ମୋବାଇଲକୁ ରଖନ୍ତୁ ସୁରକ୍ଷିତ
ଆଜିର ବ୍ୟସ୍ତବହୁଳ ଜୀବନରେ ସ୍ମାର୍ଟଫୋନ୍ କେବଳ କଥାବାର୍ତ୍ତା ନୁହେଁ, ବରଂ ଅନଲାଇନ୍ ପେମେଣ୍ଟ୍, ଟିକେଟ୍ ବୁକିଂ, ନେଭିଗେସନ୍ ଏବଂ ଡକ୍ୟୁମେଣ୍ଟ୍ ସୁରକ୍ଷିତ ରଖିବା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ମାଧ୍ୟମ ପାଲଟିଛି । ତେଣୁ ଏହା ଚୋରି ହେଲେ ଜଣେ ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ସେହିଭଳି ଏହି ଭୟ ବାହାରକୁ ଯାତ୍ରା ସମୟରେ ଯଥେଷ୍ଟ ବଢ଼ିଯାଇଥାଏ । ରେଳବାଇ ଷ୍ଟେସନ, ବସ୍ ଷ୍ଟାଣ୍ଡ, ଏୟାରପୋର୍ଟ ଏବଂ ପର୍ଯ୍ୟଟନସ୍ଥଳୀ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ଏହା ଚୋରି ହେବାର ଭୟ ରହିଥାଏ, ତେଣୁ ଏଥିରୁ ରକ୍ଷା ପାଇବା ପାଇଁ କିଛିଟା ଟ୍ରିକ ଆପଣାନ୍ତୁ । ସବୁବେଳେ ସ୍ମାର୍ଟଫୋନ୍କୁ ବ୍ୟାଗ୍ର ବାହାର ପକେଟ୍ କିମ୍ବା ପ୍ୟାଣ୍ଟର ପଛ ପକେଟ୍ରେ ନ ରଖି ଆଗ ପକେଟ୍ କିମ୍ବା ଚେନ୍ ଥିବା ଭିତର ପକେଟ୍ରେ ରଖିବା ଉଚିତ । ଏହାସହ ଭିଡ଼ ଭିତରେ ବ୍ୟାକପ୍ୟାକ୍କୁ ସବୁବେଳେ ଆଗପଟକୁ କରି ଧରିବା ଆବଶ୍ୟକ। ଯାତ୍ରା ସମୟରେ ଟ୍ରେନ୍ କିମ୍ବା ବସ୍ରେ ଶୋଇବା ବେଳେ ଫୋନ୍କୁ ସିଟ୍ ଉପରେ କିମ୍ବା ଚାର୍ଜିଂରେ ଲଗାଇ ଛାଡ଼ିବା ଆଦୌ ନିରାପଦ ନୁହେଁ । ଭିଡ଼ ସ୍ଥାନରେ କଲ୍, ମ୍ୟାପ୍ କିମ୍ବା ଫଟୋ ଉଠାଇବାରେ ଅଧିକ ବ୍ୟସ୍ତ ନ ରହି ଆଖପାଖର ପରିବେଶ ପ୍ରତି ସତର୍କ ରହିବା ଜରୁରୀ । ସ୍ମାର୍ଟଫୋନ୍ ଚୋରି ହେଲେ ମଧ୍ୟ ବ୍ୟକ୍ତିଗତ ଡାଟା ଏବଂ ବ୍ୟାଙ୍କିଙ୍ଗ୍ ଆପ୍କୁ ସୁରକ୍ଷିତ ରଖିବା ପାଇଁ ଫୋନ୍ରେ ସର୍ବଦା ଶକ୍ତ ସ୍କ୍ରିନ୍ ଲକ୍ ସହ ଫିଙ୍ଗରପ୍ରିଣ୍ଟ୍ କିମ୍ବା ଫେସ୍ ଲକ୍ ଅନ୍ ରଖିବା ଜରୁରୀ । ଓଟିପି ମେସେଜ୍ ଯେପରି ଲକ୍ ସ୍କ୍ରିନ୍ରେ ଦେଖାଯିବ ନାହିଁ ତାହା ସେଟ୍ କରିବାର ଆବଶ୍ୟକତା ରହିଛି । ଏହା ବ୍ୟତୀତ ଯାତ୍ରା ପାଇଁ ଲୁକ୍କାୟିତ ଚେନ୍ ଓ କଟ୍-ରେଜିଷ୍ଟାଣ୍ଟ୍ ସାମଗ୍ରୀରେ ନିର୍ମିତ ଆଣ୍ଟି-ଥେଫ୍ଟ ବ୍ୟାଗ୍ ବା ପାଉଚ୍ ବେଶ୍ ଉପଯୋଗୀ ପ୍ରମାଣିତ ହୋଇଥାଏ । କିନ୍ତୁ ଯଦି କୌଣସି ପରିସ୍ଥିତିରେ ଫୋନ୍ ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ତୁରନ୍ତ ସାଇବର ହେଲ୍ପଲାଇନ ନମ୍ବର ୧୯୩୦ରେ କଲ୍ କରିବା ସହିତ ନିକଟସ୍ଥ ପୋଲିସ ଷ୍ଟେସନରେ ଏଫଆଇଆର ଦେବାର ଆବଶ୍ୟକତା ରହିଛି ।




