ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମୋତ୍ସବ
ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ମାନବ ଅବତାରରେ ଜନ୍ମ ନେଇଥିଲେ ଭଗବାନ ବିଷ୍ଣୁ । ଆଜି ଧରାବତରଣ କରିବେ ପ୍ରଭୁ ଶ୍ରୀକୃଷ୍ଣ। ଏହି ତିଥିକୁ ଜନ୍ମାଷ୍ଟମୀ କୁହାଯାଇଥାଏ I ଏଥିପାଇଁ ଦେଶବ୍ୟାପୀ ଭକ୍ତିମୟ ପରିବେଶ। ଦେଶ ତଥା ବିଦେଶରେ ଏହି ଉତ୍ସବକୁ ମହାଡମ୍ବରରେ ପାଳନ କରାଯାଇଥାଏ । ଆମ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ସାରା ଭାରତରେ ଭକ୍ତି ଓ ଉଲ୍ଲାସର ସହ ପାଳନ ହେବ ନନ୍ଦଲାଲାଙ୍କ ଜନ୍ମୋତ୍ସବ । ସେହିପରି ଜନ୍ମାଷ୍ଟମୀ ପାଇଁ ଇସ୍କନ […]
ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ମାନବ ଅବତାରରେ ଜନ୍ମ ନେଇଥିଲେ ଭଗବାନ ବିଷ୍ଣୁ । ଆଜି ଧରାବତରଣ କରିବେ ପ୍ରଭୁ ଶ୍ରୀକୃଷ୍ଣ। ଏହି ତିଥିକୁ ଜନ୍ମାଷ୍ଟମୀ କୁହାଯାଇଥାଏ I ଏଥିପାଇଁ ଦେଶବ୍ୟାପୀ ଭକ୍ତିମୟ ପରିବେଶ। ଦେଶ ତଥା ବିଦେଶରେ ଏହି ଉତ୍ସବକୁ ମହାଡମ୍ବରରେ ପାଳନ କରାଯାଇଥାଏ । ଆମ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ସାରା ଭାରତରେ ଭକ୍ତି ଓ ଉଲ୍ଲାସର ସହ ପାଳନ ହେବ ନନ୍ଦଲାଲାଙ୍କ ଜନ୍ମୋତ୍ସବ । ସେହିପରି ଜନ୍ମାଷ୍ଟମୀ ପାଇଁ ଇସ୍କନ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ରାତିରେ ଜନ୍ମ ହେବେ ଯଶୋଦା ନନ୍ଦନ । ରାତି ୧୨ଟାରେ ଭଗବାନଙ୍କୁ ଅଭିଷେକ କରାଯିବ । ସକାଳୁ ବ୍ରତଧାରୀମାନେ ପ୍ରସାଦ ସେବନ କରି ନିଜ ବ୍ରତ ଖୋଲିବେ । ରାଜଧାନୀ ଭୁବନେଶ୍ୱରର ଇସ୍କନ ମନ୍ଦିର ସହ ରାମମନ୍ଦିର ପରି ସହରର ଗଳି କନ୍ଦିରେ ଥିବା ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି ।
ପୌରାଣିକ କଥା ଅନୁସାରେ, ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ । ଏକଦା କଂସଙ୍କୁ ତାଙ୍କ ଭଗିନୀ ଦେବକୀଙ୍କ ଅଷ୍ଟମ ପୁତ୍ର ବଧ କରିବେ ବୋଲି ଶୂନ୍ୟବାଣୀ ହୋଇଥିଲା । ଯାହାଫଳରେ ସେ ତାଙ୍କ ଉଉଣୀ ଦେବକୀ ଏବଂ ଭିଣୋଇ ବସୁଦେବଙ୍କୁ ମଥୁରାରେ ବନ୍ଦୀ କରି ତାଙ୍କର ଗୋଟିଏ ପରେ ଗୋଟିଏ ସମସ୍ତ ନବଜନ୍ମିତ ସନ୍ତାନଙ୍କୁ ମାରିଦେଲେ । ଏହାପରେ ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଦେବକୀଙ୍କ ଗର୍ଭରୁ ଅଷ୍ଟମ ସନ୍ତାନ ରୂପେ ସ୍ୱୟଂ ଭଗବାନ ବିଷ୍ଣୁ ମାନବ ଅବତାରରେ ଜନ୍ମ ନେଲେ । ଜନ୍ମ ହେବା ପରେ ବନ୍ଦିଶାଳାରେ ଦେବକୀ ଓ ବସୁଦେବଙ୍କୁ ବିଷ୍ଣୁ ତାଙ୍କର ଧରାବତରଣର ଉଦ୍ଦେଶ୍ୟ ଜଣାଇଲେ । ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିବା ସହିତ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ ବୋଲି ସେ କହିଲେ । ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ତାଙ୍କୁ ନନ୍ଦରାଜାଙ୍କ ଘରେ ରହିବାକୁ ପଡ଼ିବ ବୋଲି ସେ କହିଲେ । ତେଣୁ ଯଶୋଦାଙ୍କ କୋଳରେ ଜନ୍ମ ନେଇଥିବା ବିଜୁଳୀ କନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ଗୋପପୁରରେ ଛାଡିଦେବାକୁ ବସୁଦେବଙ୍କୁ କହିଲେ । ପରଂବ୍ରହ୍ମଙ୍କ ଆଜ୍ଞାକ୍ରମେ ବସୁଦେବ ନବଜାତ ପୁତ୍ରକୁ କୋଳରେ ଧରି ଅନ୍ଧାର ରାତିରେ ଗୋପପୁର ବାହାରିଲେ । ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁତ୍ରକୁ ନେଇ ଉଛୁଳି ଉଠୁଥିବା ଯମୁନା ନଦୀ ପାରି ହେଇ ଗୋପପୁର ଗଲେ । ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ବାସୁକି ବିଶାଳ ଫଣା ଢାଙ୍କି ତାଙ୍କର ଅଙ୍ଗରକ୍ଷକ ସାଜିଲେ । ସବୁ ବାଧାବିଘ୍ନ ଅତିକ୍ରମ କରି ଶ୍ରୀକୃଷ୍ଣଙ୍କୁ ନେଇ ଶେଷରେ ନନ୍ଦରାଜାଙ୍କ ଘରେ ଛାଡିଥିଲେ ବସୁଦେବ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପବିତ୍ର ଜନ୍ମଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଇଥାଏ । ବିଶ୍ୱବ୍ୟାପୀ ହିନ୍ଦୁମାନଙ୍କ ପାଇଁ ଏହି ଦିନଟି ହେଉଛି ବେଶ୍ ଗୁରୁତ୍ୱପୂର୍ଣ୍ଣ । ବିଭିନ୍ନ ରାଷ୍ଟ୍ରର ସଂସ୍କୃତି ଏବଂ ରିତି ତଥା ପରମ୍ପରା ଅନୁଯାୟୀ ଭିନ୍ନ ରୂପେ ପାଳିତ ହୋଇଥାଏ ଏହି ପବିତ୍ର ଉତ୍ସବ । ଏହି ଦିନ ମହିଳାମାନେ ଉପବାଶ କରିବା ସହିତ ନାଚଗୀତ କରିଥାଆନ୍ତି । ସେପଟେ ମଥୁରା ଏବଂ ବୃନ୍ଦାବନରେ ଏହି ଦିନ ବହୁ ଜନସମାଗମ ହୋଇଥାଏ । କେବଳ ଦେଶ ନୁହେଁ, ବିଦେଶରେ ମଧ୍ୟ ଏହି ଦିନକୁ ବେଶ୍ ଧୁମ୍ଧାମ୍ରେ ପାଳନ କରାଯାଇଥାଏ ।




