ଘର ଚିହ୍ନିବାରେ ଯକୃତର ସହାୟତା
ପାରା ବା କପୋତମାନେ କେଉଁଭଳି ଭାବେ ବିନା ବାଟ ଭୁଲି ଶତାଧିକ ମାଇଲ୍ ଉଡ଼ି ନିଜ ଘରକୁ ଫେରିଆସନ୍ତି, ସେହି ରହସ୍ୟକୁ ନେଇ ନୁଆ ତଥ୍ୟ ସାମନାକୁ ଆସିଛି । ସାଧାରଣତଃ ପକ୍ଷୀ, ମାଛ ଓ କଇଁଛମାନେ ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ଦିଗବାରେଣୀ ଭାବେ ବ୍ୟବହାର କରି ଗତିପଥ ନିରୂପଣ କରିଥାଆନ୍ତି । ଏହି କ୍ଷମତା ସେମାନଙ୍କ ଆଖି,ଥଣ୍ଟ କିମ୍ବା ଭିତର କାନରେ ଥାଇପାରେବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି । କିନ୍ତୁ ଜର୍ମାନୀର ମାକ୍ସ ପ୍ଲାଙ୍କ୍ ଇନଷ୍ଟିଚ୍ୟୁଟ୍ ଏବଂ ବୋନ୍ ବିଶ୍ୱବିଦ୍ୟାଳୟର ସମ୍ପ୍ରତି ଗବେଷଣା ଅନୁସାରେ ପାରାମାନଙ୍କ ଯକୃତରେ ଏକ ଶକ୍ତିଶାଳୀ ଚୁମ୍ବକୀୟ ସଙ୍କେତ ମିଳିଛି । 'ସାଇନ୍ସ' ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନ ଅନୁଯାୟୀ, ଯକୃତରେ ଥିବା କେତେକ ବିଶେଷ ପ୍ରତିରୋଧକ କୋଷ ଲୋହିତ ରକ୍ତ କଣିକାକୁ ଭାଙ୍ଗି ଆଇରନ ସଂରକ୍ଷିତ କରି ରଖନ୍ତି । ତେବେ ଯେତେବେଳେ ବୈଜ୍ଞାନିକମାନେ ପରୀକ୍ଷାମୂଳକ ଭାବେ ପାରାମାନଙ୍କ ଶରୀରରୁ ଏହି କୋଷଗୁଡ଼ିକୁ କିଛି ସମୟ ପାଇଁ ବାହାର କରିଦେଲେ, ସେତେବେଳେ ସେମାନେ ମେଘୁଆ ପାଗରେ ନିଜର ଦିଗ ହରାଇ ବସିଥିଲେ । ଏହି ରକ୍ଷାକାରୀ କୋଷଗୁଡ଼ିକ ଯକୃତର ସ୍ନାୟୁତନ୍ତୁ ନିକଟରେ ଥିବାରୁ ଏହା ମସ୍ତିଷ୍କକୁ ଚୁମ୍ବକୀୟ ସଙ୍କେତ ପଠାଇ ଜିପିଏସ୍ ଭଳି କାମ କରୁଥିବା ଅନୁମାନ କରାଯାଉଛି । ବିଶେଷଜ୍ଞମାନଙ୍କ ମତରେ ପାରାମାନେ ଦୂରଯାତ୍ରା କିମ୍ବା ନିର୍ଦ୍ଦିଷ୍ଟ ସ୍ଥାନ ଖୋଜିବା ପାଇଁ ଏକାଧିକ ପ୍ରଣାଳୀ ଓ ସୂର୍ଯ୍ୟଙ୍କ କିରଣର ସହାୟତା ନେଇଥାନ୍ତି, ଯାହା ଅନ୍ଧାରରେ ମଧ୍ୟ ସେମାନଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରିବାରେ ସାହାଯ୍ୟ କରେ ।




