ରାକ୍ଷୀ କିଣିବାବେଳେ ରଖନ୍ତୁ ଧ୍ୟାନ
ରକ୍ଷାବନ୍ଧନ ପର୍ବରେ ରାଖି ବାନ୍ଧିବା ପରେ ସମ୍ବେଦନଶୀଳ ତ୍ୱଚା (ସେନ୍ସିଟିଭ୍ ସ୍କିନ୍) ଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଚର୍ମ ଆଲର୍ଜି ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । ରାଖି ବାନ୍ଧିବା ପରେ ହାତ କୁଣ୍ଡାଇ ହେବା, ଲାଲ ପଡିଯିବା, ଫଳିଯିବା ଭଳି ସମସ୍ୟା ଦେଖିବାକୁ ମିଳେ । ତେବେ ଏହି ସମସ୍ୟା ରାକ୍ଷୀ କେତେ ସମୟ ବନ୍ଧା ହୋଇ ରହିଛି, କେତେ ଝାଳ ଜମିଛି, ସୂତା କେତେ ଶକ୍ତ ଭାବେ ବନ୍ଧାଯାଇଛି ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କର ପୂର୍ବରୁ ଆଲର୍ଜି ସମସ୍ୟା ଅଛି କି ନାହିଁ ତାହା ଉପରେ ନିର୍ଭର କରେ । ଯଦି ଏହି ସମସ୍ୟା ସାମୟିକ ହୋଇ ଆପେ ଆପେ ଠିକ୍ ହୋଇଯାଏ ତେବେ ଚିନ୍ତାର କାରଣ ନାହିଁ, ମାତ୍ର ଏହା ଦୀର୍ଘସମୟ ଧରି ରହିଲେ କିମ୍ବା ବଢ଼ିଲେ ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ। ମୁଖ୍ୟତଃ ରାଖିରେ ବ୍ୟବହୃତ ସିନ୍ଥେଟିକ୍ ସୂତା, କେମିକାଲ୍ ରଙ୍ଗ, ଗ୍ଲିଟର, ପ୍ଲାଷ୍ଟିକ୍ ଏବଂ ନିକେଲ୍, କୋବାଲ୍ଟ କିମ୍ବା କ୍ରୋମିୟମ୍ ଭଳି ଶସ୍ତା ଧାତବ ଉପାଦାନ ତ୍ୱଚାର ସଂସ୍ପର୍ଶରେ ଆସି ଏହି ଆଲର୍ଜି ସୃଷ୍ଟି କରିଥାନ୍ତି । ଅଧିକ ଶକ୍ତଭାବେ ବାନ୍ଧିବା ଓ ଝାଳ ଯୋଗୁଁ ହେଉଥିବା ସାଧାରଣ କୁଣ୍ଡିଆ ରାଖି ଖୋଲିବା ଓ ତ୍ୱଚା ସଫା କରିବା ଦ୍ୱାରା ଠିକ୍ ହୋଇ ଯାଉଥିବା ବେଳେ କେମିକାଲ୍ଜନିତ ସ୍କିନ୍ ଆଲର୍ଜି ରାଖି ଖୋଲିବା ପରେ ବି ବଢ଼ିଥାଏ ଏବଂ ଏଥିପାଇଁ ଡାକ୍ତରୀ ଚିକିତ୍ସାର ପ୍ରୟୋଜନ ପଡ଼ିଥାଏ । ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ୧୦୦% ସୂତା (କପା) ସୂତାରେ ତିଆରି ସରଳ ଓ ହାଲୁକା ରାଖି ବ୍ୟବହାର କରିବା ସବୁଠାରୁ ନିରାପଦ ଅଟେ, କାରଣ ଏହା ତ୍ୱଚା ପାଇଁ କୋମଳ ହୋଇଥାଏ । ବିଶେଷ କରି ଛୋଟ ପିଲାଙ୍କ ପାଇଁ ରାଖି କିଣିବା ସମୟରେ ଅତ୍ୟାଧିକ ସଜାବଟ, ଧାରୁଆ କିମ୍ବା ମୋଟା ସୂତା, ତାର, ଶସ୍ତା ଧାତୁ ଏବଂ ସହଜରେ ଖସିଯାଉଥିବା ଛୋଟ ମୋତି କିମ୍ବା ଘଣ୍ଟି ଥିବା ରାଖି ଆଦୌ କିଣିବା ଉଚିତ୍ ନୁହେଁ । କାରଣ ଏହା ଦ୍ୱାରା ତ୍ୱଚାରେ ବିଭିନ୍ନ ସମସ୍ୟା ପୁଜିବାର ସମ୍ଭାବନା ରହିଛି । ତେଣୁ ରାଖି କିଣିବା ସମୟରେ ଧ୍ୟାନ ରଖନ୍ତୁ ।




