ନିଜ ଭୁଲରେ ହସିବା ଶିଖନ୍ତୁ
ଅନେକ ସମୟରେ ଆମ ସହ ଏଭଳି କିଛି ଅପ୍ରିତିକର ଘଟଣା ଘଟିଥାଏ ଯେଉଁ ସ୍ଥିତିରେ ଆମେ ସାଧାରଣତଃ ଲଜ୍ଜିତ ହୋଇ ସେହି ମୁହୂର୍ତ୍ତକୁ ମନେ ପକାଇ ଘଣ୍ଟା ଘଣ୍ଟା ଧରି ଚିନ୍ତିତ ରହିଥାଉ । ହେଲେ 'ଜର୍ଣ୍ଣାଲ୍ ଅଫ୍ ପର୍ସନାଲିଟି ଆଣ୍ଡ ସୋସିଆଲ୍ ସାଇକୋଲୋଜି'ର ଏକ ନୂତନ ଗବେଷଣା ଅନୁଯାୟୀ ଯଦି ଆପଣ ସେହି ସମୟରେ ନିଜ ଉପରେ ହସିବା ଶିଖିଯାଆନ୍ତି, ତେବେ ଏହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ସୋସିଆଲ ଇମେଜ ଉଭୟ ପାଇଁ ଲାଭଦାୟକ ହୋଇଥାଏ । ମନୋବିଜ୍ଞାନରେ ଏହାକୁ 'ସେଲ୍ଫ-ଡେପ୍ରିକେଟିଙ୍ଗ୍ ହ୍ୟୁମର' କୁହାଯାଏ, ଯାହାର ଅର୍ଥ ହେଉଛି ନିଜର ଛୋଟମୋଟ ଭୁଲଗୁଡ଼ିକୁ ହସରେ ଉଡ଼ାଇ ଦେବା । ଏଥିପାଇଁ ନିଜକୁ ପ୍ରଶିକ୍ଷିତ କରିବା ଆବଶ୍ୟକ କାରଣ ବିଶେଷଜ୍ଞଙ୍କ ମତରେ ଆମେ ନିଜ ଭୁଲ ପାଇଁ ନିଜକୁ ଯେତେ ଖରାପ ବୋଲି ଭାବିଥାଉ, ଅନ୍ୟମାନେ ଆମକୁ ସେତେଟା ପରଖନ୍ତି ନାହିଁ । ଯଦି ଆପଣଙ୍କ ଭୁଲ ଦ୍ୱାରା କାହାର କିଛି କ୍ଷତି ହୋଇନାହିଁ, ତେବେ ତାକୁ ଏକ ସାଧାରଣ କଥା ଭାବି ମନକୁ ବୁଝାଇବା ଦ୍ୱାରା ଆତ୍ମବିଶ୍ୱାସ ବଢ଼ିଥାଏ । କିନ୍ତୁ ମନେ ରଖିବା ଉଚିତ ଯେ ଯଦି ଆପଣଙ୍କ ଯୋଗୁଁ କାହାର ମନ ଦୁଃଖ ହୁଏ ବା କିଏ ଆହତ ହୁଏ, ତେବେ ସେଠାରେ ହସିବା ଆପଣଙ୍କୁ ଦାୟିତ୍ୱହୀନ ବୋଲି ପ୍ରମାଣିତ କରିପାରେ ।



