ପ୍ରଭାବିତ ହେଉଛି ଜୀବିକା
ଓଡ଼ିଶା ଏବଂ ଅହମ୍ମଦାବାଦରେ କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ ଗ୍ରୀଷ୍ମ ଜନିତ ଲକ୍ଷଣ ଏବଂ ଗ୍ରୀଷ୍ମ ଜନିତ ଅସୁସ୍ଥତା, ଯେପରିକି ଗରମ ଯୋଗୁଁ କ୍ଲାନ୍ତି, ମାଂସପେଶୀ ଟାଣିବା ଏବଂ ଅଂଶୁଘାତ ଆଦି ସମସ୍ୟା ସାଧାରଣତଃ ବସ୍ତି ବାସିନ୍ଦା, ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ପୂର୍ବରୁ ରୋଗାକ୍ରାନ୍ତ ଥିବା ଲୋକ, ବାହାରେ କାମ କରୁଥିବା ଶ୍ରମିକ ଏବଂ ଜଳର ସୀମିତ ସୁବିଧା କିମ୍ବା ସୂଚନା ପାଉନଥିବା ଲୋକଙ୍କ ମଧ୍ୟରେ ଅଧିକ ଦେଖାଯାଇଥାଏ । ଅଧ୍ୟୟନରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଭାରତର ସହରାଞ୍ଚଳ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ଗ୍ରୀଷ୍ମ ପ୍ରବାହ କେବଳ ଶାରୀରିକ କଷ୍ଟ ଆଣିନଥାଏ, ବରଂ ସେମାନଙ୍କ ସ୍ୱାସ୍ଥ୍ୟ ଏବଂ ଜୀବିକା ପ୍ରତି ଗମ୍ଭୀର ବିପଦ ସୃଷ୍ଟି କରିଥାଏ । ବଢ଼ୁଥିବା ତାପମାତ୍ରା ଯୋଗୁଁ ସ୍ୱାସ୍ଥ୍ୟ ଉପରେ ପଡ଼ୁଥିବା ମାରାତ୍ମକ ପ୍ରଭାବ ବ୍ୟତୀତ, ମହିଳା ଚାଷୀମାନେ କୃଷି କ୍ଷେତ୍ରରେ ମଜୁରୀ ଯୁକ୍ତ କାମ ପାଇବାରୁ ବଞ୍ଚିତ ହେଉଛନ୍ତି । ପାଣି ସନ୍ଧାନରେ ଦୀର୍ଘ ବାଟ ଚାଲିବା ଯୋଗୁଁ ଶରୀରରେ ଜଳାଭାବ ଦେଖାଦେଇ ମହିଳାମାନଙ୍କୁ ଶାରୀରିକ ଭାବେ ଅକ୍ଷମ କରିଦେଇଛି, ଯାହାଫଳରେ ସେମାନେ ଆଉ କାମ କରିବାକୁ ସକ୍ଷମ ହେଉନାହାନ୍ତି । ଏହାଯୋଗୁଁ ମହିଳାମାନେ କେବଳ ବଞ୍ଚି ରହିବା ପାଇଁ ଯେକୌଣସି ପ୍ରକାରର କାମ ଖୋଜିବାକୁ ବାଧ୍ୟ ହେଉଛନ୍ତି । ଜଳବାୟୁ ପରିବର୍ତ୍ତନ ସେମାନଙ୍କର ଏହି ଆହ୍ୱାନକୁ ସାମାଜିକ ଓ ବ୍ୟବସ୍ଥାଗତ ଅସମାନତା ଯୋଗୁଁ ଆହୁରି ଅଧିକ ଜଟିଳ କରିଦେଇଛି ବୋଲି ମତ ପ୍ରକାଶ ପାଉଛି । ସେହିଭଳି ଲବଣ ଶିଳ୍ପ ଏବଂ ଇସ୍ପାତ କାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକ, ଯେଉଁମାନେ ପ୍ରଚଣ୍ଡ ଗରମର ସମ୍ମୁଖୀନ ହୁଅନ୍ତି, ସେମାନଙ୍କ ମଧ୍ୟରେ ଅତ୍ୟଧିକ ଝାଳ ବୋହିବା, ଶୋଷ ଲାଗିବା, ମୁଣ୍ଡ ବୁଲାଇବା, ମାଂସପେଶୀ କ୍ରାମ୍ପ୍, ମୁଣ୍ଡବିନ୍ଧା, ବାନ୍ତି/ଝାଡ଼ା, ମୂର୍ଚ୍ଛା ହୋଇଯିବା, ଚର୍ମ ସଂକ୍ରମଣ, ମୂତ୍ରାଶୟ ସମସ୍ୟା, ବୃକକ୍ କାର୍ଯ୍ୟକ୍ଷମତା ହ୍ରାସ ପାଇବା ଭଳି ସମସ୍ୟା ସାଧାରଣ ଭାବେ ଦେଖାଯାଇଥାଏ। ।
ପ୍ରାଣୀମାନଙ୍କୁ ମଧ୍ୟ ପ୍ରଭାବିତ କରିଥାଏ
ଗ୍ରୀଷ୍ମ ଜନିତ ଚାପ ଦୁଗ୍ଧପ୍ରଦାୟୀ ଗୋପାଳନ ପଶୁମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଯାହାଫଳରେ ସେମାନଙ୍କର ଖାଦ୍ୟ ଗ୍ରହଣ ହ୍ରାସ ପାଏ, କ୍ଷୀର ଉତ୍ପାଦନ କମିଯାଏ, କ୍ଷୀରର ଗୁଣବତ୍ତା ଖରାପ ହୁଏ ଏବଂ ପ୍ରଜନନ କ୍ଷମତା ଦୁର୍ବଳ ହୋଇଥାଏ । ଭାରତରେ ଅତ୍ୟଧିକ ଗରମ ଯୋଗୁଁ ବାର୍ଷିକ ପ୍ରାୟ ୨୬୬୧.୬୨ କୋଟି ଟଙ୍କାର ଦୁଗ୍ଧ ଉତ୍ପାଦନ ଜନିତ କ୍ଷତି ସହୁଛି । ଗାଈ ବ୍ୟତିତ ଅନ୍ୟାନ ପଶୁଙ୍କ ଉପରେ ମଧ୍ୟ ଏହାର ନକରାତ୍ମକ ପ୍ରଭାବ ଦେଖିବାକୁ ମିଳିଥାଏ ।



