୟ ମଧ୍ୟ କରନ୍ତି । କିଛିସ୍ଥାନରେ ଅଷ୍ଟମୀଦିନ ଦେବୀଙ୍କର ଅସ୍ତ୍ରଶସ୍ତ୍ର ପୂଜା କରାଯାଉଥିବାରୁ ଏହି ଦିବସକୁ ‘ଅସ୍ତ୍ର ପୂଜା’ ଦିବସ ମଧ୍ୟ କୁହାଯାଏ ଏବଂ କିଛି ସ୍ଥାନରେ ଏହି ଦିବସକୁ ବୀର ଅଷ୍ଟମୀ ମଧ୍ୟ କୁହାଯାଏ । କେତେକ ସ୍ଥାନରେ ବିଶ୍ୱାସ କରାଯାଏ, ମା ଦୁର୍ଗାଙ୍କର କପାଳରୁ ଦେବୀ ଚାମୁଣ୍ଡା ଏହି ଦିବସରେ ଜାତ ହୋଇ ମହିଷାସୁରର ତିନି ସାଥି ଚଣ୍ଡ, ମୁଣ୍ଡ ଓ ରକ୍ତବୀଜ ଅସୁରକୁ ମାରିଥିଲେ । ଚଉଷଠି ଯୋଗିନୀ ଓ ଅଷ୍ଟଶକ୍ତି ବା ଅଷ୍ଟମାତୃକା (ଦେବୀ ଦୁର୍ଗାଙ୍କର ଭୟାନକ ରୂପ) ପୂଜା ମଧ୍ୟ ଏହି ଦିନ କରାଯାଏ । ଭାରତର ବିଭିନ୍ନ ସ୍ଥାନରେ ଅଷ୍ଟ ଶକ୍ତିଙ୍କର ବିଭିନ୍ନ ରକମର ବର୍ଣ୍ଣନା କରାଯାଏ କିନ୍ତୁ ସମସ୍ତେ ଶକ୍ତିଙ୍କର ଅବତାର ରୂପେ ମାନ୍ୟତା ପାଇଥାନ୍ତି । ପୂଜା ପାଉଥିବା ଏହି ଅଷ୍ଟ ଶକ୍ତିଙ୍କର ନାମ ଯଥାକ୍ରମେ ବ୍ରାହ୍ମଣୀ, ମାହେଶ୍ୱରୀ, କୌମାରୀ, ବୈଷ୍ଣବୀ, ବରାହୀ, ନରସିଂହୀ, ଇନ୍ଦ୍ରାଣୀ ଓ ଚାମୁଣ୍ଡା ।




