ମନସୁନରେ ଘରକୁ ରଖନ୍ତୁ ସଫା

ମନସୁନରେ ଘରକୁ ରଖନ୍ତୁ ସଫା
Ipsita Picture
By: Ipsita
Published On

 

ଗରମ ଦିନ ପରେ ବର୍ଷା ଋତୁ ଆଶ୍ୱସ୍ତି ଆଣିଦେଇଥାଏ ସତ, ହେଲେ ଏହି ସମୟରେ ବାୟୁମଣ୍ଡଳରେ ଆର୍ଦ୍ରତା ବଢୁଥିବାରୁ ଏବଂ ସ୍ଥାନେ ସ୍ଥାନେ ପାଣି ଜମୁଥିବାରୁ ଏହା ପୋକଜୋକ, ମଶା ଓ ଅସରପାଙ୍କ ବଂଶବୃଦ୍ଧି ପାଇଁ ସବୁଠାରୁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ । ବିଶେଷଜ୍ଞଙ୍କ ଅନୁସାରେ, ବର୍ଷା ଯୋଗୁଁ ନାଳନର୍ଦ୍ଦମା ଓ ମାଟି ଭିତରେ ପାଣି ପଶିଯିବାରୁ ଏହି କୀଟପତଙ୍ଗମାନେ ଘରର ରୋଷେଇ ଘର, ବାଥରୁମ୍ ଓ ଅନ୍ଧାରୁଆ ଯାଗାକୁ ପଶି ଆସନ୍ତି । ଯେଉଁଠି ସେମାନଙ୍କୁ ସହଜରେ ଖାଦ୍ୟ ଓ ପାଣି ମିଳିଯାଏ । ଘରେ ରଖାଯାଇଥିବା ମିଠା ଜାତୀୟ ଜିନିଷ, ତେଲିଆ ଓ ମସଲାଯୁକ୍ତ ବଳକା ଖାଦ୍ୟ, କଟା ଫଳ ଏବଂ ଡଷ୍ଟବିନ୍ରେ ଥିବା ଆବର୍ଜନା ଏମାନଙ୍କୁ ଅଧିକ ଆକର୍ଷିତ କରିଥାଏ । ଯାହାଦ୍ବାରା ଘର ଅପରିଷ୍କାର ହେବାସହ ଖାଦ୍ୟ ବିଷାକ୍ତ ସହ ଟାଇଫଏଡ୍, କଲେରା, ଡାଇରିଆ ଓ ଆଲର୍ଜି ଭଳି ଗମ୍ଭୀର ସଂକ୍ରମଣର ଆଶଙ୍କା ବଢ଼ିଯାଏ । ତେବେ ଏଥିରୁ ରକ୍ଷା ପାଇବା ପାଇଁ ବଜାରରେ ମିଳୁଥିବା କେମିକାଲ୍ ସ୍ପ୍ରେର ଅତ୍ୟଧିକ ବ୍ୟବହାର ଶ୍ୱାସକ୍ରିୟାରେ ସମସ୍ୟା ଓ ଆଲର୍ଜି ସୃଷ୍ଟି କରିପାରେ, ତେଣୁ ଏହାର ବିକଳ୍ପ ଭାବେ କେତେକ ସହଜ ଘରୋଇ ଉପାୟ ଆପଣାଯାଇପାରେ । ଯେପରିକି ବୋରିକ୍ ପାଉଡରକୁ ଚିନି ବା ଅଟା ସହ ମିଶାଇ ଅସରପା ଆସୁଥିବା ସ୍ଥାନରେ ରଖିବା, ଲବଙ୍ଗ, ନିମ୍ବ ତେଲ, ପୋଦିନା କିମ୍ବା ବେକିଂ ସୋଡା ବ୍ୟବହାର କରିବା ଏବଂ ଫିନାଇଲ୍ ବଦଳରେ ପାଣିରେ ଲୁଣ ଓ ଭିନେଗାର ମିଶାଇ ପୋଛା ମାରିବା ଦ୍ୱାରା ପୋକଜୋକ ସହଜରେ ଦୂରେଇ ଯାଆନ୍ତି । ଯଦି ଏସବୁ ସତ୍ତ୍ୱେ ବି ଘରେ ପୋକଜୋକଙ୍କ ସଂଖ୍ୟା କମୁନାହିଁ ଏବଂ ସେମାନଙ୍କ ଅଣ୍ଡା ବା ମଳ ଦେଖିବାକୁ ମିଳୁଛି, ତେବେ ତୁରନ୍ତ ପ୍ରଫେସନାଲ୍ ପେଷ୍ଟ କଣ୍ଟ୍ରୋଲ୍ର ସାହାଯ୍ୟ ନେବା ଆବଶ୍ୟକ ।

Tags: