ଦୟା ସବୁଠାରୁ ବଡ

ଦୟା ସବୁଠାରୁ ବଡ
Ipsita Picture
By: Ipsita
Published On

 

ଆଈ ମାଆ ପେଡିରେ ଜୀବନକୁ ନେଇ ଅନେକ କିଛି ଶିକ୍ଷା ରହିଥାଏ, ଯାହାକୁ ଅନୁସରଣ କରିବା ଦ୍ବାରା ଜୀବନରେ ଅନେକ ଶିକ୍ଷା ମିଳିଥାଏ । ସେହିଭଳି ଏକ ଗଳ୍ପ ହେଲା ଦୟା ସବୁଠାରୁ ବଡ, ଯିଏ ଜୀବନର ରହସ୍ୟକୁ ଖୁବ ସରଳଭାବେ ବୁଝାଇଥାଏ ।

ଏକ ଘଞ୍ଚ ଜଙ୍ଗଲରେ ଗୋଟିଏ ବହୁତ ପୁରୁଣା ଏବଂ ବଡ଼ ବରଗଛ ଥିଲା, ଯେଉଁଥିରେ ଚିଙ୍କୁ ନାମକ ଏକ କୁନି ଚଢ଼େଇ ନିଜ ପରିବାର ସହ ବହୁତ ଖୁସିରେ ରହୁଥିଲା। ଚିଙ୍କୁ ସ୍ୱଭାବରେ ବହୁତ ଦୟାଳୁ, ପରିଶ୍ରମୀ ଏବଂ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଭଲ ପାଉଥିଲା । ତେବେ ସେହି ଗଛର ଅନ୍ୟ ଏକ ଡାଳରେ ମିଙ୍କୁ ନାମକ ଏକ ଅହଂକାରୀ ଓ ସ୍ୱାର୍ଥପର କାଉ ମଧ୍ୟ ରହୁଥିଲା । ଯିଏ ସବୁବେଳେ ଅନ୍ୟମାନଙ୍କୁ ପରିହାସ କରୁଥିଲା । ଦିନେ ପ୍ରବଳ ଗ୍ରୀଷ୍ମ ଋତୁରେ ଜଙ୍ଗଲର ସମସ୍ତ ପୋଖରୀ ଓ ନାଳ ଶୁଖିଗଲା, ଯାହାଫଳରେ ପକ୍ଷୀମାନେ ପାଣି ମୁନ୍ଦେ ପାଇବା ପାଇଁ ଏପଟସେପଟ ବ୍ୟାକୁଳ ହୋଇ ବୁଲିଲେ । ଚିଙ୍କୁ ନିଜର କଠିନ ପରିଶ୍ରମ ବଳରେ ଜଙ୍ଗଲଠାରୁ ବହୁ ଦୂରରେ ଏକ ଛୋଟ ଜଳାଶୟ ଖୋଜି ପାଇଲା ଏବଂ ସେ ସେଠାରୁ ନିଜ ଥଣ୍ଟରେ ପାଣି ଆଣି ବରଗଛର ଏକ କୋରଡ଼ରେ ଲୁଚାଇ ରଖିଥିବା ଏକ ଛୋଟ ମାଟି ପାତ୍ରରେ ସଞ୍ଚୟ କରିବାକୁ ଲାଗିଲା। ଯାହା ଦେଖି ମିଙ୍କୁ କାଉ ତାକୁ ଜୋରରେ ହସିଲା ଏବଂ କହିଲା, ତୁ ଏତେ ଛୋଟ ପକ୍ଷୀ ହୋଇ କାହିଁକି ବୃଥାରେ ଏତେ କଷ୍ଟ କରୁଛୁ, ଯେତେବେଳେ ପାଣି ଶେଷ ହେବ ମୁଁ ମୋ ବଳରେ ଅନ୍ୟ ପକ୍ଷୀଙ୍କଠାରୁ ପାଣି ଛଡ଼ାଇ ପିଇଦେବି ବୋଲି କହିଲା । କିଛି ଦିନ ପରେ ଜଙ୍ଗଲରେ ମରୁଡ଼ି ପରିସ୍ଥିତି ଆହୁରି ଭୟଙ୍କର ହେଲା ଏବଂ ମିଙ୍କୁ କାଉ ତୃଷାର୍ଥ ହୋଇ ପାଣି ଖୋଜି ଖୋଜି କ୍ଲାନ୍ତ ହୋଇ ପଡ଼ିଲା । କିନ୍ତୁ ତାକୁ କେଉଁଠି ହେଲେ ଟୋପାଏ ହେଲେ ପାଣି ମିଳିଲା ନାହିଁ କିମ୍ବା ତାର ଅହଂକାର ଯୋଗୁଁ କେହି ତାକୁ ସାହାଯ୍ୟ କଲେ ନାହିଁ। ଶେଷରେ ମିଙ୍କୁ ଉଡ଼ିବାକୁ ଶକ୍ତି ନପାଇ ବରଗଛ ତଳେ ଅଚେତ ହୋଇ ପଡ଼ିଗଲା। ଚିଙ୍କୁ ଏହା ଦେଖିବା ମାତ୍ରେ କାଉ ପ୍ରତି ଥିବା ପୁରୁଣା ରାଗ ବା ତାର ଖରାପ ବ୍ୟବହାରକୁ ଭୁଲିଯାଇ ତୁରନ୍ତ ନିଜ କୋରଡ଼ରୁ ସଞ୍ଚିତ ପାଣି ଆଣି ତାପାଟିରେ ଢାଳିଦେଲା ଏବଂ ତାକୁ ପଙ୍ଖାରେ ପବନ କଲା। କିଛି ସମୟ ପରେ ମିଙ୍କୁର ଚେତା ଫେରିଆସିଲା ଏବଂ ସେ ଅନୁଭବ କଲା ଯେ ଯେଉଁ ଛୋଟ ଚଢ଼େଇକୁ ସେ ଦିନେ ତୁଚ୍ଛ ମଣୁଥିଲା, ଆଜି ସେହି ତାର ଜୀବନ ବଞ୍ଚାଇଛି। ମିଙ୍କୁ ନିଜର ଭୁଲ୍ ବୁଝିପାରି ଲଜ୍ଜିତ ହେଲା ଏବଂ ଆଖିରେ ଲୁହ ଆଣି ଚିଙ୍କୁକୁ କ୍ଷମା ମାଗିବା ସହ ପ୍ରତିଜ୍ଞା କଲା ଯେ ସେ ଆଉ କେବେ ଅହଂକାର କରିବ ନାହିଁ ଏବଂ ସମସ୍ତଙ୍କ ସହ ମିଳିମିଶି ରହିବ । ଏହି କାହାଣୀରୁ ଆମକୁ ଏହି ନୈତିକ ଶିକ୍ଷା ମିଳେ ଯେ, ବିପଦ ସମୟ ପାଇଁ ସଞ୍ଚୟ କରିବା ଏବଂ କଷ୍ଟ ସମୟରେ ନିଜ ଶତ୍ରୁକୁ ମଧ୍ୟ ସାହାଯ୍ୟ କରିବା ହେଉଛି ପ୍ରକୃତ ମାନବିକତା, କାରଣ ଅହଂକାର ସବୁବେଳେ ପତନର କାରଣ ହୋଇଥାଏ ଏବଂ ଦୟା ହିଁ ସଂସାରର ସବୁଠାରୁ ବଡ଼ ଗୁଣହୋଇଥାଏ ।

Tags: