କର୍ମଯୋଗୀ ବସନ୍ତ ବିଶ୍ୱାଳଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି
ଓଡ଼ିଶା ରାଜନୀତିର ଅନ୍ୟତମ ବରିଷ୍ଠ ରାଜନୀତିଜ୍ଞ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ନିର୍ଭୀକ ଜନନେତା ସ୍ୱର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କର ଆଜି ପୁଣ୍ୟ ଶ୍ରାଦ୍ଧ ବାର୍ଷିକୀ । ୧୯୩୬ ମସିହା ଜୁଲାଇ ୨୩ ତାରିଖରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଅଞ୍ଚଳ ତୁଳଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଏହି ମହାନ କର୍ମଯୋଗୀ ନିଜର ସାଙ୍ଗଠନିକ ଦକ୍ଷତା, ଦୂରଦୃଷ୍ଟି ବଳରେ ଜାତୀୟ କଂଗ୍ରେସ ଦଳ ମାଧ୍ୟମରେ ରାଜ୍ୟ ରାଜନୀତିରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ନଗର ଉନ୍ନୟନ, ପୂର୍ତ୍ତ ଓ ଜଳସମ୍ପଦ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଭାବେ ନିଜର କାର୍ଯ୍ୟକାଳ ମଧ୍ୟରେ ସେ କଟକ ଓ ଭୁବନେଶ୍ୱରରେ ଅନେକ ବିକାଶ ମୂଳକ ଉନ୍ନୟନ କାର୍ଯ୍ୟ କରିଥିଲେ । କେବଳ କଟକ ଭୁବନେଶ୍ବର ନୁହେଁ ରାଜ୍ୟସାରା ବହୁ ଗୁରୁତ୍ୱପୂର୍ଣ୍ଣ ପୋଲ ଓ ଜଳସେଚନ ପ୍ରକଳ୍ପର ସେ ନିର୍ମାଣ କରି ଓଡ଼ିଶା ନିର୍ମାଣର ସ୍ରଷ୍ଟା ଭାବେ ପରିଚିତି ଲାଭ କରିଥିଲେ । ତେବେ ୨୦୦୩ ମସିହା ସେପ୍ଟେମ୍ବର ୭ ତାରିଖରେ ତାଙ୍କର ଦେହାବସାନ ଘଟିଥିଲା। ତାଙ୍କର ଅବର୍ତ୍ତମାନ ଓଡ଼ିଶାର ପ୍ରଶାସନିକ ଓ ରାଜନୈତିକ ଆକାଶରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଥିଲା । ନିଜର ନିର୍ମାଣପ୍ରିୟ ଆଦର୍ଶ ପାଇଁ ସେ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ସଦା ସ୍ମରଣୀୟ ହୋଇ ରହିବେ ।




