ମାୟାବୀ ଗଛ

ମାୟାବୀ ଗଛ
Ipsita Picture
By: Ipsita
Published On

 

ଭୁତ ଗଳ୍ପ ଶୁଣିବାକୁ ସମସ୍ତେ ସବୁବେଳେ ଆଗ୍ରହ ପ୍ରକାଶ କରିଥାଆନ୍ତି । ଯେଉଁଥିପାଇଁ ଆଈମା ପାଖେ ଏହା ଶୁଣିବାକୁ ସମସ୍ତଙ୍କର ଭିଡ ଯମିଥାଏ । ଏହି ଭୁତ ଗଳ୍ପ ସେମାନଙ୍କୁ କିଛି ଶିକ୍ଷା ପ୍ରଦାନ କରିବା ସହିତ ସେମାନଙ୍କର ମନୋରଞ୍ଜନ ମଧ୍ୟ କରିଥାଏ । ଆସନ୍ତୁ ସେହିଭଳି ଏକ ଗପ ସମ୍ପର୍କରେ ଜାଣିବା, ଯାହାର ନାଁ ହେଉଛି ମାୟାବୀ ଗଛ ।

ଗୋଟିଏ ଛୋଟ ଗାଁ ପାଖରେ ଏକ ପୁରୁଣା ପୋଖରୀ ଥିଲା। ସେହି ପୋଖରୀ କୂଳରେ ଏକ ବିରାଟ ବରଗଛ ଥିଲା। ଗାଁର କୌଣସି ପିଲା ସେହି ଗଛ ପାଖକୁ ଖେଳିବାକୁ ଯାଉନଥିଲେ, କାରଣ ଲୋକେ କୁହନ୍ତି ସେହି ଗଛରେ ଜଣେ ବ୍ରହ୍ମଦୈତ୍ୟ ରହେ। ତେବେ ସେହି ଗାଁର ସୁମିତ ନାମକ ଜଣେ ଲୋଭୀ ପିଲା ଥିଲା। ସେ ଶୁଣିଥିଲା ଯେ ସେହି ଗଛ ମୂଳେ ପୁରୁଣା ଜମାନାର ସୁନାମୋହର ପୋତା ହୋଇଛି । ଦିନେ ଅମାବାସ୍ୟା ରାତିରେ ସୁମିତ କାହାକୁ ନକହି ଗୋଟିଏ ଫାଉଡା ଧରି ସେହି ଗଛ ପାଖକୁ ଚାଲିଗଲା । ରାତି ପ୍ରାୟ ବାରଟା । ଚାରିଆଡ଼ ଶୁନଶାନ୍ । ହଠାତ୍ ଗଛରୁ ଏକ ଅଜବ ଘୁଙ୍ଗୁର ଶବ୍ଦ ଶୁଣାଗଲା। ସୁମିତ ଭୟରେ ଥରିବାକୁ ଲାଗିଲା, କିନ୍ତୁ ସୁନା ଲୋଭରେ ସେ ଗଛ ମୂଳ ଖୋଳିବାକୁ ଲାଗିଲା । ହଠାତ୍ ଏକ ଭୟଙ୍କର ଗର୍ଜନ ଶୁଣାଗଲା । ସୁମିତ ଉପରକୁ ଚାହିଁଲା ବେଳକୁ ଦେଖିଲା ଗଛର ଡାଳଗୁଡ଼ିକ ହଠାତ୍ ଲମ୍ବା ହାତ ପରି ହୋଇ ତାଆଡ଼କୁ ମାଡ଼ି ଆସୁଛି । ଗଛରୁ ଏକ ଭୟଙ୍କର କଣ୍ଠସ୍ୱର ଶୁଣାଗଲା, "ଲୋଭୀ ବାଳକ! ମୋ ଶାନ୍ତି ଭଙ୍ଗ କରିବାକୁ ତୋର ସାହସ କେମିତି ହେଲା ?" ସୁମିତ ଦେଖିଲା ଗଛର ଗଣ୍ଡିରେ ଏକ ବିରାଟ ମୁହଁ ଦେଖାଯାଉଛି, ଯାହାର ଆଖିରୁ ନିଆଁ ବାହାରୁଛି । ସୁମିତ ସବୁକିଛି ଛାଡ଼ି ଦୌଡ଼ିବାକୁ ଚେଷ୍ଟା କଲା, କିନ୍ତୁ ଗଛର ଚେରଗୁଡ଼ିକ ସାପ ପରି ତାଗୋଡ଼କୁ ଗୁଡ଼ାଇ ଧରିଲେ। ସୁମିତ କାନ୍ଦି କାନ୍ଦି କ୍ଷମା ମାଗିଲା, "ମୋତେ ଛାଡ଼ିଦିଅନ୍ତୁ! ମୁଁ ଆଉ କେବେ ଲୋଭ କରିବିନି କି ଏଠାକୁ ଆସିବିନି ।" କିଛି ସମୟ ପରେ ସବୁକିଛି ଶାନ୍ତ ହୋଇଗଲା । ସୁମିତ କୌଣସି ପ୍ରକାରେ ନିଜକୁ ମୁକ୍ତ କରି ଏକା ନିଶ୍ୱାସକେ ଗାଁକୁ ଦୌଡ଼ି ପଳାଇଲା। ସେହି ଦିନଠାରୁ ସୁମିତ ଲୋଭ କରିବା ସମ୍ପୂର୍ଣ୍ଣ ଛାଡ଼ିଦେଲା । ତେଣୁ ଲୋଭ ମଣିଷକୁ ସବୁବେଳେ ବିପଦ ଆଡ଼କୁ ଟାଣି ନେଇଥାଏ । ଯାହା ନିଜର ନୁହେଁ, ତାହା ପାଇବା ପାଇଁ ଅପଚେଷ୍ଟା କଲେ ତାର ପରିଣାମ ଭୟଙ୍କର ହୋଇଥାଏ ।

Tags: