ମଧ୍ୟାହ୍ନଭୋଜନ ଆଣିଥାଏ ନିଦ
ମଧ୍ୟାହ୍ନ ଭୋଜନ, ବିଶେଷ କରି ଭାତ କିମ୍ବା ଅଧିକ କାର୍ବୋହାଇଡ୍ରେଟ୍ ଯୁକ୍ତ ଖାଦ୍ୟ ଖାଇବା ପରେ ଅନେକ ସମୟରେ ପ୍ରବଳ ନିଦ ଏବଂ କ୍ଲାନ୍ତି ଅନୁଭବ ହୋଇଥାଏ । ତେବେ ଏହା ପଛରେ ଏକ ଆକର୍ଷଣୀୟ ବୈଜ୍ଞାନିକ କାରଣ ରହିଛି । ଭାତ ଭଳି ଖାଦ୍ୟର ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଧିକ ହୋଇଥିବାରୁ ଏହା ଶରୀରରେ ଶୀଘ୍ର ହଜମ ହୋଇ ଗ୍ଲୁକୋଜ୍ରେ ପରିଣତ ହୁଏ । ଯାହା ଦ୍ୱାରା ରକ୍ତରେ ଶର୍କରା ବା ବ୍ଲଡ୍ ସୁଗାରର ସ୍ତର ହଠାତ୍ ବଢ଼ିଯାଏ ଏବଂ ଶରୀରକୁ ତତ୍କାଳ ଶକ୍ତି ମିଳିଥାଏ । ମାତ୍ର କିଛି ସମୟ ପରେ ଏହି ସୁଗାର ସ୍ତର ହ୍ରାସ ପାଇବା ଫଳରେ ମଣିଷ କ୍ଲାନ୍ତ ଓ ଦୁର୍ବଳ ଅନୁଭବ କରେ । ଏଥିସହିତ, କାର୍ବୋହାଇଡ୍ରେଟ୍ ଯୁକ୍ତ ଖାଦ୍ୟ ଖାଇବା ପରେ ବ୍ଲଡ୍ ସୁଗାରକୁ ନିୟନ୍ତ୍ରଣ କରୁଥିବା ‘ଇନସୁଲିନ’ ହରମୋନ୍ ଶରୀରରେ ଅଧିକ ମାତ୍ରାରେ କ୍ଷରିତ ହୋଇଥାଏ । ଏହି ପ୍ରକ୍ରିୟା ମସ୍ତିଷ୍କରେ ‘ଟ୍ରିପ୍ଟୋଫାନ୍’ ନାମକ ଆମିନୋ ଏସିଡ୍ ବୃଦ୍ଧି କରିବାରେ ସାହାଯ୍ୟ କରେ । ଯାହା ଶରୀରକୁ ଆରାମ ଦେଉଥିବା ତଥା ନିଦ୍ରା ପାଇଁ ଦାୟୀ ‘ସେରୋଟୋନିନ୍’ ଏବଂ ‘ମେଲାଟୋନିନ୍’ ରସାୟନ ତିଆରି କରିଥାଏ । ଫଳରେ ସ୍ୱାଭାବିକ ଭାବେ ନିଦ ମାଡ଼ିଥାଏ । ଏହା ବ୍ୟତୀତ, ଯଦି ଭୋଜନର ପରିମାଣ ଅଧିକ ଥାଏ ଏବଂ ଭାତ ସହିତ ତେଲ ବା ଗରିଷ୍ଠ ଖାଦ୍ୟ ସାମିଲ ଥାଏ, ତେବେ ତାହାକୁ ହଜମ କରିବା ପାଇଁ ଶରୀରକୁ ଅଧିକ ଶକ୍ତିର ଆବଶ୍ୟକତା ପଡ଼ିଥାଏ । ଯେଉଁଥିପାଇଁ ପାଚନ ପ୍ରକ୍ରିୟା ଆଡ଼କୁ ଶରୀରର ଶକ୍ତି କେନ୍ଦ୍ରୀଭୂତ ହୋଇ କ୍ଲାନ୍ତି ଓ ନିଦ୍ରାହୀନତା ସୃଷ୍ଟି କରିଥାଏ ।




