କେବଳ କ୍ଷୀର ପିଇ ୪୫ ବର୍ଷ ଜୀବନ୍ତ
ରାଜସ୍ଥାନର ଜଣେ କୃଷକ ପୁନମ ସିଂହ ଜନ୍ମଠାରୁ ଏପର୍ଯ୍ୟନ୍ତ ବିନା ଅନ୍ନ ଖାଇ କେବଳ କ୍ଷୀର ପିଇ ସମ୍ପୂର୍ଣ୍ଣ ସୁସ୍ଥ ରହିଥିବା ଦାବି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ସେ ଦୈନିକ ସକାଳେ ଓ ସଞ୍ଜରେ କେବଳ ଗୋଟିଏ ଗ୍ଲାସ କ୍ଷୀର ପିଅନ୍ତି ଏବଂ ଏହା ପଛରେ କୌଣସି ବିଶେଷ କାରଣ ନାହିଁ, ବରଂ ପିଲାଦିନରୁ ସେ କେବେ ମଧ୍ୟ କୌଣସି ଶସ୍ୟ, ଫଳ କିମ୍ବା ପରିବାର ସ୍ୱାଦ ଚାଖିନାହାନ୍ତିବୋଲି ଦାବି କରିଛନ୍ତି । କ୍ଷୀର ବ୍ୟତୀତ ସେ କେବେ କେମିତି ଚା’ ଏବଂ ଆଖୁ ରସ ପିଇଥାନ୍ତି ଏବଂ ବିବାହ ବା ଅନ୍ୟ କୌଣସି ଉତ୍ସବକୁ ଗଲେ ମଧ୍ୟ ଲୋକଙ୍କ ଅନୁରୋଧ ସତ୍ତ୍ୱେ ଖାଦ୍ୟ ଖାଇବାକୁ ତାଙ୍କର ମନ ହୁଏନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ପୁନମ ନିଜ ଜୀବନରେ ବିଶେଷ ରୋଗରେ ପଡନ୍ତି ନାହିଁ ବୋଲି ମତ ରଖିଛନ୍ତି । ଶେଷଥର ପାଇଁ ସେ ୨୦୦୦ ମସିହାରେ ଅସୁସ୍ଥ ହୋଇଥିଲେ, ଯେଉଁ ସମୟରେ ଡାକ୍ତରମାନେ ତାଙ୍କୁ ଅନ୍ନ ଖାଇବାକୁ ବହୁତ ବୁଝାଇଥିଲେ ମଧ୍ୟ ସେ ମନା କରିଦେଇଥିଲେ । ଗ୍ରାମବାସୀମାନେ ତାଙ୍କୁ ଆଦରରେ ‘ମହାରାଜ’ କହି ସମ୍ମାନ ଦେଉଥିବା ବେଳେ, ଡାକ୍ତରମାନେ କିନ୍ତୁ ଏଭଳି ଦାବିକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଏବଂ କେବଳ କ୍ଷୀର ପିଇ ଦୀର୍ଘ ଜୀବନ ବଞ୍ଚିବା ଅତ୍ୟନ୍ତ କଷ୍ଟକର ବୋଲି ମତ ଦେଇଛନ୍ତି ।



