ଲଡୁ ଜନତା ପାର୍ଟି
ସବୁଥର ପରି ଚଳିତ ଦୀପାବଳିରେ ଲଡୁ ନମିଳିବାରୁ ରାଜସ୍ଥାନର କୋଟାସ୍ଥିତ କୋଚିଂ ସେଣ୍ଟର୍ର ଛାତ୍ରଛାତ୍ରୀମାନେ ନିଜର ଏକ ନୂଆ ଦଳ 'ଲଡୁ ଜନତା ପାର୍ଟି' ଗଠନ କରି ପ୍ରତିବାଦ ଜଣାଇଛନ୍ତି । ଘଟଣାଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଛାତ୍ରଛାତ୍ରୀମାନେ 'ଲଡୁ ଜନତା ପାର୍ଟି' ନାମରେ ଏକ ଇନ୍ଷ୍ଟାଗ୍ରାମ୍ ପେଜ୍ ଖୋଲି ଅଭିଯାନ ଆରମ୍ଭ କରିବା ସହ କ୍ଲାସ୍ ପରେ ଦୁଇ ଦିନ ଧରି ବିଭିନ୍ନ କୋଚିଂ ସେଣ୍ଟର୍ ବାହାରେ ନାରାବାଜି କରିଥିଲେ । ନଭେମ୍ବର ୩ ତାରିଖରେ ଖୋଲାଯାଇଥିବା ଏହି ଇନ୍ଷ୍ଟାଗ୍ରାମ୍ ପେଜ୍ର ପୋଷ୍ଟଗୁଡ଼ିକ ଭାଇରାଲ୍ ହୋଇ ହଜାର ହଜାର ଭ୍ୟୁ, ଲାଇକ୍ସ ଏବଂ ମିମ୍ସ ସୃଷ୍ଟି କରିଥିଲା । ସାଧାରଣତଃ ଦୀପାବଳି ଛୁଟିର ୩ - ୪ ଦିନ ପୂର୍ବରୁ ଲଡୁ ମିଳୁଥିବା ବେଳେ ନଭେମ୍ବର ୫ରୁ ଛୁଟି ଆରମ୍ଭ ହେବାକୁ ଥିଲେ ବି ମିଠା ମିଳିନଥିବାରୁ ଛାତ୍ରଛାତ୍ରୀମାନେ ଏହି ନିଆରା ପ୍ରତିବାଦ କରିଥିବା ଜଣାପଡିଛି । ଅନ୍ୟପକ୍ଷରେ, ଅଧିକ ଚାହିଦା ଏବଂ ମିଠା ତିଆରି କରୁଥିବା କାରିଗରଙ୍କ ଅଭାବ ଯୋଗୁଁ ଲଡୁ ପ୍ରସ୍ତୁତି ଓ ପ୍ୟାକେଜିଂରେ ବିଳମ୍ବ ହୋଇଥିବା କୋଚିଂ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ଦେବା ସହ ଅନ୍ୟ ସହରରୁ କାରିଗର ଡକାଇ ଛାତ୍ରଛାତ୍ରୀଙ୍କ ଦାବି ମୁତାବକ ଗୁରୁବାରଠାରୁ ଲଡୁ ବଣ୍ଟନ ଆରମ୍ଭ କରିଛନ୍ତି ।




